Latest Odisha News

BREAKING NEWS

କେସିଆରଙ୍କ ମିଶନ ଓଡ଼ିଶା, କିଏ କିଏ ହେଲେ BRSରେ ସାମିଲ୍ ?

ଭୁବନେଶ୍ୱର: ଓଡ଼ିଶା ରାଜନୀତିରେ ହଲଚଲ୍ । ଏଣ୍ଟ୍ରି ମାରିଲେ କେସିଆର୍ । ୨୦୨୪ରେ ବଦଳିବ କି ଓଡ଼ିଶା ରାଜନୀତିର ଗତି ? ଚାଷୀ ବହୁଳ ରାଜ୍ୟ ଓଡ଼ିଶାରେ ପାଦ ଥାପିଛି କେସିଆରଙ୍କ ଦଳ ଭାରତ ରାଷ୍ଟ୍ର ସମିତି । ଶୁକ୍ରବାର ହାଇଦ୍ରାବାଦରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧାର ଗମାଙ୍ଗଙ୍କ ପରିବାର ସହ ଡଜନେରୁ ଅଧିକ ନେତା ବିଆରଏସରେ ସାମିଲ୍ ହୋଇଛନ୍ତି ।

ଗମାଙ୍ଗ ପରିବାର ସହ ଓଡ଼ିଶାର ଏକାଧିକ ପୂର୍ବତନ ବିଧାୟକ କେସିଆରଙ୍କ ଆମ୍ବାସଡରରେ ବସିଛନ୍ତି । କୋରାପୁଟରୁ, ଢେଙ୍କାନାଳ ଓ ମୟୂରଭଞ୍ଜର ନେତା ବିଆରଏସରେ ମିଶିଛନ୍ତି । ମିଶ୍ରଣ ପର୍ବରେ ଖୋଦ୍ କେସିଆର୍ ସବୁ ନେତାଙ୍କୁ ଦଳକୁ ସ୍ୱାଗତ କରି ଦଳର ଆଭିମୁଖ୍ୟ ନେଇ ଚର୍ଚ୍ଚା କରିବା ସହ ଦେଶର ସମ୍ପତ୍ତି କିଏ ଲୁଟୁଛି ବୋଲି ପ୍ରଶ୍ନ କରିଛନ୍ତି ।

କେ ଚନ୍ଦ୍ରଶେଖର ରାଓ କହିଛନ୍ତି, ଭାରତରେ ଆମେରିକା ଓ ଚୀନ ଠାରୁ ଅଧିକ ସମ୍ପତ୍ତି ରହିଛି । ଅଧିକ ସମ୍ପତ୍ତି ଥିବା ସତ୍ତ୍ୱେ ଆମେ ଆମେରିକା ଓ ଚୀନ ଠାରୁ ପଛରେ ରହିଛି । ଆମେରିକା ଯିବାକୁ ଆମେ ବାରମ୍ବାର ଚିନ୍ତା କରୁଛେ । ଗ୍ରୀନ୍ କାର୍ଡ ପାଇଁ ହାତ ପାତୁଛେ । ଭାବନ୍ତୁ ଆମ ପାଖେ ସବୁକିଛି ଥାଇ ଆମେ କାହିଁକି ଏଭଳି ସ୍ଥିତିରେ ଅଛେ ବୋଲି କେସିଆର୍ ପ୍ରଶ୍ନ କରିଛନ୍ତି ।

କୃଷକଙ୍କୁ ପାଣି, ଲୋକଙ୍କୁ ବିଦ୍ୟୁତ୍ ମିଳୁନି । ସରକାର ପରେ ସରକାର ବଦଳୁଛି କିନ୍ତୁ କୃଷକଙ୍କ ଆର୍ଥିକ ସ୍ଥିତି ବଦଳୁନି । ଏହାର କାରଣ ହେଉଛି ଆମ ଦେଶରେ ନିର୍ବାଚନ ହେଉଛି । ନିର୍ବାଚନରେ ଦଳ, ନେତା ଜିତୁଛନ୍ତି । ନିର୍ବାଚନ ପରେ ଲୋକେ ହାରି ଯାଉଛନ୍ତି । ଦେଶରେ ବଡ଼ ପରିବର୍ତ୍ତନର ଆବଶ୍ୟକତା ରହିଛି । ନିର୍ବାଚନରେ ନେତା କି ଦଳ ନୁହେଁ ଜନତା ଜିତିବା ଦରକାର ।

କେସିଆର ଓଡ଼ିଶା ପ୍ରସଙ୍ଗ ଉଠାଇ କହିଛନ୍ତି, ଓଡ଼ିଶାରେ ମହାନଦୀ ଓ ବ୍ରାହ୍ମଣୀ ନଦୀ ବହୁଛି । ମହାନଦୀରେ ଆମ ଆବଶ୍ୟକତା ଠାରୁ ଅଧିକ ପାଣି ରହିଥିବା ବେଳେ ୨୫ ପ୍ରତିଶତ ବ୍ୟବହାର ହେଉଛି । ଆଉ ବାକି ପାଣି ସମୁଦ୍ରରେ ମିଶୁଛି । ଅନ୍ୟପଟେ ରାଜ୍ୟରେ ପାନୀୟ ଜଳର ସଂକଟ ଦେଖା ଦେଉଛି । ପିଇବାକୁ ପାଣି ମିଳୁନି, ବିଦ୍ୟୁତ୍ ନାହିଁ କହି ନବୀନଙ୍କ ନାଁ ନ ନେଇ କେସିଆର୍ ଟାର୍ଗେଟ୍ କରିଛନ୍ତି ।

ଆଜି ଗିରିଧର ଗମାଙ୍ଗ ତାଙ୍କ ପତ୍ନୀ ହେମା ଗମାଙ୍ଗ, ପୁଅ ଶିଶିର ଗମାଙ୍ଗଙ୍କ ସହ ଶ୍ରେୟା ରଞ୍ଜନ ଦାସ, ରବୀନ୍ଦ୍ର ମହାପାତ୍ର, ଫାଲଗୁନି ଶବର, ଗୋପାଳ ରାଓ, ବଳିଆ ରଞ୍ଜନ, ଜୟରାମ ପାଙ୍ଗୀ, ଜନାର୍ଦ୍ଦନ ମହାନ୍ତି, ସୁଧୀର ଷଡ଼ଙ୍ଗୀ, ଅକ୍ଷୟ କୁମାର, ରାମଚନ୍ଦ୍ର ହାଁସଦା, ନବୀନ ନନ୍ଦ, ଅର୍ଜୁନ ଦାସ, ରାଘବ ସେଠୀ, ବୃନ୍ଦାବନ ମାଝୀ, କୈଳାଶ ମୁଖି, ପ୍ରଦୀପ ପ୍ରଧାନ, ଶେଷଦେବ ନନ୍ଦ ଆଦି ନେତା ବିଆରଏସରେ ଯୋଗ ଦେଇଛନ୍ତି ।

Leave A Reply

Your email address will not be published.