Latest Odisha News

BREAKING NEWS

ଭୁବନେଶ୍ୱରରେ ରୋଜଗାର ମେଳାରେ ନିଯୁକ୍ତି ପତ୍ର ବାଣ୍ଟିଲେ କେନ୍ଦ୍ରମନ୍ତ୍ରୀ

ଭୁବନେଶ୍ୱର: ରାଜଧାନୀ ସ୍ଥିତ ସିଏସଆଇଆର-ଆଇଏମଏମଟି ଠାରେ ଶୁକ୍ରବାର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରୋଜଗାର ମେଳାର ତୃତୀୟ ସଂସ୍କରଣର ଶୁଭାରମ୍ଭ କରିବା ସହ ଭାରତ ସରକାରଙ୍କ ବିଭିନ୍ନ ବିଭାଗରେ ୧୨୮ ଜଣ ନବନିଯୁକ୍ତ ଯୁବକ ଯୁବତୀଙ୍କୁ ନିଯୁକ୍ତି ପତ୍ର ବିତରଣ କରିଛନ୍ତି । ନିଯୁକ୍ତି ପାଇ ନୂତନ ଜନ ସେବକ ହେବା ପାଇଁ ପ୍ରସ୍ତୁତ ଯୁବବର୍ଗଙ୍କୁ ସେ ଅଭିନନ୍ଦନ ଜଣାଇବା ସହ କହିଛନ୍ତି ଯେ ଗତ ଅଗଷ୍ଟ ୧୫ ତାରିଖ ସ୍ୱାଧୀନତା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ମୋଦି ଦେଶକୁ ବିକଶିତ କରିବା ପାଇଁ ଆହ୍ୱାନ କରିଛନ୍ତି ।

ରୋଜଗାର ମେଳା ମାଧ୍ୟମରେ ନିଯୁକ୍ତି ହୋଇଥିବା ଯୁବକ ଯୁବତୀମାନେ ଅମୃତ କାଳରେ ସୈନିକ ଭାବରେ କାମ କରନ୍ତୁ । ଦେଶର ସ୍ୱତନ୍ତ୍ରତା ସଂଗ୍ରାମ ସମୟରେ ସେ ସମୟରେ ଯୁବପିଢିଙ୍କ ଉପରେ ଯେତେ ଦାୟିତ୍ୱ ଥିଲା, ତା’ ଠାରୁ ଅଧିକ ଦାୟିତ୍ୱ ଆଜିର ନବନିଯୁକ୍ତ ଯୁବପିଢିଙ୍କ କାନ୍ଧରେ ନ୍ୟସ୍ତ ରହିଛି । ଯେତେବେଳେ ଆମେ ନିଜର ଦାୟିତ୍ୱ ନେବା ସେତେବେଳେ ତା’ର ଗୁରୁତ୍ୱ ଓ ଭୂମିକା ବୁଝିପାରିବା । କେବଳ ଚାକିରି କରିବା ମନବୃତ୍ତିରେ ନ ରହି ଯୁବପିଢିମାନେ ଉଦ୍ୟମୀ ହୁଅନ୍ତୁ । ସମାଜରେ ଓ୍ୱଲେଥ୍ କ୍ରିଏସନ କରିବା ପାଇଁ ହେବ । ଏଥିପାଇଁ ମହତ୍ୱକାଂକ୍ଷା ବଡ ହେଉ, ମହତ ଉଦ୍ଦେଶ୍ୟରେ ହେଉ । ସମାଜରେ ସମ୍ପନ୍ନ ଆଣିବା ପାଇଁ ଆମକୁ କାଟାଲିଷ୍ଟ ହେବାକୁ ପଡିବ ।

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ ପ୍ରଧାନମନ୍ତ୍ରୀଙ୍କ ନୀତି ଓ ଦୂରଦୃଷ୍ଟି କାରଣରୁ ଆଜି ଦେଶରେ ଯୁବପିଢିଙ୍କ ରୋଜଗାର, ସ୍ୱରୋଜଗାର ଓ ଟେଲି ଯୋଗାଯୋଗ କ୍ଷେତ୍ରରେ ନୂଆ ପରିଭାଷା ତିଆରି ହୋଇଛି । ପ୍ରଥମେ ସ୍ୱଦେଶୀ ୫ଜି ପରେ ଏବେ ଆଇଆଇଟି ମାଡ୍ରାସ ସ୍ୱଦେଶୀ ମୋବାଇଲ ଅପରେଟିଂ ସିଷ୍ଟମ ‘BharOS’ ପ୍ରସ୍ତୁତ କରିଛି । ଏହା ହେଉଛି ଆମ ଯୁବକ ମାନଙ୍କର ନବସୃଜନର ପରାକାଷ୍ଠା । ଆଗାମୀ ଦିନରେ ବିଶ୍ୱ ବଜାରରେ ଆମର ଉତ୍ପାଦକୁ ବିକ୍ରି କରିବାର ଦିନ ଆଉ ବେଶୀ ଦୂର ନୁହେଁ । ଆଜି ଭାରତ ସରକାର ପିଏଲଆଇ ମାଧ୍ୟମରେ ଯୁବପିଢିଙ୍କ ରୋଜଗାର ଓ ସ୍ୱରୋଜଗାର କ୍ଷେତ୍ରକୁ ସଶକ୍ତ କରୁଛନ୍ତି । ଏକବିଂଶ ଶତାବ୍ଦୀକୁ ଦୃଷ୍ଟିରେ ରଖି ଢାଞ୍ଚା ତିଆରି ହେଉଛି । ଓଡ଼ିଶାର କୃଷି ଉତ୍ପାଦ ବିଶ୍ୱ ବଜାରରେ ପହଞ୍ଚାଇବାର ଯୋଜନା ହେଉଛି । ଓଡ଼ିଶା ଭଳି ରାଜ୍ୟରେ ବିମାନସେବା ଭିତ୍ତିଭୂମିକୁ ମଜବୁତ୍ କରାଯାଇଛି । ଭୁବନେଶ୍ୱର ଉପକଣ୍ଠରେ ପ୍ରାୟ ୧୦୦ କିମିରୁ ଉର୍ଦ୍ଧ୍ୱ ୮ ରୁ ୧୦ ହଜାର କୋଟି ଟଙ୍କା ଖର୍ଚ୍ଚ କରି କ୍ୟାପିଟାଲ ଜୋନ୍ ରିଙ୍ଗ ରୋଡ୍ ତିଆରି କରାଯାଉଛି । ଓଡ଼ିଆ ଯୁବକଙ୍କର ବୌଦ୍ଧିକ କ୍ଷମତା କାରଣରୁ ବୈଶ୍ୱିକ କମ୍ପାନୀ ଗୁଡିକ ଓଡ଼ିଶା ମୁହାଁ ହେଉଛନ୍ତି ।

ବିକଶିତ ରାଷ୍ଟ୍ରର ଅଭିବୃଦ୍ଧି ହ୍ରାସ ପାଇଥିବା ବେଳେ ଅନେକ ପ୍ରତିକୂଳ ସ୍ଥିତିରେ ଥାଇ ସତ୍ତ୍ୱେ ଭାରତର ଅଭିବୃଦ୍ଧି ୬ ରୁ ୭ ପ୍ରତିଶତରେ ପହଞ୍ଚିଛି । ଟିକସରେ ଅଭିବୃଦ୍ଧି ପରିଲିକ୍ଷିତ ହୋଇଛି । ଭାରତର ଲୋକମାନେ ଟ୍ୟାକ୍ସ ଦେବା ପାଇଁ ଉତ୍ସାହିତ ଅଛନ୍ତି । ଭାରତ ଯୁବଶକ୍ତିଙ୍କ କାନ୍ଧରେ ଭରସା ରଖି ଅଗ୍ରସର ହେଉଛି । ପୂର୍ବରୁ ଆମେ କଲ୍ ସେଣ୍ଟରର କଳ୍ପନାକୁ ବୁଝିପାରୁଥିଲେ । ମାତ୍ର ଏବେ ଭାରତରେ ରହି ଆମ ଯୁବକ ମାନେ ଇଣ୍ଟରନେଟ୍ ମାଧ୍ୟମରେ ଆମେରିକାରେ ହୋଟେଲ ଶିଳ୍ପର କାମ କରିପାରିବାର ସମ୍ଭାବନା ରହିଛି ।

ପ୍ରଧାନମନ୍ତ୍ରୀ ଚଳିତବର୍ଷ ୧୦ ଲକ୍ଷ ଯୁବକ ଯୁବତୀଙ୍କୁ ସ୍ଥାୟୀ ନିଯୁକ୍ତି ଦେବା ପାଇଁ ନିଷ୍ପତି ନେଇଛନ୍ତି । ଶୁକ୍ରବାର ଦେଶରେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ୭୧ ହଜାର ଜଣଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରାଯାଇଛି । ଭୁବନେଶ୍ୱରରେ ରୋଜଗାର ମେଳା ମାଧ୍ୟମରେ ରେଳ ବିଭାଗ ସହ ଆସାମ ରିଫାଇଲ୍ସ, ଇନକମ ଟ୍ୟାକ୍ସ, ଷ୍ଟାଟିଟିକ୍ସ, ଆଇଆଇଟି ଭୁବନେଶ୍ୱର, ଇପିଏଫଓ, ଭାରତୀୟ ଡାକ, ନାଲକୋ, ଇଏସଆଇସି,ବିଏସଏଫ, ସେଲ୍, ଏସଏଲବିସି, ଏବଂ ଜିଏସଟି ଓ ଇନଡାରେକ୍ଟ ଟାକ୍ସ ବିଭାଗରେ ୧୨୮ ଜଣ ନିଯୁକ୍ତି ପାଇଛନ୍ତି । ଏହି ପଦକ୍ଷେପ ପାଇଁ କେନ୍ଦ୍ରମନ୍ତ୍ରୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କୃତଜ୍ଞତା ଜଣାଇଛନ୍ତି ।

Comments are closed.