ପ୍ରଫୁଲ୍ଲ କୁମାର ତ୍ରିପାଠୀ ଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’
ଅନ୍ୟର ଲୁହକୁ ଅତର
ବୋଲି ଯେ କରଇ ବିଚାର
ସେ ହିଁ କଂଦାଏ ଅହରହଃ
ତା’ଠାରୁ ନିଜ ଦୂରେ ରହ
ବଳବଂତ ହୁଏ ବିଜୟୀ
ସଂସାର ରୀତି ଅନୁଯାୟୀ
ଯୋଗ୍ୟତମର ଉଦ୍ବର୍ତନ
ଏହାର ନାମ ବିବର୍ତନ
ମଣିଷ ପ୍ରକ୍ରିୟା ସଂଭୂତ
ବୁଝେନି କିଛି ହିତାହିତ
ସୃଷ୍ଟିର ବିଧାନାନୁସାରେ
ବିଶ୍ବରେ ଜିଏଁ, ପୁଣି ମରେ
ମଣିଷ ଭାଷା ବ୍ୟବହାରୀ
ମିଛକୁ ସତ ପାରେ କରି
ଏହା ତ ଭାଷାର ଭେଳିକି
ସ୍ବୀକାର କରିବା ନାହିଁ କି ?
ଯାହା ବି ଯୋଗାଏ ପ୍ରକୃତି
ସବୁଥିରେ ଖୋଜିଲେ ଯୁକ୍ତି
ବ୍ୟକ୍ତି ହୁଅଇ ତର୍କଶୀଳ
ଦେଖାଏ ସ୍ବଭାଷାର ବଳ
ଏ ଏକ ଅଦ୍ଭୁତ ପ୍ରକ୍ରିୟା
କରୁଣା, କ୍ଷମା କିଂବା ଦୟା
ନୁହେ ଏହାର ଅଂତର୍ଗତ
ଏହା ହିଁ ସର୍ବମୂଳ ସତ୍ୟ
ଯାହା ବି ସତ୍ୟ, ବାସ୍ତବତା
ତହିଁରେ ମନଗଢ଼ା କଥା
ଯୋଡ଼ି କରିବା ମନୋରମ
ଅଭ୍ୟାସ ନୁହଇ ଉତ୍ତମ
କହିପାରୁଛୁଁ ବୋଲି କହୁଁ
ସତ୍ୟ, ଅସତ୍ୟ ଯାହା ହେଉ
ଏହା ତ ମଣିଷ ପ୍ରକୃତି
ନାହିଁ ନିର୍ମଳ ସତ୍ୟାସକ୍ତି
Comments are closed.