Latest Odisha News

BREAKING NEWS

ଭାଷା ଭାଗବତ : ଚିରାଚରିତ କଥା

ପ୍ରଫୁଲ୍ଲ କୁମାର ତ୍ରିପାଠୀ ଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’

ସଭିଏଁ ପ୍ରତ୍ୟେକଂକ ପାଇଁ
ପ୍ରତ୍ୟେକେ ସଭିଂକୁ ମିଶାଇ
କରିପାରିଲେ କାର୍ଯକ୍ରମ
ଏ ବିଶ୍ବ ହେବ ମନୋରମ

ଅଥଚ ଏଠି ପ୍ରତି ବ୍ୟକ୍ତି
ନିଜର ସ୍ବାର୍ଥ ପାଇଁ ଶକ୍ତି,
ସଂବଳ କରେ ବିନିଯୋଗ
ଏହା ହିଁ ବିଶ୍ୱର ଦୁର୍ଯୋଗ

ଧନୀ ଓ ନିର୍ଧନ ମଧ୍ୟରେ
ଜ୍ଞାନୀ ଓ ଅଜ୍ଞାନ ମଧ୍ୟରେ
ରହିଛି ଖୁବ୍‌ ବଡ଼ ଖାଇ
କାହାକୁ ଦେଖା ଯାଉନାହିଁ

ପ୍ରତ୍ୟେକେ ହେଲେ ସ୍ବାର୍ଥପର
ଉନ୍ନତି ଦେଶ କି ବିଶ୍ବର
କିପରି ହେବ ଜଣା ନାହିଁ
କେହି ନୁହଂତି କାହା ପାଇଁ

ଦେଶ, ଦେଶ ଓ ବ୍ୟକ୍ତି, ବ୍ୟକ୍ତି
ରହଂତି ବିବାଦରେ ମାତି
ସମସ୍ୟା ହେଉନାହିଁ ଅଂତ
ଚାଲିଛି କେବଳ ତଦଂତ

ବିଶ୍ବରେ ଏତେ ଜ୍ଞାନ ଥାଇ
କେହି ପ୍ରୟୋଗ କରୁନାହିଁ
ତେଣୁ ଏପରି ଦୁରବସ୍ଥା
ଏଠି ଚିରାଚରିତ କଥା

ସରଳ ସାଦା ସିଧା କଥା
ନ କହି ମଣିଷ ଅଯଥା
ପ୍ରସଂଗ କରେ ବିଶ୍ଳେଷଣ
ମିଳେନି ସ୍ଥିର ସମାଧାନ

ସମୃଦ୍ଧିଶାଳୀ ଆମ ବିଶ୍ୱ
କ୍ରମଶଃ ହେଉଅଛି ନିଃସ୍ବ
ସଭିଂକୁ ସବୁ କିଛି ଜଣା
ତଥାପି ଲୋକେ ବାଟବଣା

Comments are closed.