ନୂଆଦିଲ୍ଲୀ/ଭୁବନେଶ୍ୱର: ନୂଆଦିଲ୍ଲୀଠାରେ ଭାରତ ମଣ୍ଡପମ୍ଠାରେ ଆୟୋଜିତ ‘ଭାରତ ନବୀକରଣୀୟ ଶକ୍ତି ସମ୍ମିଳନୀ ଓ ପ୍ରଦର୍ଶନୀ (Bharat Renewable Energy Summit & Expo) ୨୦୨୬’ ଅବସରରେ ‘‘ଓଡ଼ିଶାରେ ନବୀକରଣୀୟ ଶକ୍ତି କ୍ଷେତ୍ରରେ ପୁଞ୍ଜିନିବେଶର ସୁଯୋଗ’’ ଶୀର୍ଷକ ଓଡ଼ିଶା ରାଜ୍ୟସ୍ତରୀୟ ଅଧିବେଶନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉଦ୍ବୋଧନ ଦେଇଛନ୍ତି। ଏହି କାର୍ଯ୍ୟକ୍ରମରେ ଓଡ଼ିଶା ୧୮ଟି ବୁଝାମଣାପତ୍ର (ଏମ୍ଓୟୁ) ସ୍ବାକ୍ଷର କରିବା ସହ ପ୍ରାୟ ₹୧,୧୭,୫୫୭ କୋଟି ଟଙ୍କାର ପୁଞ୍ଜିନିବେଶ ପ୍ରସ୍ତାବ ହାସଲ କରିଛି। ଏହି ପ୍ରକଳ୍ପଗୁଡ଼ିକ ମାଧ୍ୟମରେ ରାଜ୍ୟର ଅକ୍ଷୟ ଶକ୍ତି କ୍ଷେତ୍ରରେ ପ୍ରାୟ ୧୧,୭୪୨ ମେଗାୱାଟ୍ ବିଦ୍ୟୁତ୍ ଉତ୍ପାଦନ କ୍ଷମତା ଯୋଡ଼ିହେବ।
ସ୍ୱଚ୍ଛ ଶକ୍ତି ଉତ୍ପାଦନ କ୍ଷେତ୍ରରେ ଏତେ ବଡ ପୁଞ୍ଜିନିବେଶକୁ ସ୍ୱାଗତ କରି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ଅବସରରେ କହିଛନ୍ତି ଯେ, ଆଜିର ଦିନଟି ହେଉଛି ସ୍ୱଚ୍ଛ ଶକ୍ତି କ୍ଷେତ୍ରରେ ଓଡିଶା ପାଇଁ ଏକ ଐତିହାସିକ କ୍ଷଣ (Watershed Moment)। ସ୍ୱଚ୍ଛ ଶକ୍ତି କ୍ଷେତ୍ରରେ ଆତ୍ମନିର୍ଭର ହେବା ପାଇଁ ମାନ୍ୟବର ପ୍ରଧାନମନ୍ତ୍ରୀ ଯେଉଁ ଲକ୍ଷ୍ୟ ରଖିଛନ୍ତି ତାହା ପୂରଣ କରିବା ଦିଗରେ ଓଡିଶା ଏକ ମହତ୍ତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଏହି ପୁଞ୍ଜିନିବେଶ ମୁଖ୍ୟତଃ ପମ୍ପଡ୍ ଷ୍ଟୋରେଜ୍, ସୌର ଓ ପବନ ଶକ୍ତି, ହାଇବ୍ରିଡ୍ ଅକ୍ଷୟ ଶକ୍ତି, ବ୍ୟାଟେରୀ ଷ୍ଟୋରେଜ୍, ଗ୍ରୀନ୍ ହାଇଡ୍ରୋଜେନ୍, ଗ୍ରୀନ୍ ଡାଟା ସେଣ୍ଟର ଏବଂ ଅନ୍ୟାନ୍ୟ ଉଦୀୟମାନ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ବିନିଯୋଗ ହେବ। ଓଡ଼ିଶାରେ ଶକ୍ତି ଭିତ୍ତିଭୂମି ପାଇଁ ୧୬ ହଜାର କୋଟି ଟଙ୍କାର ନିବେଶ ରହିଛି। ଏହି କାର୍ଯ୍ୟକ୍ରମରେ ମାନ୍ୟବର କେନ୍ଦ୍ର ନୂତନ ଓ ନବୀକରଣୀୟ ଶକ୍ତି ମନ୍ତ୍ରୀ ଶ୍ରୀ ପ୍ରହ୍ଲାଦ ଯୋଶୀ ମଧ୍ୟ ସମ୍ମାନିତ ଅତିଥି ଭାବେ ଉପସ୍ଥିତ ଥିଲେ ।
୨୦୪୭ ମସିହାକୁ ଲକ୍ଷ୍ୟରେ ରଖି ରାଜ୍ୟର ଦୀର୍ଘମିଆଦୀ ଦୃଷ୍ଟିକୋଣ ଉପସ୍ଥାପନ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଓଡ଼ିଶାକୁ ଏକ ପ୍ରମୁଖ ସ୍ୱଚ୍ଛ ଶକ୍ତି ପୁଞ୍ଜିନିବେଶର ଗନ୍ତବ୍ୟସ୍ଥଳ ଭାବେ ଗଢ଼ିତୋଳିବା, ଦେଶର ଶ୍ରେଷ୍ଠ ପାଞ୍ଚଟି ବିଦ୍ୟୁତ୍ ରପ୍ତାନିକାରୀ ରାଜ୍ୟ ମଧ୍ୟରେ ସ୍ଥାନ ହାସଲ କରିବା ଏବଂ ପୂର୍ବ ଭାରତର ଏକ ପ୍ରମୁଖ ସ୍ୱଚ୍ଛ ଶକ୍ତି କେନ୍ଦ୍ର ଭାବେ ଓଡ଼ିଶାକୁ ପ୍ରତିଷ୍ଠିତ କରିବା ରାଜ୍ୟ ସରକାରଙ୍କ ଲକ୍ଷ୍ୟ ।
ନବୀକରଣୀୟ ଶକ୍ତି କ୍ଷେତ୍ରରେ ପୁଞ୍ଜିନିବେଶକୁ ଅଧିକ ପ୍ରୋତ୍ସାହନ ଦେବା ନିମନ୍ତେ ଏକ ସ୍ଥିର ଓ ପୂର୍ବାନୁମାନଯୋଗ୍ୟ ନୀତି ବ୍ୟବସ୍ଥା, ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ପ୍ରକଳ୍ପଗୁଡ଼ିକର ଅନୁମୋଦନ ଏବଂ ସୁଦୃଢ଼ ବିଦ୍ୟୁତ୍ ପରିବହନ ଭିତ୍ତିଭୂମି ଯୋଗାଇଦେବା ପାଇଁ ରାଜ୍ୟ ସରକାର ପ୍ରତିବଦ୍ଧ ବୋଲି ସେ ଉଲ୍ଲେଖ କରିଥିଲେ । ଏଥି ସହ ଓଡ଼ିଶାରେ ରହିଥିବା ବିପୁଳ ସ୍ୱଚ୍ଛ ଶକ୍ତି ସମ୍ଭାବନାର ସଦୁପଯୋଗ କରିବା ନିମନ୍ତେ ଶିଳ୍ପ ଜଗତର ନେତୃବୃନ୍ଦ ଓ ନିବେଶକମାନଙ୍କୁ ଓଡ଼ିଶା ସହ ଭାଗୀଦାର ହେବାକୁ ସେ ଆହ୍ୱାନ ଜଣାଇଥିଲେ ।
