କନକ ମଞ୍ଜରୀ ପଟ୍ଟନାୟକଙ୍କ ଧାରାବାହିକ ଉପନ୍ୟାସ ‘ବେଳାଭୂମିର ଚିହ୍ନ’
ସେମିତି ବସିଥିବା ଅବସ୍ଥାରେ ଅଳ୍ପସମୟ ପାଇଁ ସଚେତନ ହେଉହେଉ ଭାବନାର ଢ଼େଉପୁଣି ତା’ ଉପରେ ଅଜାଡ଼ି ପଡ଼ିଲା । ପଦ୍ମିନୀ ଆଉ ଉଠି ପାରିଲା ନାହିଁ ।
ଗୁରୁବାର ଦିନ ଶୁଣିଥିବା ଖବରଟି ନିରବଧିକାଳ ପାଇଁ ତାକୁ ବସେଇ ଦେବାକୁ ହିଁ ଆସି ପହଞ୍ଚି ଥିଲା । ଅନ୍ୟଥା ଏତେ ବଡ଼ ବିଶ୍ୱରେ ଲକ୍ଷ, ଲକ୍ଷ କୋଟି କୋଟି କର୍ମ ସଂସ୍ଥାନ ଥାଉ ଥାଉ ଏମିତି ଖବରଟିଏ ସେ କାମ କରୁଥିବା ସଂସ୍ଥା ଭିତରକୁ କାହିଁକି ଆସିଲା? ସୁଖର ଆକାଶରେ ଚକ୍କର କାଟି ଉଡ଼ୁଥିବା ତା’ ଜୀବନର ଛୋଟିଆ ବ୍ୟୋମଜାନଟି ଅଚାନକ ଦୁର୍ଘଟଣାଗ୍ରସ୍ତ ହେବା ପରେ, ଏଇ କମ୍ପାନୀ ଭିତରେ ଜୀବନର ଅନ୍ୟ ଏକ ରୂପକୁ ସେ ଖୋଜି ପାଇଥିଲା । ଶେଷରେ ସେଇ କର୍ମ ସଂସ୍ଥାନ ହିଁ କାଳବୈଶାଖୀ ହୋଇ ଏମିତି ଖବରଟିଏ କାହିଁକି ପରିବେଷଣ କଲା? ରକ୍ଷକ ଭକ୍ଷକ ସାଜିବା କଥା ତା’ ଆଗରେ ଜଳ ଜଳ ହୋଇ ଦିଶିଲା । ଶୁକ୍ରବାର, ଶନିବାର ଶାରିରୀକ ଅସୁସ୍ଥତାର ବାହାନା କରି ସେ ଛୁଟି ଦରଖାସ୍ତ ପଠାଇ ଦେଇଛି । ଆଜି ରବିବାର । ରାତି ପାହିଲେ ପୁଣି ସେହି ସ୍ଥାନରେ ପହଞ୍ଚିବା ଅନିର୍ବାର୍ଯ୍ୟ । ତା’ ପୂବାରୁ ଆଜି ରାତି ଆଠଟାରେ ‘ରାଜମହଲ’ ହୋଟେଲରେ ସମସ୍ତ କର୍ମଚାରୀଙ୍କ ଗେଟ ଟୁଗେଦେର । ଏକ ବିଶେଷ କାର୍ଯ୍ୟକ୍ରମ । ଯେଉଁଠି ସମସ୍ତଙ୍କ ଉପସ୍ଥିତି ନିହାତି ଜରୁରୀ ।
ପଦ୍ମିନୀର ମଥା ଘୂରି ଗଲା । ହେ ଭଗବାନ! ଆକସ୍ମିକ ବଜ୍ରପାତରେ ତା’ର ପାର୍ଥିବ ସା ଚୁର୍ମାର୍ ହୋଇ ଯାଆନ୍ତା କି? ଅଚାନକ ଏମିତି କିଛି ଚମତ୍କାର ଘଟନ୍ତା; ଗୁରୁବାର ଦିନ ଶୁଣିଥିବା ଖବରଟି ମିଥ୍ୟା ରୂପ ନିଅନ୍ତା । ଏକ ଉଡ଼ା ଖବର ଭଳି ।
ନା…..ସେମିତି କିଛି ହେଲା ନାହିଁ । ଖବରଟି ଆଦୌ ଭଡ଼ା ଖବର ନ ଥିଲା । ଥିଲା ଏକ କଠୋର ସତ୍ୟ, ମୃତ୍ୟୁ ଭଳି । ଯାହାର କବଳରୁ ଆଜି ତା’ର ନିସ୍ତାର ନାହିଁ ।
ଜଣେ ସହକର୍ମୀ ସକାଳୁ ଆସି ସୂଚନା ଦେଇ ଯାଇଛନ୍ତି, ନୂଆ ଜେନେରାଲ ମ୍ୟାନେଜର ଜଏନ୍ କରି ସାରିଲେଣି । ଆଜି ତାଙ୍କୁ ସମ୍ବର୍ଦ୍ଧନା ଦେବା କଥା । ସନ୍ଧ୍ୟାବେଳେ ‘ରାଜମହଲ’ ହୋଟେଲ ରେ କମ୍ପାନୀର ସମସ୍ତ କର୍ମଚାରୀ ଉପସ୍ଥିତ ହେବା ପାଇଁ ସର୍କୁଲାର ବୁଲା ସରିଛି ।
Comments are closed.