Latest Odisha News

BREAKING NEWS

କେନ୍ଦୁଝରରେ ମୁଖ୍ୟ ଶାସନ ସଚିବ, ଚଳିତ ବର୍ଷାଋତୁରେ କାର୍ଯ୍ୟକ୍ଷମ ହେବ କାନପୁର ଡ୍ୟାମ୍

ଭୁବନେଶ୍ୱର: କେନ୍ଦୁଝର ଜିଲ୍ଲା ଗସ୍ତ କରି ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର । ରାଉଲକେଲାରୁ କେନ୍ଦୁଝର ଆସିବା ରାସ୍ତାରେ ରାଜମୁଣ୍ତରୁ ରିମିଳି ପର୍ଯ୍ୟନ୍ତ ଜାତୀୟ ରାଜପଥର ନିର୍ମାଣ କାର୍ଯ୍ୟର କ୍ଷେତ୍ରୀୟ ପରିଦର୍ଶନ ସହ ସମୀକ୍ଷା କରିଥିଲେ । ସେହିଭଳି ମୁଖ୍ୟ ଶାସନ ସଚିବ ଯୋଡା ଗସ୍ତ କରି ଯୋଡା-ବାମେବାରୀ ରାସ୍ତାରେ ନିର୍ମାଣଧିନ ଯୋଡା ଫ୍ଲାଇ ଓଭର କାର୍ଯ୍ୟର ସମୀକ୍ଷା କରିଥିଲେ ।

ପ୍ରକଳ୍ପର ଅଗ୍ରଗତି ନେଇ ଥିବା ଅବରୋଧକୁ ହଟାଇବା ପାଇଁ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ଏବଂ ଆସନ୍ତା ଅକ୍ଟୋବର ସୁଦ୍ଧା ଏହାର କାର୍ଯ୍ୟ ଶେଷ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଏହାଦ୍ବାରା ଯୋଡା ସହରରେ ଟ୍ରାଫିକ ସମସ୍ୟା ସମାଧାନ ହୋଇପାରିବ ବୋଲି ସେ ମତବ୍ୟକ୍ତ କରିଥିଲେ ।

ଏହାପରେ କାନପୁର ଜଳସେଚନ ପ୍ରକଳ୍ପର ବିଭିନ୍ନ ଅଂଶର ନିର୍ମାଣ କାର୍ଯ୍ୟର ଅନୁଧ୍ୟାନ କରିଥିଲେ । ଏହାର କାର୍ଯ୍ୟ ଚଳିତ ବର୍ଷ ଜୁନ ମାସ ଶେଷ କରିବା ସହ ଆସନ୍ତା ବର୍ଷା ଋତୁରେ ଡ୍ୟାମ ପାଣି ବନ୍ଦ କରି ଜଳସେଚନ କରାଯିବ । ଏହାଦ୍ବାରା ୪ଟି ବୃହତ ଜଳସେଚନ ପ୍ରକଳ୍ପ କାର୍ଯ୍ୟକ୍ଷମ ହୋଇପାରିବା ସହ ୨୨୦୦ ହେକ୍ଟର ଚାଷଜମିକୁ ଜଳସେଚିତ କରାଯାଇପାରିବ । ଏତଦବ୍ୟତୀତ କାନପୁର ଜଳସେଚନ ପ୍ରକଳ୍ପର ତଳପାର୍ଶ୍ବରେ ନିର୍ମାଣଧିନ ପୋଲର ତିନି ଲେନ କାର୍ଯ୍ୟ ଆସନ୍ତା ଫେବ୍ରୁଆରୀ ସୁଦ୍ଧା ଶେଷ କରି ଟ୍ରାଫିକ ଚଳାଚଳ ବ୍ୟବସ୍ଥା କରିବାକୁ ସେ ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ପରେ ସର୍କିଟ ହାଉସଠାରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ଆନନ୍ଦପୁର ବ୍ୟାରେଜର କାମ ଏହିବର୍ଷ ସୁଦ୍ଧା ଶେଷ କରିବାକୁ ଶ୍ରୀ ମହାପାତ୍ର ପରାମର୍ଶ ଦେଇଛନ୍ତି । ଏହାଦ୍ବାରା ବୈତରଣୀ ନଦୀର ଉଭୟ ପାର୍ଶ୍ବର ପ୍ରାୟ ୧୭ ହଜାର ହେକ୍ଟର ଜମିରେ ଜଳସେଚନ କରାଯାଇ ପାରିବ । ଏତଦବ୍ୟତୀତ ବିଦ୍ୟାଧରପୁର ଲିଙ୍କ କେନାଲ କାର୍ଯ୍ୟ ଆସନ୍ତା ୬ ମାସରେ କାର୍ଯ୍ୟ ଶେଷ କରିବା ପାଇଁ ସେ ପରାମର୍ଶ ଦେଇଛନ୍ତି । ଉଭୟ କାନପୁର ଡ୍ୟାମ ଏବଂ ଆନନ୍ଦପୁର ବ୍ୟାରେଜ କାର୍ଯ୍ୟକ୍ଷମ ହେଲେ କେନ୍ଦୁଝର ଜିଲ୍ଲାରେ ଜଳସେଚନକୁ ନେଇ ଥିବା ଅଧିକାଂଶ ସମସ୍ୟା ସମାଧାନ ହୋଇପାରିବ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି ।

ସରକାରଙ୍କ ଅନୁଦାନରେ କାର୍ଯ୍ୟକାରୀ ହେଉଥିବା ଅନ୍ୟାନ୍ୟ ଗୁରୁତ୍ବପୂର୍ଣ୍ଣ ପ୍ରକଳ୍ପ,ଡି.ଏମ୍.ଏଫ ଏବଂ ଓମ୍ବାସିଡି ଅନୁଦାନରେ କାର୍ଯ୍ୟକ୍ଷମ ପ୍ରକଳ୍ପର ମଧ୍ୟ ଶ୍ରୀ ମହାପାତ୍ର ସମୀକ୍ଷା କରିବା ସହ ଖୁବଶୀଘ୍ର ଶେଷ କରିବାକୁ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

ମୁଖ୍ୟ ଶାସନ ସଚିବଙ୍କ ଏହି ଗସ୍ତ ସମୟରେ ଜିଲ୍ଲାପାଳ ଶ୍ରୀ ଆଶିଷ ଠାକରେ, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ତଥା ନିର୍ବାହୀ ଅଧିକାରୀ ଶ୍ରୀ ବିଷ୍ଣୁପ୍ରସାଦ ଆଚାର୍ଯ୍ୟ,ଓବିସିସିର ନିର୍ବାହୀ ଯନ୍ତ୍ରୀ ଶ୍ରୀ ନରସିଂହ ମହାନ୍ତ, ବିଭାଗୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.