Latest Odisha News

BREAKING NEWS

ଯୋଡ଼ି ହୋଇ ରହୁ ଭାରତ

ବିଚିତ୍ର ବିଶ୍ୱାଳଙ୍କ ନିୟମିତ ସ୍ତମ୍ଭ : ‘ସମୟର ସ୍ୱର’… 

ଦେଶର ପ୍ରକୃତ ବିକାଶ କେବଳ ଭିତ୍ତିଭୂମିର ଉନ୍ନତି ଓ ଅର୍ଥନୈତିକ ପ୍ରଗତି ଉପରେ ନିର୍ଭର କରେନାହିଁ । ଦେଶର ଲୋକମାନଙ୍କ ମଧ୍ୟରେ ଶାନ୍ତିପୂର୍ଣ୍ଣ ସହାବସ୍ଥାନ ବିନା ପ୍ରକୃତ ବିକାଶ ସମ୍ଭବ ନୁହେଁ । ଶାନ୍ତିପୂର୍ଣ୍ଣ ସହାବସ୍ଥାନ ପାଇଁ ଆମ ଦେଶର ଜନ ସାଧାରଣ ପରଷ୍ପର ସହିତ ସ୍ନେହଁ, ପ୍ରେମ ଓ ଭାଇଚାରାର ଭାବନାରେ ଯୋଡ଼ି ହୋଇ ରହିବା ଅତ୍ୟନ୍ତ ଜରୁରୀ । ନହେଲେ ହିଂସା ଓ ଘୃଣାର ବଣିକମାନେ ଲୋକମାନଙ୍କୁ ଭାଗ ଭାଗ କରିବା ପାଇଁ ଯେପରି ଭାବେ ଚେଷ୍ଟା କରୁଛନ୍ତି, ତାର ଶିକାର ବନିଯିବାକୁ ବେଶି ସମୟ ଲାଗିବ ନାହିଁ । ମିଛ ଓ ଅର୍ଦ୍ଧସତ୍ୟ ତତ୍ତ୍ୱ, ଭୂଲ୍ ତଥ୍ୟ ଆଦି ଧରି ସେମାନେ ପ୍ରତି ମୂହୁର୍ତ୍ତରେ ବିଷର ମଞ୍ଜି ବୁଣିବାରେ ଲାଗିଛନ୍ତି । ସାମାନ୍ୟ ଅସାବଧାନ ହେଲେ, ଧର୍ମ, ଜାତି, ବର୍ଗ ଆଦିକୁ ନେଇ ଖଣ୍ଡ ଖଣ୍ଡ ହେବାକୁ ବେଶି ଡେରି ହେବ ନାହିଁ । ତେଣୁ ପ୍ରତିକାର ସ୍ୱରୁପ ଆମ ଦେଶ ଭାରତ ଯୋଡ଼ି ହୋଇରହିବା ଜରୁରୀ । କେବଳ ଦେଶର ଭୂଗୋଳ ନୁହେଁ ଜନସାଧାରଣଙ୍କ ମନ ବି ।

ବିବିଧତା ମଧ୍ୟରେ ଏକତାର ଦେଶ ଭାରତ ବର୍ଷ । ଅନେକ ବିବିଧତା ସତ୍ତ୍ୱେ ଏକତା ହିଁ ଆମର ବିଶେଷତ୍ୱ । କିନ୍ତୁ ସମ୍ପ୍ରତି କିଛି ବର୍ଷ ହେବ ଦେଖାଯାଉଛି ଯେ, ଏକ ନିର୍ଦ୍ଦିଷ୍ଟ ଗୋଷ୍ଠୀ ଉଦ୍ଦେଶ୍ୟମୂଳକ ଭାବେ ସାରା ଦେଶରେ ଘୃଣା ଓ ହିଂସାର ବାତାବରଣକୁ ଉସ୍‌କେଇବାରେ ଲାଗିଛନ୍ତି । ସେହି ଗୋଷ୍ଠୀର ଆଇ.ଟି. ସେଲ୍ ଏହି କାମକୁ ଅତ୍ୟନ୍ତ ନିଷ୍ଠାର ସହିତ କରି ଲୋକମାନଙ୍କ ମନରେ ଘୃଣାର ମଞ୍ଜି ବୁଣୁଛନ୍ତି । ଆଜିକାଲି ସମସ୍ତଙ୍କ ହାତରେ ମୋବାଇଲ୍ ଓ ସେଥିରେ ସଂଯୋଗ ହୋଇଛି ଇଣ୍ଟରନେଟ୍ ।

ସକାଳୁ ସକାଳୁ ଫେସ୍‌ବୁକ୍ କିମ୍ବା ହ୍ୱାଟ୍‌ସଆପ ଖୋଲୁ ଖୋଲୁ ଆପଣଙ୍କ ଆଖି ସାମ୍‌ନାରେ ଭାସି ଉଠିବ ଏକାଧିକ ଉଦ୍ଦେଶ୍ୟମୂଳକ ବାର୍ତ୍ତା । ଯେଉଁଥିରେ କେଉଁ ଧର୍ମ ବା ବର୍ଗକୁ ଛୋଟ କରି ଦେଖେଇବାର କୁତ୍ସିତ ପ୍ରୟାସ କରାଯାଉଛି କିମ୍ବା ଏକାଧିକ ମିଛ ଭିତ୍ତିହୀନ ମନ୍ତବ୍ୟ ମାଧ୍ୟମରେ ଅନ୍ୟ ଧର୍ମାବଲମ୍ବୀମାନଙ୍କୁ ଘୃଣା କରିବା ପାଇଁ ଭରପୁର ମସଲା ଯୋଗେଇ ଦିଆଯାଉଛି । ପରିଣାମ ସ୍ୱରୁପ ବିନା କାରଣରେ ତଥା ବିବେକଶୁନ୍ୟ ଭାବେ ଆମେ ଅନ୍ୟ ଧର୍ମକୁ ଓ ଧର୍ମାବଲମ୍ବୀମାନଙ୍କୁ ଘୃଣା କରୁଛେ ଓ ସେମାନଙ୍କ ବିରୁଦ୍ଧରେ କଟୁ ମନ୍ତବ୍ୟ ପ୍ରଦାନ କରୁଛେ । ନିଜର ଧର୍ମକୁ ସମ୍ମାନ ଦେବା ବା ମାନିବାରେ କୌଣସି ଅସ୍ୱାଭିକତା ନାହିଁ । କିନ୍ତୁ ନିଜ ଧର୍ମକୁ ଭଲପାଇବା ସହିତ ଅନ୍ୟ ଧର୍ମକୁ ଓ ଧର୍ମାବଲମ୍ବୀମାନଙ୍କୁ ଘୃଣା କରିବାରେ ହିଁ ଅସଲ ବିପଦ । ଏପରି ଭାବନା ହିଁ ଜନ୍ମ ଦିଏ ଭୟ, ହିଂସା ଓ ଅଶାନ୍ତି । ଏହା ହିଁ ଚାହାଁନ୍ତି ସେହି ନିର୍ଦ୍ଦିଷ୍ଟ ଗୋଷ୍ଠୀ ଓ ସେଥିପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରି ସେମାନେ କାମରେ ଲଗେଇଛନ୍ତି ଆଇ.ଟି. କୁଲିମାନଙ୍କୁ । ସେମାନଙ୍କର ଟାର୍ଗେଟ୍ ଆମ ଦେଶର କୋଟି କୋଟି ସାଧାରଣ ଲୋକ । ଯେଉଁମାନେ ଆଜି ପର୍ଯ୍ୟନ୍ତ ଅନ୍ୟ ଧର୍ମ ଓ ବର୍ଗର ଲୋକମାନଙ୍କ ସହିତ ସ୍ନେହଁ, ପ୍ରେମ ଓ ଭାଇଚାରାର ଭାବନା ନେଇ ବଞ୍ଚି ଆସିଛନ୍ତି । ଏହି ସ୍ନେହଁ, ପ୍ରେମ ଓ ଭାଈଚାରା ଭାବନା ହିଁ ସେମାନଙ୍କ ଉଦ୍ଦେଶ୍ୟ ହାସଲ ରାସ୍ତାରେ ମୂଖ୍ୟ ପ୍ରତିବନ୍ଧକ । ସେଥିପାଇଁ ସେମାନେ ଫୁଙ୍କି ଫୁଙ୍କି ଜଳେଇବାକୁ ଚେଷ୍ଟା
କରୁଛନ୍ତି ଘୃଣା, ଭୟ ଓ ହିଂସାର ନିଆଁକୁ । କେବଳ ସେମାନଙ୍କ ଆଇ.ଟି. ସେଲ୍ ନୁହେଁ, ସେମାନଙ୍କ ପୁଞ୍ଜିରେ ପ୍ରତିପାଳିତ ଗଣମାଧ୍ୟମ ଗୋଷ୍ଠୀ ମଧ୍ୟ ଆମ ଦେଶର ଭାଈଚାରା ଭାବନାକୁ ପ୍ରତି ମୂହୁର୍ତ୍ତରେ ହତ୍ୟା କରିବାକୁ ଚେଷ୍ଟିତ ।

 

ଆମ ଭିତରୁ ଅନେକଙ୍କର ଅନ୍ୟ ଧର୍ମ ବା ଧର୍ମାବଲମ୍ବୀଙ୍କ ବିଷୟରେ କୌଣସି ବି ପ୍ରତ୍ୟେକ୍ଷ ଧାରଣା ତଥା ଅଭିଜ୍ଞତା ନାହିଁ । କିନ୍ତୁ ପରିସ୍ଥିତି ଏପରି ହୋଇଯାଇଛି ଯେ, ପାଟି ଖୋଲିବା ମାତ୍ରେ ଆମେ ଅନ୍ୟ ଧର୍ମର ଲୋକମାନଙ୍କୁ ଗାଳି କରିବାକୁ ପଛାଉ ନାହେଁ । ଆମେ ଜାଣିନେ ଗାଳି କରୁଛେ କାହିଁକି । କେବଳ ଏକ ଧାରାରେ ପଡ଼ି ଅଭ୍ୟାସଗତ ଭାବେ ଆମେ ଗାଳି କରୁଛେ । ଏହି ଧାରା ତିଆରି କରିବା ପାଇଁ ପ୍ରକୃତରେ ସେହି ନିର୍ଦ୍ଦିଷ୍ଟ ଗୋଷ୍ଠୀ ଅନେକ ଦିନ ଧରି ଭିନ୍ନ ଭିନ୍ନ ସଙ୍ଗଠନ ମାଧ୍ୟମରେ ଚେଷ୍ଟା କରି ଚାଲୁଛନ୍ତି । ପାଞ୍ଚଶହ ବର୍ଷ ତଳେ କୌଣସି ଅନ୍ୟ ଧର୍ମାବଲମ୍ବୀ ଗୋଷ୍ଠୀର ରାଜା ମହାରାଜା ଆମ ଭୂଖଣ୍ଡ ଉପରେ ଆକ୍ରମଣ କରିଥିଲେ ବୋଲି ଏବେ ଆମେ ସେହି ଧର୍ମାବଲମ୍ବୀମାନଙ୍କ ରକ୍ତର ପିପାସୁ ହୋଇପଡ଼ିବା କେତେ ଦୂର ସମୀଚିନ! କଥାରେ କଥାରେ ସେମାନଙ୍କୁ ଗାଳି କରିବା କଣ ଯୁକ୍ତିଯୁକ୍ତ! ଏପରି ଭାବନାରେ ରହିଲେ ସମାଜରେ କେବଳ ଘୃଣା, ଭୟ ଓ ହିଂସା ହିଁ ବଢ଼ିବ । ମଣିଷ କେବେହେଲେ ଶାନ୍ତିର ସହିତ ବଞ୍ଚିପାରିବ ନାହିଁ । ଆମ ସମସ୍ତଙ୍କର ଗୋଟେ ଅତୀତ ଅଛି । ଅତୀତ ପାଇଁ ବର୍ତ୍ତମାନକୁ ନଷ୍ଟ କରିବା କେବେ ବି ବୁଦ୍ଧିମାନର କାମ ନୁହେଁ । ଅତୀତର ପ୍ରତିଶୋଧ ପାଇଁ ଆମେ ଯଦି ବର୍ତ୍ତମାନ ହିଂସାର ରାସ୍ତା ଆପଣେଇବା, ତେବେ ଭବିଷ୍ୟତରେ ଆମର ଦାୟାଦ ମାନଙ୍କ ଉପରେ ବି କେହି ପୁଣି ଥରେ ଅତୀତର ଦ୍ୱାହି ଦେଇ ହିଂସା କରିବ । ପରିଣାମ ହେବ କେବଳ ଘୃଣା, ହିଂସା, ଭୟ ଓ ଅଶାନ୍ତି ।

ଦୁର୍ଭାଗ୍ୟର ବିଷୟ ଯେ, ସେହି ଗୋଷ୍ଠୀ ନିଜ ରାଜନୈତିକ ଉତ୍‌ଥାନ କେବଳ ଘୃଣା ଓ ହିଂସାର ରାସ୍ତା ଦେଇ ହିଁ ଦେଖନ୍ତି ।

ସମ୍ପ୍ରତି ଧର୍ମର ସୁରକ୍ଷା ନାଁ’ରେ ଅନ୍ୟ ଧର୍ମର ଲୋକମାନଙ୍କୁ ଜାଣି ଜାଣି ଟାର୍ଗେଟ୍‌ କରାଯାଉଛି । କିନ୍ତୁ ଅସଲରେ ଏହା ଦ୍ୱାରା କାହାରି ବି ସୁରକ୍ଷା ହୋଇପାରିବ ନାହିଁ । ଘୃଣା ଓ ହିଂସା ଦ୍ୱାରା କେବେ ବି କିଛି ବି ସୁରକ୍ଷା ହୋଇପାରିବ ନାହିିଁ । କେବଳ ଅସୁରକ୍ଷା ଭାବନା ହିଁ ବଢ଼ିବ । ସେହି ନିର୍ଦ୍ଦିଷ୍ଟ ଗୋଷ୍ଠୀର ଲୋକମାନେ କ୍ଷମତାର ଶିଢ଼ିରେ ଉପରକୁ ଉପରକୁ ଚଢ଼ିବେ ଓ ସାଧାରଣ ଲୋକମାନେ ନିଜ ଜୀବନ ଜୀବିକା ଆଦି ପ୍ରସଙ୍ଗକୁ ପଛ କରି ଅନ୍ଧ ଭଳି ଧର୍ମ, ସମ୍ପରଦାୟକୁ ନେଇ ନିଜ ନିଜ ଭିତରେ ଘୃଣା ଓ ଲଢ଼େଇରେ ମସ୍ତ ରହିବେ । ଯାହା କ୍ଷମତାରେ ଚୌକି ସହିତ ସେମାନଙ୍କୁ ଅଠା ଭଳି ଯୋଡ଼ି ହୋଇ ରହିବାରେ ସାହାଯ୍ୟ କରିବ । ସାଧାରଣ ଲୋକମାନଙ୍କର ଅସହାୟତା ବୃଦ୍ଧି ପାଇବ । ଘୃଣା, ଭୟ ଓ ହିଂସାକୁ ବଢ଼େଇବାର ଧାରା ଏବେ ଏତେ ତଳକୁ ଗଲାଣି ଯେ, ଜାଣି ଜାଣି କିଛି ନିର୍ଦ୍ଦିଷ୍ଟ କଳାକାରଙ୍କ ଫିଲ୍ମକୁ ବଏକଟ୍ କରାଯିବାର ଟ୍ରେଣ୍ଡ ଆରମ୍ଭ ହୋଇଛି । ଲୋକମାନଙ୍କୁ ବିଭିନ୍ନ ଉପାୟରେ ବାଧ୍ୟ କରାଯାଉଛି ସେମାନଙ୍କର ଫିଲ୍ମ ନଦେଖିବାକୁ । ଯଦି କିଏ ଦେଖୁଛି, ତାକୁ ଦେଶଦ୍ରୋହୀ ନହେଲେ ଧର୍ମଦ୍ରୋହୀର ଆଖ୍ୟା ଦିଆଯାଉଛି । ଏତଦ୍‌ବ୍ୟତୀତ ଯେତେବେଳେ କୌଣସି ଜଘନ୍ୟ ଅପରାଧ ଘଟୁଛି, ସେତେବେଳେ ଅପରାଧର ଗୁରୁତ୍ୱ ଅପେକ୍ଷା ପ୍ରଥମେ ଅପରାଧୀର ଧର୍ମକୁ ଦେଖାଯାଉଛି । ଅପରାଧୀର ଧର୍ମ ହିସାବରେ ସେହି ଅପରାଧ ଘଟଣାକୁ ବଢ଼େଇ ଚଢ଼େଇ ପ୍ରଚାର କରାଯାଉଛି ନହେଲେ ଦବେଇ ଦିଆଯାଉଛି ।

 

ଏକ ସମାନ ପ୍ରକାର ଅପରାଧରେ ଅପରାଧୀର ଧର୍ମକୁ ଦେଖି ଆମ ଗଣମାଧ୍ୟମ ପ୍ରତିକ୍ରିୟାର ତୀବ୍ରତା ନିର୍ଣ୍ଣୟ କରୁଛି । କାରଣ ସ୍ପଷ୍ଟ । କିପରି ଭାବେ ଅଧିକରୁ ଅଧିକ ଭାବେ ଦେଶରେ ଘୃଣା ଓ ହିଂସାର ବାତାବରଣକୁ ବଢ଼େଇ ହେବ ଓ ଲୋକମାନଙ୍କ ମଧ୍ୟରେ ଭୟର ଭାବନାକୁ ବୃଦ୍ଧି କରିହେବ । କେବଳ ଫିଲ୍ମ କଳାକାର ନୁହଁନ୍ତି, ଲେଖକ, କବି ଆଦି ସମସ୍ତଙ୍କୁ ସେମାନଙ୍କ ଧର୍ମ ହିସାବରେ ନହେଲେ ରାଜନୈତିକ ବିଚାର ଆଧାରରେ ଟାର୍ଗେଟ୍ କରାଯାଉଛି । ସବୁଠାରୁ ବଡ଼ ଖେଳ କରାଯାଉଛି, ସାଧାରଣ ଲୋକମାନଙ୍କୁ ଧର୍ମ, ସମ୍ପ୍ରଦାୟ , ଜାତି ଓ ବର୍ଗ ନାଁ’ରେ ଭାଗ ଭାଗ କରିବାକୁ । ଏହି ଖେଳକୁ ସେହି ନିର୍ଦ୍ଦିଷ୍ଟ ଗୋଷ୍ଠୀ ଅତ୍ୟନ୍ତ ଚତୁରତାର ସହିତ ଖେଳୁଛି । ଫଳରେ ମିଳିମିଶି ଭାଇଚାରା ଭାବନାରେ ବଞ୍ଚି ଆସୁଥିବା ଲୋକମାନେ ସମ୍ପ୍ରତି ପରସ୍ପରଙ୍କ ଧର୍ମକୁ ନେଇ ନିନ୍ଦା ଅପବାଦ ଦେବାରେ ଲାଗୁଛନ୍ତି । କୌଣସି କାରଣ ନଥାଇ ବି ଜଣେ ଅନ୍ୟ ଜଣଙ୍କ ଧର୍ମକୁ ନୀଚା ଦେଖାଉଛି । ଏହା ଦ୍ୱାରା ଧର୍ମର ସୁରକ୍ଷା ହେଉଛି ନା ଧର୍ମର ଅପବ୍ୟବହାର କରାଯାଉଛି! ଅସଲରେ ସେହି ନିର୍ଦ୍ଦିଷ୍ଟ ଗୋଷ୍ଠୀ ଧର୍ମ ନାମରେ ଲୋକମାନଙ୍କୁ ଭାଗ ଭାଗ କରି ନିଜ ପତିଆରା ବଢ଼େଇ ରାଜନୈତିକ ରୁଟି ସେକିବାକୁ ଚାହୁଁଛି । ସେଥିପାଇଁ ଜନସାଧାରଣଙ୍କୁ ହୁସିଆର ହେବାକୁ ହେବ ।

ସେମାନଙ୍କ ଭାଗ ଭାଗ କରିବା ତଥା ଘୃଣା ଓ ହିଂସାର ଖେଳରୁ ଦେଶକୁ ବଞ୍ଚେଇବା ପାଇଁ ଲୋକମାନଙ୍କ ଭିତରେ ସ୍ନେହଁ, ପ୍ରେମ ଓ ଭାଈଚାରାର ଭାବନାକୁ ବଢ଼େଇବାକୁ ପଡ଼ିବ । ସେମାନେ ପଛେ ଯେତେ ଯେତେ ଭାରତକୁ ଭାଙ୍ଗିବାକୁ ଚାହାଁନ୍ତୁ ସାଧାରଣ ଲୋକମାନଙ୍କୁ ଭାରତକୁ ଯୋଡ଼ିବାକୁ ପ୍ରୟାସ କରିବାକୁ ପଡ଼ିବ । କାରଣ ଭାରତ ତଥା ଆମ ଦେଶର ଲୋକମାନେ ପରଷ୍ପରଙ୍କ ସହିତ ଯୋଡ଼ି ହୋଇ ରହିଲେ ହିଁ ଶାନ୍ତିପୂର୍ଣ୍ଣ ସହାବସ୍ଥାନ ସମ୍ଭବ । ଶାନ୍ତିପୂର୍ଣ୍ଣ ସହାବସ୍ଥାନ ହିଁ ଏକ ସମୃଦ୍ଧ ଜୀବନ ଦେଇପାରିବ । ଭାରତ ଯୋଡ଼ି ହୋଇ ରହିବା ଅର୍ଥ କେବଳ ଚାଇନା କି ପାକିସ୍ତାନ କବଳରୁ ଆମ ଭୂଖଣ୍ଡକୁ ସୁରକ୍ଷା ଦେବା ନୁହେଁ, ସମ୍ରଦାୟିକ ଗୋଷ୍ଠୀ ତଥା ଧର୍ମର ବେପାରୀମାନଙ୍କ କବଳରୁ ଲୋକଙ୍କ ଭାଇଚାରା ଭାବନାକୁ ସୁରକ୍ଷା ଦେବା ହିଁ ଅସଲ ଦେଶର ସୁରକ୍ଷା ।

ଭିରଙ୍ଗ, ତିରଣ, ଜଗତ୍‌ସିଂହପୁର-
୭୫୪୧୩୮
ମୋ- ୯୪୩୮୪୬୮୪୭୪

Leave A Reply

Your email address will not be published.