ନୂଆଦିଲ୍ଲୀ: ନ୍ୟୁଜିଲାଣ୍ଡ ବିପକ୍ଷ ଦିନିକିଆ ସିରିଜ ପୂର୍ବରୁ ଅକଲାଣ୍ଡରେ ଭାରତୀୟ ଦଳ ଜୋରଦାର ଅଭ୍ୟାସ କରୁଛି। ତେବେ ଏହି ଅଭ୍ୟାସ ସମୟରେ ବିରାଟ କୋହଲି ଏବଂ ରୋହିତ ଶର୍ମାଙ୍କ ମଧ୍ୟରେ ଏକ ମଜାଦାର ଘଟଣା ଦେଖିବାକୁ ମିଳିଛି। ଜଣେ ନେଟ ବୋଲର ବ୍ୟାଟ ମାଗିବାରୁ ବିରାଟ କିପରି ରୋହିତଙ୍କୁ ଫସାଇଥିଲେ ତାହା ଏବେ କ୍ରିକେଟ ପ୍ରେମୀଙ୍କ ମଧ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି।
ସୂଚନା ଅନୁଯାୟୀ ଅକଲାଣ୍ଡରେ ଉଭୟ ଖେଳାଳି ନେଟ୍ସରେ ବ୍ୟାଟିଂ ଅଭ୍ୟାସ କରୁଥିଲେ। ଅଭ୍ୟାସ ବେଳେ ଜଣେ ନେଟ ବୋଲର ରୋହିତ ଶର୍ମାଙ୍କୁ ଗୋଟିଏ ବ୍ୟାଟ ମାଗିଥିଲେ। କିନ୍ତୁ ହିଟମ୍ୟାନ ବ୍ୟାଟ ଦେବାକୁ ସିଧାସଳଖ ମନା କରିଦେଇଥିଲେ। ଏହାପରେ ସେହି ବୋଲର ଜଣକ ବିରାଟ କୋହଲିଙ୍କ ପାଖକୁ ଯାଇ ବ୍ୟାଟ ମାଗିଥିଲେ। କିନ୍ତୁ ବିରାଟ ବ୍ୟାଟ ନଦେଇ ଏକ ମଜାଳିଆ କଥା କହିଥିଲେ। ମୋ ପାଖରେ ଅଧିକ ବ୍ୟାଟ ନାହିଁ ବରଂ ରୋହିତଙ୍କ ପାଖରେ ବହୁତ ବ୍ୟାଟ ଅଛି ବୋଲି ବିରାଟ କହିଥିଲେ।
ଏତିକିରେ ଅଟକି ନଥିଲେ ବିରାଟ। ସେ ନେଟ ବୋଲରଙ୍କୁ କହିଥିଲେ ଯେ ଆସ ଆମେ ଗୋଟିଏ ବାଜି ଲଗାଇବା। ମୋର ଏବଂ ରୋହିତଙ୍କ ମଧ୍ୟରୁ ଯାହା ପାଖରେ ଅଧିକ ବ୍ୟାଟ ଥିବ ସେ ତୁମକୁ ଗୋଟିଏ ବ୍ୟାଟ ଦେବ। ବିରାଟଙ୍କ ଏହି କଥା ଶୁଣି ରୋହିତ ସେଠାରୁ ହସି ହସି ଉଠି ଯାଇଥିଲେ ଏବଂ ସମସ୍ତେ ମିଶି କେବଳ ମୋତେ ହିଁ ଫସାଉଛନ୍ତି ବୋଲି କହିଥିଲେ।
ସାଧାରଣତଃ ଭାରତୀୟ ଖେଳାଳିମାନେ ଘରୋଇ ସିରିଜ ବେଳେ ଯୁବ ଖେଳାଳି କିମ୍ବା ନେଟ ବୋଲରଙ୍କୁ ନିଜ ବ୍ୟାଟ ଉପହାରରେ ଦେଇଥାନ୍ତି। କିନ୍ତୁ ବିଦେଶ ଗସ୍ତରେ ଖେଳାଳିମାନେ ନିଜ ସହିତ ବହୁତ ବ୍ୟାଟ ନେଇ ଯାଉଥିଲେ ମଧ୍ୟ ସେଥିରୁ କେବଳ ଚାରି କିମ୍ବା ପାଞ୍ଚଟି ବ୍ୟାଟରେ ଖେଳିବାକୁ ପସନ୍ଦ କରନ୍ତି। ତେଣୁ ବିଦେଶ ମାଟିରେ ନିଜ ବ୍ୟାଟ ଦେବାକୁ ସେମାନେ ସେତେଟା ଆଗ୍ରହ ଦେଖାନ୍ତି ନାହିଁ।
ଆଗାମୀ ପାଞ୍ଚ ଟିକିଆ ଦିନିକିଆ ସିରିଜରେ ରୋହିତ ଏବଂ ବିରାଟଙ୍କ ଉପରେ ସମସ୍ତଙ୍କ ନଜର ରହିବ। ଉଭୟ ଅଭିଜ୍ଞ ଖେଳାଳିଙ୍କ ପାଇଁ ଏହା ଶେଷ ନିଉଜିଲାଣ୍ଡ ଗସ୍ତ ହୋଇପାରେ। ତେବେ ନ୍ୟୁଜିଲାଣ୍ଡ ମାଟିରେ ରୋହିତଙ୍କ ରେକର୍ଡ ସେତେଟା ଭଲ ନାହିଁ। ସେ ସେଠାରେ ୧୩ଟି ଦିନିକିଆ ପାଳି ଖେଳି ୩୬ ଦଶମିକ ୪ ହାରରେ ୪୩୭ ରନ ସଂଗ୍ରହ କରିଛନ୍ତି ଏବଂ ଗୋଟିଏ ବି ଶତକ ହାସଲ କରିପାରି ନାହାନ୍ତି।
ଅନ୍ୟପକ୍ଷରେ ବିରାଟ ମଧ୍ୟ ନିଜ ଦକ୍ଷତା ଅନୁଯାୟୀ ସେଠାରେ ଉନ୍ନତ ପ୍ରଦର୍ଶନ କରିପାରି ନାହାନ୍ତି। ସେ ୧୩ଟି ମ୍ୟାଚରୁ ୪୯ ଦଶମିକ ୬୬ ହାରରେ ୫୯୬ ରନ କରିଛନ୍ତି। ଯେଉଁଥିରେ ଗୋଟିଏ ଶତକ ଏବଂ ଚାରୋଟି ଅର୍ଦ୍ଧଶତକ ସାମିଲ ଅଛି। ଏହି ଗୁରୁତ୍ୱପୂର୍ଣ୍ଣ ସିରିଜରେ ଉଭୟ ଖେଳାଳି ନିଜର ଶ୍ରେଷ୍ଠ ପ୍ରଦର୍ଶନ ଦେଇ ଦଳକୁ ବିଜୟୀ କରାଇବାକୁ ଚେଷ୍ଟା କରିବେ।
