Latest Odisha News

କାହିଁକି ବିଜେପି ଛାଡିବେ ଗିରିଧର ଗମାଙ୍ଗ, ଜବାବ ସୁଆଲରେ କହିଲେ ଶିଶିର

ଜବାବ ସୁଆଲ: ଓଡ଼ିଶା ବିଜେପିର ଅସନ୍ତୁଷ୍ଟ ନେତା କୁହାଯାଉଥିବା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗ ଏବଂ ତାଙ୍କ ପୁଅ ଶିଶିର ଗମାଙ୍ଗ ତେଲେଙ୍ଗାନା ରାଷ୍ଟ୍ର ସମିତି ବା ଭାରତ ରାଷ୍ଟ୍ର ସମିତିରେ ଯୋଗ ଦେବେ। ଯଦିଓ ତାରିଖ କେବେ କହି ନାହାନ୍ତି ହେଲେ ଉଭୟ ବିଆରଏସରେ ଯୋଗ ଦେବେ ନେଇ ଇସାରା ଦେଇଛନ୍ତି। ତେବେ କେଉଁ କାରଣ ପାଇଁ ବିଜେପି ଛାଡୁଛନ୍ତି ଏବଂ କଂଗ୍ରେସ ଛାଡିଥିଲେ ସେ ନେଇ ଶିଶିର ଗମାଙ୍ଗ ସନ୍ଦୀପଙ୍କ ସହ ଜବାବ ସୁଆଲରେ ଉତ୍ତର ରଖିଛନ୍ତି

ସେ କହିଛନ୍ତି, ସେ ଓ ତାଙ୍କ ବାପା ବିଆରଏସର ମୁଖ୍ୟ ତଥା ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେସିଆରଙ୍କୁ ଭେଟିଥିଲେ। ଏହି ସମୟରେ ଓଡ଼ିଶା ବାବଦରେ ସେ ଆଲୋଚନା କରିଥିଲେ। କେସିଆରଙ୍କର ଓଡ଼ିଶା ବାବଦରେ ଗଭୀର ଜ୍ଞାନ ରହିଛି ବୋଲି ଶିଶିର କହିଛନ୍ତି। ତେବେ ବିଜେପି ଛାଡିବା ପଛର କାରଣ ଦଳରେ ଥିବା ଅସନ୍ତୋଷ ବୋଲି କହିଛନ୍ତି।

କଂଗ୍ରେସରେ ଥିବା ବେଳେ ରାହୁଲ ଗାନ୍ଧୀଙ୍କୁ ଉଭୟ ଭେଟିଥିଲେ। ହେଲେ ରାହୁଲ ଗାନ୍ଧୀ ସମସ୍ୟା ବୁଝିପାରୁନଥିଲେ। ତେଣୁ ଉଭୟ ଦଳର ଭବିଷ୍ୟତ ଏବଂ ନିଜର ଭବିଷ୍ଯତ ବାବଦରେ ଚିନ୍ତା କରି କଂଗ୍ରେସ ଛାଡିଥିଲେ। ଆଉ ବିଜେପିରେ ସାମିଲ ହୋଇଥିଲେ। ବିଜେପିରେ ଯୋଗ ଦେବା ବେଳେ ସେତେବେଳର ବିଜେପି ସଭାପତି ଅମିତ ଶାହ, ସାଂସଦ ଜୁଏଲ ଓରାମ, ଧର୍ମେନ୍ଦ୍ର ପ୍ରଧାନ ଉପସ୍ଥିତ ଥିଲେ। ସେତେବେଳେ ଗିରିଧର କୋରାପୁଟ ସାଂସଦ ଆସନ ପାଇଁ ସର୍ତ୍ତ ରଖିଥିଲେ। ଆଉ ସମସ୍ତେ ହଁ ମାରିଥିଲେ ବୋଲି ଶିଶିର ଗମାଙ୍ଗ କହିଛନ୍ତି।

ହେଲେ ଏହାପରେ ଜୟରାମ ପାଙ୍ଗୀ ବିଜେଡି ଛାଡି ବିଜେପିରେ ସାମିଲ ହୋଇଥିଲେ। ଯାହାକୁ ନେଇ ଗମାଙ୍ଗ ବାପ-ପୁଅ ଅସୁରକ୍ଷିତ ମନେ କରିଥିଲେ। କାରଣ ପାଙ୍ଗୀ ଏବଂ ଗମାଙ୍ଗଙ୍କ ମଧ୍ୟରେ ରାଜନୈତିକ ଶତ୍ରୁତା ବା ପ୍ରତିଦ୍ୱନ୍ଦିତା ରହିଛି। ତେଣୁ ଏପରି ସ୍ଥିତିରେ ଉଭୟ ଅସନ୍ତୁଷ୍ଟ ହୋଇଥିଲେ। ଏହାପରେ ସଙ୍ଗେସଙ୍ଗେ 2019ରେ ଗୁଣୁପୁର ଆସନ ପାଇଁ ଟିକେଟ୍ ମିଳିଥିଲା ବୋଲି ଶିଶିର ଗମାଙ୍ଗ କହିଛନ୍ତି। ଯିଏକି ନିର୍ବାଚନରେ ଚତୁର୍ଥ ସ୍ଥାନରେ ଥିଲେ।

ତେବେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଧନ୍ୟବାଦ ଦେଇଛନ୍ତି। ମୋଦୀଙ୍କ ଗସ୍ତବେଳେ ତାଙ୍କ ବାପା ଗିରିଧରଙ୍କୁ ଅନେକ ସମ୍ମାନ ଦେଇଛନ୍ତି। ଏମିତିକି ଦିଲ୍ଲୀରେ ମଧ୍ୟ ଅନେକ ପ୍ରକାର ସମ୍ମାନ ମିଳିଛି ବୋଲି ଶିଶିର କହିଛନ୍ତି।

ସେ କହିଛନ୍ତି, ରାଜ୍ୟ ବିଜେପିର ନେତା ଦିଲ୍ଲୀରେ ଅନେକ କିଛି ତଥ୍ୟ ଭୁଲ୍ ଦେଉଛନ୍ତି। ରାଜ୍ୟ ବିଜେପି ଯେଉଁଠି ହଜାର ହଜାରର ଦଳୀୟ କର୍ମୀଙ୍କ ତାଲିକା ଦେଉଛି ସେଠାରେ ଶହେରୁ ଅଧିକ କର୍ମୀ ପାଉ ନାହାନ୍ତି ବୋଲି ଶିଶିର କହିଛନ୍ତି। ଦଳକୁ ମଜବୁତ କରିବାକୁ ସେ ଅନେକ କଂଗ୍ରେସ କର୍ମୀଙ୍କୁ ଆଣି ବିଜେପିରେ ସାମିଲ କରାଇଥିଲେ। ହେଲେ ଦଳ ସେମାନଙ୍କୁ ବିଭିନ୍ନ କାରଣ ଦେଖାଇ ଗ୍ରହଣ କରିପାରିନଥିଲା ବୋଲି ଶିଶିର କହିଛନ୍ତି।

ପଞ୍ଚାୟତ ନିର୍ବାଚନ ପୂର୍ବରୁ ସେ ତାଙ୍କ ଅଞ୍ଚଳର ସମସ୍ୟା ବାବଦରେ ବିଜେପିର ରାଜ୍ୟ ନେତୃତ୍ବକୁ ଅବଗତ କରାଇଥିଲେ। ହେଲେ ଦଳ କୌଣସି ସମସ୍ୟାର ସମାଧାନ କରିନଥିଲା ବୋଲି ଶିଶିର କହିଛନ୍ତି।

 

 

Leave A Reply

Your email address will not be published.