Latest Odisha News

BREAKING NEWS

ଭାରତର ଚମକୁଥିବା ହୀରା : ଓଡିଶାର ନୀଲମ ସଞ୍ଜୀପ ଖେସ

ହକି ବିଶ୍ୱକପ ୨୦୨୩ ଆରମ୍ଭ ହୋଇଛି । ଓଡିଶାରେ ଖେଳାଯାଉଥିବା ଏହି ମେଗା ଇଭେଂଟରେ ଭାରତ ୨-୦ ଗୋଲରେ ସ୍ପେନକୁ ପରାସ୍ତ କରି ବିଜୟ ଅଭିଯାନ ଆରମ୍ଭ କରିଛି । ୪୬ ବର୍ଷ ପରେ ଭାରତ ପୁନର୍ବାର ଚାମ୍ପିୟନ ହେବା ଲକ୍ଷ୍ୟରେ ପଡିଆକୁ ଓହ୍ଲାଇଛି । ଭାରତୀୟ ଟିମରେ ସ୍ଥାନ ପାଇଥିବା ୨ ଓଡିଆ ଅମିତ ରୋହିଦାସ ଓ ନୀଲମ ସଞ୍ଜୀପ ଖେସ ଭାରତ ବିଜୟରେ ମୂଖ୍ୟ ଭୂମିକା ଗ୍ରହଣ କରିଛନ୍ତି । ଭାରତ ପାଇଁ ଦିୱାର ସାଜିଥିଲେ ନୀଲମ । ଯାହାଙ୍କ ଯୋଗୁ ସ୍ପେନ ଗୋଟିଏ ବି ଗୋଲ ସ୍କୋର କରିପାରି ନ ଥିଲା । ନୀଲମ ଆଜି ଦାଉ ଦାଉ ଚମକୁଛନ୍ତି । ତେବେ ଏଥିପାଇଁ ସେ ବହୁତ କଷ୍ଟ ସହିଛନ୍ତି । ବରଗଡର କାଡୁଆବାହଲରେ ଜନ୍ମ ଗ୍ରହଣ କରିଥିବା ନୀଲମ ପାରିବାରିକ ଆର୍ଥୀକ ଅସୁବିଧା ସତ୍ୱେ ୭ ବର୍ଷ ବୟସରୁ ହକି ଖେଳିବା ଆରମ୍ଭ କରିଥିଲେ । ସ୍କୁଲରେ ଭାଇ ଏବଂ ସାଙ୍ଗମାନଙ୍କ ସହ ହକି ଖେଳିବା ପରେ ଘରକୁ ଆସି ବାପାମାଆଙ୍କୁ ଚାଷ କାର୍ଯ୍ୟରେ ସହଯୋଗ କରନ୍ତି । ତାଙ୍କ ବାପା ଆଳୁ ଓ ଫୁଲକୋବି ଚାଷ କରି ପରିବାର ଭରଣ ପୋଷଣ କରିଥାନ୍ତି ।

ନୀଲମଙ୍କ ସ୍ୱପ୍ନ କିନ୍ତୁ ଭିନ୍ନ ଥିଲା । ରାତିରେ ଡିବିରର ଝାପସା ଆଲୁଅ ଏହାକୁ ଦାବୀ ପାରି ନ ଥିଲା । ସେ ଜିଦରେ ପରିଣତ ହୋଇଥିଲା । ସବୁ ପ୍ରକାର କଷ୍ଟ ସତ୍ୱେ ସେ ହକି ଖେଳି ଚାଲିଥିଲେ । ଫରୱାର୍ଡ ଖେଳାଳି ହେବା ପାଇଁ ସମସ୍ତଙ୍କ ଆଗ୍ରହ ଥିବା ଦେଖି ସେ ପିଲାବେଳୁ ଡିଫେଣ୍ଡର ହେବେ ବୋଲି ସ୍ଥିର କରିଥିଲେ । ହକି ଭୂସ୍ୱର୍ଗ କୁହା ଯାଉଥିବା ସୁନ୍ଦରଗଡରେ କଳାକୁ ଚିହ୍ନିବାରେ ସେଠାକାର ଲୋକ ଭୁଲ କରନ୍ତି ନାହିଁ । ସେମାନେ ବି ନୀଲମଙ୍କୁ ଉତ୍ସାହିତ କରିଥିଲେ । ୨୦୧୦ରେ ସୁନ୍ଦରଗଡ ସ୍ପୋର୍ଟ୍ସ ହଷ୍ଟେଲ ପାଇଁ ତାଙ୍କର ଚୟନ ହୋଇଗଲା । ଆଉ ଏହା ପରେ ସେ ଆଉ ପଛକୁ ଚାହିଁ ନ ଥିଲେ । ଜୁନିୟର ବିଭାଗରେ ଚମତ୍କାର କରି ଚୟନ କମିଟିଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଏବେ ସେ ଭାରତୀୟ ଟିମର ଦିୱାର ସାଜିଛନ୍ତି । ଧୈର୍ଯ୍ୟ ସହକାରେ ପ୍ରତିଦ୍ୱନ୍ଦ୍ୱୀଙ୍କଠାରୁ ବଲ ଛଡାଇନେବା ଓ ରୋକିବା ତାଙ୍କୁ ଅନ୍ୟମାନଙ୍କଠାରୁ ଭିନ୍ନ କରିଥାଏ । ଭାରତର ପରବର୍ତୀ ମ୍ୟାଚଗୁଡିକରେ ନୀଲମ କମାଲ କରିବେ ବୋଲି ଓଡିଶା ହକିପ୍ରେମୀ ଆଶାୟୀ ଅଛନ୍ତି ।

Comments are closed.