Latest Odisha News

ଅନୁବାଦ କବିତା : ଯିବା ମୁହୂର୍ତ୍ତରେ

ମୂଳ ବଙ୍ଗଳା : ଶ୍ୟାମସୁର ରାହମାନ

ମଣିଷଟେ ଯେତେ ବି ଖିଆଲି
ନିର୍ବିକାର ବା ଉଦାସୀ ହୋଇଥାଉ
ଯେତେବେଳେ ସେ ନିଜ ନିବାସ ଛାଡ଼ି
ଦୁରକୁ ବହୁ ଦୁରକୁ ଚାଲିଯାଏ
ଅବା ତାକୁ ଅନ୍ୟ କେଉଁ ଦେଶକୁ
ଯିବାକୁ ପଡ଼େ, ତେବେ ସେ
ମ୍ଳାନହସ ସହ କ’ଣ ଚିନ୍ତା କରେ
କହିବା ମୁସ୍କିଲ୍ ସତରେ।

ସେ କଣ ତାର ବିଷୟ ସମ୍ପତ୍ତି
ନେଇ ବିଶେଷ ବିଚଳିତ ହୋଇ ପଡ଼େ !
ଅଥବା ନିଜର ଭାବନା ସହିତ
ଯୋଡ଼ି ହୋଇ ରହିଥିବା
ତାର ଆସବାବ ପତ୍ର, ଦଲିଲ ଦସ୍ତାବିଜ
ସବୁକିଛି ଛାଡ଼ି ଛୁଡ଼ି ଦେଇ ଯିବାର
ଏକ ଭୀତ, ସନ୍ତ୍ରସ୍ତ, ବିଦାୟ ?
ନା ଭୟ, କେବଳ ନାମହୀନ ଭୟ ?

ନିଜ ବାସସ୍ଥାନ ଛାଡ଼ି ଯିବାର ମୁହୂର୍ତ୍ତରେ
କାହିଁକି କେଜାଣି ବାର ବାର ମନେ ପଡ଼େ
ଥାଳିଆରେ ରଖା କିଛି ଫୁଲ
ଚା ଚାମଚଟା ଷ୍ଟେନଲେସ ଷ୍ଟିଲର
ତାଲା, ଧୂପଦାନୀ, କବାଟର କଡ଼ା
ଆଉ ପିଞ୍ଜରା ଭିତରେ ଥିବା ପକ୍ଷୀଟିର
ବ୍ୟାକୁଳ, ନିୟନ୍ତ୍ରିତ ଫଡ଼ ଫଡ଼ ଉଡ଼ା
ଘର କୋଣରେ ରଖା ଘଡ଼ା
ଏମାନେ କେହି କେବେ ହେଲେ
ଜାଣିବେନି ସେ ଏମିତି
ସମ୍ବଳହୀନ ହୋଇ
କେଉଁଠିକି ଗଲା।

ଅନୁବାଦ : ମନୋରଞ୍ଜନ ହୋତା

Comments are closed.