ବ୍ରହ୍ମପୁର: ଗଞ୍ଜାମ ଜିଲା କେ. ନୂଆଗାଁ ଥାନା ଅନ୍ତର୍ଗତ ଚୌଧୁରୀ ଟିକରପଡା ଗ୍ରାମର ଦିବ୍ୟାଙ୍ଗ ଯୁବତୀ ବିଷ୍ଣୁପ୍ରିୟା ସାହୁ(୩୧)ହତ୍ୟା ଘଟଣାର ପର୍ଦ୍ଦାଫାସ ହୋଇଛି। ମୃତ ବିଷ୍ଣୁପ୍ରିୟାଙ୍କ ପଡୋଶୀ ଘର ଜଣେ ମହିଳା ହିଁ ଏହି ହତ୍ୟା ଘଟଣାର ମାଷ୍ଟରମାଇଣ୍ଡ। ମହିଳାଙ୍କ ସହ ଗ୍ରାମର ଜଣେ ଯୁବକଙ୍କ ମଧ୍ୟରେ ଥିବା ପରକୀୟା ପ୍ରୀତିକୁ ବିଷ୍ଣୁପ୍ରିୟା ଦେଖିଦେଇଥିବାରୁ ତାଙ୍କ ମୁହଁରେ ତକିଆ ପକାଇ ଶ୍ବାସରୁଦ୍ଧ କରି ମାରି ଦିଆଯାଇଥିଲା ବୋଲି ପୋଲିସ ତରଫରୁ ସୂଚନା ଦିଆଯାଇଛି। ଗିରଫ ଅଭିଯୁକ୍ତମାନେ ହେଲେ ଗ୍ରମାର ରୁବିତା ଅଧିକାରୀ(୪୫) ଓ ଗ୍ରାମର ଯୁବକ ପଦ୍ମନ ସାହୁ(୩୦)।
ବ୍ରହ୍ମପୁର ଏସ୍ପି ଡା. ସର୍ବଣା ବିବେକ ଏମ୍ ବୁଧବାର ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଯେ, ଚୌଧୁରୀ ଟିକରପଡା ଗ୍ରାମର ବାସୁ ସାହୁଙ୍କ ଦିବ୍ୟାଙ୍ଗ ଝିଅ ବିଷ୍ଣୁପ୍ରିୟାଙ୍କ ମୃତଦେହ ଗତ ୯ ତାରିଖରେ ପଡୋଶୀ ଘର ବାରଣ୍ଡାରୁ ମିଳିଥିଲା। ସେ ଘରୁ ନିଖୋଜ ହେବାର ଗୋଟିଏ ଦିନ ପରେ ତାଙ୍କ ଶବ ମିଳିଥିଲା। ଖବରପାଇ କେ. ନୂଆଗାଁ ପୋଲିସ ଏବଂ ବ୍ରହ୍ମପୁର ଏସପି ଘଟଣାସ୍ଥଳକୁ ଯାଇ ତଦନ୍ତ କରିଥିଲେ। ସନ୍ଧାନୀ କୁକୁର ଓ ସାଇଣ୍ଟିଫିକ ଦଳ ପହଞ୍ଚି ଘଟଣାସ୍ଥଳରୁ ବିଭିନ୍ନ ସାମଗ୍ରୀ ଜବତ କରିଥିଲା।
ତଦନ୍ତ ବେଳେ ଅଭିଯୁକ୍ତ ରୁବିତା ଓ ପଦ୍ମନଙ୍କ ମଧ୍ୟରେ ଥିବା ଅନୈତିକ ସଂପର୍କ ବିଷୟରେ ସୁରାକ୍ ମିଳିଥିଲା। ମୃତ ବିଷ୍ଣୁପ୍ରିୟା ୮୦ ପ୍ରତିଶତ ମାନସିକ ଭିନ୍ନକ୍ଷମ। ସବୁ ରାତିରେ ସେ ସମ୍ମୁଖ ଘରେ ରହୁଥିବା ସାନ ଭଉଣୀଙ୍କ ଘରକୁ ଶୋଇବାକୁ ଯାଉଥିଲେ। ୮ ତାରିଖ ରାତିରେ ମଧ୍ୟ ବିଷ୍ଣୁପ୍ରିୟା ଭଉଣୀ ଘରକୁ ଶୋଇବାକୁ ଯାଉଥିଲେ। ଏହି ସମୟରେ ପଦ୍ମନ ରୁବିତାଙ୍କ ଘରକୁ ଯାଉଥିବା ସେ ଦେଖିଦେଇଥିଲେ। ଉଭୟଙ୍କ ଅନୈତିକ ସମ୍ପର୍କ ବିଷୟରେ ଜାଣିପାରିଥିଲେ। ବିଷ୍ଣୁପ୍ରିୟା ଏବିଷୟରେ କାହାକୁ କହିଦେବେ ବୋଲି ଆଶଙ୍କା କରି ତାଙ୍କୁ ରାସ୍ତାରୁ ହଟାଇଦେବାକୁ ଯୋଜନା କରିଥିଲେ। ରୁବିତା କୌଶଳ କ୍ରମେ ବିଷ୍ଣୁପ୍ରିୟାଙ୍କୁ ନିଜ ଘରକୁ ଡାକିଥିଲେ। ଖଟ ଉପରେ ଶୋଇବା ପରେ ମୁହଁରେ ତକିଆ ଦେଇ ମାଡି ବସିଥିଲେ। ଏଥିରେ ପଦ୍ମନ ସହଯୋଗ କରିଥିଲେ। ବିଷ୍ଣୁପ୍ରିୟାଙ୍କ ମୃତ୍ୟୁ ପରେ ପରଦିନ ଦିନତମାମ୍ ଶବ ଘର ଭିତରେ ଲୁଚାଇ ଥିଲେ। ରାତି ୧୧ଟା ବେଳେ ପଡୋଶୀ ଗୋବିନ୍ଦ ସାହୁଙ୍କ ଘର ପଛପଟ ବାରଣ୍ଡାରେ ପକାଇ ଦେଇଥିଲେ। ପର ଦିନ ରୁବତା ଗାଁ ଛାଡି ଚାଲି ଯାଇଥିଲେ ।
ରୁବିତା ଭୁବେନଶ୍ବରରେ ରହୁଥିବା ବେଳେ ମଝିରେ ମଝିରେ ଗାଁକୁ ଆସୁଥିଲେ। ପୁଲିସ ତଦନ୍ତ ବେଳେ ରୁବିତାଙ୍କ ଉପରେ ସନ୍ଦେହ କରି ତାଙ୍କୁ କାବୁ କରି ପଚରାଉଚରା କରିଥିଲା। ଏହାପରେ ପଦ୍ମନଙ୍କୁ କାବୁ କରାଯାଇଥିବା ଏସ୍ପି ସୂଚନା ଦେଇଛନ୍ତି। ରୁବିତାଙ୍କ ଘରୁ ମୃତ ବିଷ୍ଣୁପ୍ରିୟାଙ୍କ ଭଙ୍ଗା ଚୁଡି, ଚୁଟି ବନ୍ଧା କ୍ଲିପ ସହ ବେଡ ଉପରେ ପଡିଥିବା ରକ୍ତଭିଜା ତକିଆ ଖୋଳ, ବେଡସିଟ୍ ଆଦି ଜବତ କରାଯାଇଛି ବୋଲି ସେ କହିଛନ୍ତି।
Comments are closed.