Latest Odisha News

BREAKING NEWS

ହକି ବିଶ୍ୱକପ୍‌ ଜିତିଲେ ପ୍ରତି ଖେଳାଳିଙ୍କୁ ମିଳିବ ୧ କୋଟି: ପୁରସ୍କାର ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ହକି ବିଶ୍ୱକପ୍ ଜିତିଲେ ଟିମ୍‌ ଇଣ୍ଡିଆର ପ୍ରତି ଖେଳାଳିଙ୍କୁ ମିଳିବ ଏକ କୋଟି ଟଙ୍କା ଉପହାର। ଗତକାଲି ରାଉରକେଲାରେ ହକି ଷ୍ଟାଡିୟମ୍ ଉଦ୍‌ଘାଟନ ବେଳେ ଏହି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ଆସନ୍ତା ୧୩ ତାରିଖରୁ ରାଜ୍ୟରେ ହକି ବିଶ୍ୱକପ୍ ମ୍ୟାଚ ଆରମ୍ଭ ହେବାକୁ ଯାଉଥିବାବେଳେ ଗତକାଲି ରାଉରକେଲା ସ୍ଥିତ ବିର୍ସା ମୁଣ୍ଡା ଆନ୍ତର୍ଜାତୀୟ ହକି ଷ୍ଟାଡ଼ିୟମକୁ ଉଦ୍‌ଘାଟନ କରିଥିଲେ  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ଏଥିସହିତ ସେ ସମସ୍ତ ଖେଳାଳିଙ୍କୁ ଆଗାମୀ ମୁକାବିଲା ପାଇଁ ଶୁଭକାମନା ମଧ୍ୟ ଜଣାଇଛନ୍ତି। ଆଉ ଯଦି ଭାରତ ବିଶ୍ୱକପ୍ ଜିତିଲା ତେବେ ରାଜ୍ୟ ସରକାର ପ୍ରତି ଖେଳାଳିଙ୍କୁ ଏକ କୋଟି ଟଙ୍କା ଲାଖାଏ ଉପହାର ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି।

ଷ୍ଟାଡିୟମ ଉଦ୍‌ଘାଟନ କରିବା ସହ ହକିକୁ ଭଲ ପାଉଥିବା ଖେଳାଳି, ଜନତା, ଓଡ଼ିଶାର ହକିପ୍ରେମୀ, ଦେଶର ହକି କ୍ରୀଡ଼ାବିତ ସମସ୍ତଙ୍କ ଉଦ୍ଦେଶ୍ୟରେ ଏହି ଷ୍ଟାଡ଼ିୟମକୁ ଉତ୍ସର୍ଗ କରୁଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଏହି ମହାକୁମ୍ଭରେ ସାମିଲ ହେବାକୁ ସେ ସମସ୍ତଙ୍କୁ ନିମନ୍ତ୍ରଣ କରିଛନ୍ତି ମୁଖ୍ୟମନ୍ତ୍ରୀ

ଷ୍ଟାଡିୟମ୍‌ ସମ୍ପର୍କରେ…

ଷ୍ଟାଡିୟମ ନିର୍ମାଣ ପାଇଁ ୧୫ମାସ ସମୟ ଲାଗିଥିବା ବେଳେ ଏଥିପାଇଁ ୨୬୧ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ଏଥିରେ ହକି ଖେଳାଳି ଓ କର୍ମଚାରୀଙ୍କ ରହିବା ପାଇଁ ୨୨୫ଟି ରୁମ୍ ବିଶିଷ୍ଟ ଅତ୍ୟାଧୁନିକ ପଞ୍ଚତରାକା ହୋଟେଲ ଭଳି ସୁବିଧା ଥିବା ବିଶ୍ୱକପ୍ ଭିଲେଜ ନିର୍ମାଣ ହୋଇଛି। ଏହାକୁ ମଧ୍ୟ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଉଦଘାଟନ କରିଛନ୍ତି।

Comments are closed.