Latest Odisha News

BREAKING NEWS

ଧାରାବାହିକ ଉପନ୍ୟାସ : ବେଳାଭୂମିର ଚିହ୍ନ (୨୭)

କନକ ମଞ୍ଜରୀ ପଟ୍ଟନାୟକଙ୍କ ଧାରାବାହିକ ଉପନ୍ୟାସ ‘ବେଳାଭୂମିର ଚିହ୍ନ’

ଆଜିକାଲି ତ ହୋଟେଲ, ରେଷ୍ଟୁରାଣ୍ଟ ସବୁ କୁଞ୍ଜ ରୂପଧାରଣ କରିଛି । ସହର ସଭ୍ୟତାରେ ବଢ଼ିଥିବା ଶକୁନ୍ତଳା ଆଜି କ୍ଲବକୁ ଆସିଥିବା ଦୁଷ୍ମନ୍ତର ଅଙ୍ଗୁଳୀରେ ପ୍ରୀତି ନିଦର୍ଶନୀ ମୁଦ୍ରିକା ପିନ୍ଧାଇ ଦେଉଛି । ତମେ ପଢ଼ିନ ଉଷା, କାଳିଦାସଙ୍କ ‘ଅଭିଜ୍ଞାନ ଶାକୁନ୍ତଳମ୍‌’ ?

ଚନ୍ଦ୍ରଭାନୁଙ୍କ କଥାର କଟାକ୍ଷ ଉଷାର ହୃଦୟକୁ ବିଦ୍ଧ କଲା । କିଛି କହିପାରିଲାନି ସେ । କେବଳ ତଳକୁ ମୁହଁ ପୋତି ବସିରହିଲା । ଚେୟାର ଉପରୁ ଉଠି ଚନ୍ଦ୍ରଭାନୁ ଦରଜା ବନ୍ଦ କଲେ । କାଳିଙ୍ଗା ଘାଟୀର ପାଦଦେଶରେ ପଲ୍ଲୀବାଳିକା ଉମାକୁ ଅଳ୍ପ ସମୟ ଭିତରେ ନିଜ ଆୟକୁ ଆଣିଥିବା କାମନାର କାରିଗର ଚନ୍ଦ୍ରଭାନୁ, ଇସ୍ପାତ ନଗରୀର ଶିକ୍ଷିତା, ଆଧୁନିକା ଉଷାକୁ ହୋଟେଲର ବନ୍ଦ କୋଠରୀ ଭିତରେ କରାୟ କରିବା ପାଇଁ ବେଶୀ ସମୟ ଲାଗିଲାନି ।

ସ୍ଥୂଳତଃ କହିବାକୁ ଗଲେ ସୁନ୍ଦରୀ ଯୁବତୀଟିଏ ନିକଟତର ହେଲେ ସେ ନିଜକୁ ଆୟରେ ରଖିପାରନ୍ତି ନାହିଁ । ଉଜେନାରେ ତାଙ୍କର ଅଙ୍ଗ ପ୍ରତ୍ୟଙ୍ଗ ଥରି ଉଠେ । ତେବେ ଉପଭୋଗ ପରେ ମଧ୍ୟ ତାଙ୍କ ଭିତରେ ଶୋଚନା ନଥାଏ । ବରଂ ନିଜ ପୌରୁଷକୁ ନେଇ ସେ ଗର୍ବ ଅନୁଭବ କରନ୍ତି । ଗୋଟିଏ ପରେ ଗୋଟିଏ
ଝିଅର ଯୌବନକୁ ଲୁଟି ନେଇ ମଧ୍ୟ ବାହାର ଦୁନିଆରେ ସେ ଅସମ୍ଭବ ଧରଣର ଭଦ୍ର ଓ ବିନୟ, ଶ୍ରଦ୍ଧାଶୀଳ ମଣିଷ ଭାବେ ମର୍ଯ୍ୟାଦା ପାଆନ୍ତି । ତାଙ୍କ ଜୀବନରେ କେତେବେଳେ କେଉଁଠି ଠକି ହେଇଥିବା ଝିଅମାନେ ଲଜ୍ଜାବଶତଃ ମୁହଁ ଖୋଲି ପାରନ୍ତି ନାହିଁ ।

ଚନ୍ଦ୍ରଭାନୁଙ୍କ ବ୍ୟକ୍ତିତ୍ୱର ଡିଣ୍ଡିମ ବାଜୁଥାଏ ।

ତାଙ୍କ କୃତବିଦ୍ୟପଣର ଭୁରି ଭୁରି ପ୍ରଶଂସା କାନରୁ କାନାନ୍ତର ହୋଇ ଚାଲେ । ତାଙ୍କ ସୌନ୍ଦର୍ଯ୍ୟକୁ ନେଇ ଯୁବତୀ ମହଲରେ ପ୍ରତିଯୋଗି ମାନସିକତା ମୁଣ୍ଡ ଟେକେ ।

କୁମାର ଚନ୍ଦ୍ରଭାନୁଙ୍କ ପାଇଁ ବିବାହର ଲମ୍ବା ତାଲିକା ବଢ଼ିଚାଲେ ।

Leave A Reply

Your email address will not be published.