Latest Odisha News

କାହିଁକି ୨ ଝିଅଙ୍କ ସହ ସୁପ୍ରିମ କୋର୍ଟ ଆସିଲେ ପ୍ରଧାନ ବିଚାରପତି

ନୂଆଦିଲ୍ଲୀ: ସୁପ୍ରିମକୋର୍ଟରେ ଆଜି ସକାଳର ଦୃଶ୍ୟ ଥିଲା ଅତ୍ୟନ୍ତ ଚକିତ କରିବା ପରି ।  ବରିଷ୍ଠ ବିଚାରପତିଙ୍କଠାରୁ ଆରମ୍ଭ କରି ଆଇନଜୀବୀମାନେ ଏ ଦୃଶ୍ୟ ଦେଖି ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ । ସକାଳୁ ସକାଳୁ ପ୍ରଧାନବିଚାରପତି   ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ଼ ଠିକ ସମୟରେ ସୁପ୍ରିମ କୋର୍ଟ ଆସିଥିଲେ । ହେଲେ ସେ ଏକା ନ ଥିଲେ । ସାଙ୍ଗରେ ଥିଲେ ତାଙ୍କର  ଦୁଇ ପାଳିତା କନ୍ୟା।

ସମୟ ଥିଲା ୧୦ଟା । ଜଷ୍ଟିସ ଚନ୍ଦ୍ରଚୂଡ଼ କୋର୍ଟ ଆସିଥିଲେ । ସଙ୍ଗରେ ଥିଲେ ଦୁଇ ଝିଅ ଝିଅ ମାହି(୧୬) ଓ ପ୍ରିୟଙ୍କା(୨୦) । ସେମାନଙ୍କ ସହ କୋର୍ଟ ପରିସରରେ ପ୍ରବେଶ କରିଥିଲେ ସେ । ଏହାପରେ ସେମାନଙ୍କ ସହ ପବ୍ଲିକ ଗ୍ୟାଲେରୀ ଦେଇ କୋର୍ଟ ରୁମରେ ପ୍ରବେଶ କରିଥିଲେ। ପ୍ରଥମେ  ସେମାନଙ୍କୁ କୋର୍ଟ ରୁମ ଦେଖାଇଥିଲେ । ପରେ ସିଜେଆଇଙ୍କ କୋର୍ଟ ରୁମ ନଂ ୧କୁ ନେଇଥିଲେ।  କୋର୍ଟ କାର୍ଯ୍ୟ କେମିତି ଚାଲେ ସେ ବିଷୟରେ ସେମାନଙ୍କୁ ବୁଝାଇଥିଲେ । ଏଥିସହିତ କେଉଁଠାରେ ବିଚାରପତିମାନେ ବସନ୍ତି ଏବଂ ଆଇନଜୀବୀମାନେ କେଉଁ ସ୍ଥାନରେ ଛିଡ଼ା ହୁଅନ୍ତି ତାହା ମଧ୍ୟ ଦେଖାଇଥିଲେ ।

ପରେ କୋର୍ଟ ନଂ ୧ରୁ ମାହି ଓ ପ୍ରିୟଙ୍କାଙ୍କୁ ନିଜ ଚ୍ୟାମ୍ବରକୁ ନେଇଥିଲେ ଓ  ନିଜ କାମ ସମ୍ପର୍କରେ ବୁଝାଇଥିଲେ। ଜଷ୍ଟିସ ଚନ୍ଦ୍ରଚୂଡ଼ଙ୍କ ଦୁଇ ଝିଅ ଦିବ୍ୟାଙ୍ଗ। ସେମାନେ ସୁପ୍ରିମକୋର୍ଟ ଭିତର ଦୃଶ୍ୟ ଦେଖିବାକୁ ଦୁଇ ଝିଅ ଇଚ୍ଛା କରିଥିଲେ । ତେଣୁ ଜଷ୍ଟିସ ଚନ୍ଦ୍ରଚୂଡ଼ ସେମାନଙ୍କୁ କୋର୍ଟ ବୁଲାଇବାକୁ ଆଣିଥିବା ଜଣାପଡ଼ିଛି ।

ଜଷ୍ଟିସ ଚନ୍ଦ୍ରଚୂଡ଼ ନଭେମ୍ବର ୯ରେ ଦେଶର ସିଜେଆଇ ଭାବେ ଶପଥ ନେଇଛନ୍ତି। ସେ ଦୁଇ ବର୍ଷ ପାଇଁ ଏହି ପଦରେ ରହିବେ।

Comments are closed.