Latest Odisha News

ରାତିରେ ଗ୍ୟାସ ହିଟର ଲଗେଇ ଶୋଇଥିଲେ, ସକାଳୁ ଆଖି ବୁଜିଦେଇଛନ୍ତି ପରିବାରର ସମସ୍ତ ସଦସ୍ୟ

ଲକ୍ଷ୍ନୌ: ପ୍ରବଳ ଶୀତରୁ ସୁରକ୍ଷା ପାଇବା ପାଇଁ ରାତିରେ ଘର ଭିତରେ ଗ୍ୟାସ ହିଟଲ ଲଗେଇ ଶୋଇଥିଲେ। ହେଲେ ସକାଳୁ ଉଠିଲା ବେଳକୁ ଘର ଭିତରେ ଶୋଇଥିବା ସ୍ୱାମୀ-ସ୍ତ୍ରୀ ସହ ଦୁଇ ପିଲା ମଧ୍ୟ ଆଖି ବୁଜି ଦେଇଛନ୍ତି। ରବିବାର ଏଭଳି ଏକ ଅଘଟଣ ଘଟିଛି ଉତ୍ତର ପ୍ରଦେଶରେ। ରବିବାର ପୋଲିସ କହିଛି ଯେ ଗୋଟିଏ ପରିବାରର ଚାରିଜଣ ସଦସ୍ୟ ସେମାନଙ୍କ ଶୋଇବା ଘରେ ରାତିରେ ଗ୍ୟାସ୍ ହିଟର ଲଗାଇବା ପରେ ଶ୍ୱାସରୁଦ୍ଧ ହୋଇ ମୃତ୍ୟୁ ବରଣ କରିଛନ୍ତି।

ରବିବାର ସକାଳେ ସୀତାପୁରର ଜହରିଜର ଅଞ୍ଚଳରେ ଏହି ପରିବାର ରହୁଥିଲେ। ସକାଳେ ଜଣେ କ୍ଷୀର ବାଲା ଆସି କବାଟ ବାଡେଇଥିଲେ। ହେଲେ କେହି ଶୁଣିନଥିଲେ। ପରେ ସେ ପଡିଶା ଲୋକଙ୍କୁ ଏ ନେଇ ଖବର ଦେଇଥିଲେ। ପରେ ଏହି ଘଟଣା ସାମ୍ନାକୁ ଆସିଥିଲା।

ମୃତକଙ୍କ ମଧ୍ୟରେ ଆସିଫ (୩୫), ତାଙ୍କ ପତ୍ନୀ ଶଗୁଫଟା (୩୨) ଏବଂ ସେମାନଙ୍କ ପିଲା ଜୈଦ (୩) ଏବଂ ମାୟରା (୨) ରହିଛନ୍ତି। ଆସିଫ ସ୍ଥାନୀୟ ମଦ୍ରାସାରେ କିରାଣୀ ଭାବରେ କାମ କରୁଥିଲେ। ରାତିରେ ଶୋଇବା ଘରେ କବାଟ ଝରକ ଲଗାଇ ଗ୍ୟାସ ହିଟର ଅନ୍ କରି ଶୋଇ ପଡ଼ିଥିଲେ। ଗ୍ୟାସ ହିଟର କାରଣରୁ ସେମାନେ ଶ୍ୱାସରୁଦ୍ଧ ହୋଇଯାଇଥିଲେ। ରବିବାର ସକାଳେ ମୃତଦେହ ଉଦ୍ଧାର କରିଥିଲେ ସ୍ଥାନୀୟ ଥାନା ଅଧିକାରୀ ।

ପୋଲିସ ଘଟଣାସ୍ଥଳରେ ପହଞ୍ଚି କବାଟ ଖୋଲି ପରିବାରର ସମସ୍ତ ସଦସ୍ୟଙ୍କୁ ଏକ ଖଟ ଉପରେ ଚେତାଶୂନ୍ୟ ଅବସ୍ଥାରେ ପଡ଼ିଥିବାର ଦେଖିଥିଲେ। ସେମାନଙ୍କୁ ଏହାପରେ ପାଖରେ ଥିବା ଏକ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା ଯେଉଁଠାରେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ।

Comments are closed.