ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା
ଜୟ ଜଗନ୍ନାଥ ଓଁ ନମୋ ଭଗବତେ ବାସୁଦେବାୟ।
ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଶ୍ରୀମନ୍ଦିର ମଧ୍ୟରେ ପୂଜିତ ଦେବୀ ବିମଳାଙ୍କ ସ୍ୱତନ୍ତ୍ର ପାର୍ବଣ ରୀତିନୀତି ଭିତରେ ପାଳିତ ହେଉଥିବା “ଶାକ୍ତ ଗୁଣ୍ଡିଚା “ବିଷୟରେ ପ୍ରାଞ୍ଜଳ ଆଲୋଚନା କରିବା ପୂର୍ବରୁ ଆମେ ଦୁର୍ଗା -ମାଧବ ଉପାସନା କଥା ଜାଣିଲେ। ଶାସ୍ତ୍ର ମତେ ଉଭୟ ଶ୍ରୀଜଗନ୍ନାଥ (ମାଧବ )ଓ ମା ବିମଳା (ଦୁର୍ଗା )ଙ୍କ ସମତା ରକ୍ଷା ପାଇଁ ଅର୍ଥାତ ଶାକ୍ତ ମତ ଓ ବୈଷ୍ଣବ ମତକୁ ସମାନ ଭାବରେ ପ୍ରାଧାନ୍ୟ ଦେଇ ଆରମ୍ଭ ହୋଇଥିଲା ଦୁର୍ଗା -ମାଧବ ଉପାସନାର ଅନନ୍ୟ ପରମ୍ପରା। ଠିକ ଷୋଳ ଦିନ ଗଣତି ହୋଇ ଅଶ୍ୱିନ କୃଷ୍ଣ ସପ୍ତମୀ କିମ୍ବା ଅଷ୍ଟମୀଠାରୁ ଦେବୀ ବିମଳାଙ୍କ ସହସ୍ର କୁମ୍ଭାଭିଷେକ ବା ଷୋଡଶ ପୂଜା ଆରମ୍ଭ ହୋଇଥାଏ। ତିଥି ବୃଦ୍ଧି ନଥିଲେ ଅଷ୍ଟମୀ ଦିନ ଅବା ତିଥି ବୃଦ୍ଧିରେ ସପ୍ତମୀ ଦିନ ମା ଦୁର୍ଗାଙ୍କ ପ୍ରତିମା ଭଣ୍ଡାର ଘରୁ ପ୍ରଭୁଙ୍କ ଆଜ୍ଞା ମାଳ ପାଇ ପତିମହାପାତ୍ରଙ୍କ ହାତରେ ମଜଣା ମଣ୍ଡପ (ସୋମନାଥ ମଣ୍ଡପ )ରେ ପଡ଼ିଥିବା ଖଟ ଉପରେ ବିଜେ କରନ୍ତି। ପଣ୍ଡା, ପତି ଓ ମୂଦିରସ୍ତ ଆଚାର୍ଯ୍ୟ ବ୍ରହ୍ମାବରଣ ହୋଇ ମା ଦୁର୍ଗା ଙ୍କୁ ସହସ୍ର ଗରା ଜଳରେ ଅଭିଷେକ କରନ୍ତି। ଏହାପରେ ଶ୍ରୀଅଙ୍ଗ ପୋଛା, ନବବସ୍ତ୍ର ଲାଗି, ବେଶ, ପ୍ରସାଦ ଲାଗି, ଶୀତଳ ଭୋଗ ଓ ବନ୍ଦାପନା ନୀତି ଶେଷ ପରେ ପୁଣି ଦେବୀଙ୍କୁ ନେଇ ଭଣ୍ଡାର ଘର ଦ୍ୱାର ଦେଶରେ ବିଜେ କଲା ପରେ ଏହି ସହସ୍ରକୁମ୍ଭାଭିଷେକ ବିଧି ଶେଷ ହୋଇଥାଏ। ଏହାପରେ ଶ୍ରୀବାଳ ପୁରୁଷୋତ୍ତମ (ନୀଳମାଧବ /ମାଧବ ) ସିଂହାସନରୁ ଆଜ୍ଞା ମାଳ ପାଇ ଆସି ଦୁର୍ଗାଙ୍କ ସହ ଭଦ୍ରାସନରେ ଏକତ୍ର ଉପବେଶନ କରିବା ପରେ ଏକତ୍ର ରୁନ୍ଧା ହୁଅନ୍ତି। ଏହି ରୁନ୍ଧା ଅବସ୍ଥାରେ ରତ୍ନ ସିଂହାସନକୁ ଯାଇ ପୁଣି ଆଜ୍ଞା ମାଳ ପାଇବା ପରେ ଜୟ ବିଜୟ ଦ୍ୱାର ଦେଇ ଝୁଲଣ ମଣ୍ଡପ ପାଖରେ ଥିବା ପାଲିଙ୍କିରେ ବିଜେ କରନ୍ତି। ଏଠାରେ କର୍ପୁର ଜଳ ଲାଗି ହୁଏ ଓ ଏହିଠାରୁ ଦୁର୍ଗା -ମାଧବ ସିଧା ମା ବିମଳାଙ୍କ ମନ୍ଦିରକୁ ବିଜେ କରନ୍ତି। ସେଠାରେ ଖଟ ଉପରେ ବିଜେ କରିବା ପରେ ଶୀତଳ ଭୋଗ ମଣୋହି ଓ ବନ୍ଦାପନା ହୁଏ। ଏହି ବିଧି ପୂର୍ବରୁ ମା’ ବିମଳାଙ୍କ ସକାଳ ଧୂପ ସରିଥାଏ। ତାପରେ ତିନି ଧୂପ ସରି ଚନ୍ଦନ ଲାଗି ନୀତି ପରେ ଦୁର୍ଗା -ମାଧବ ପାଲିଙ୍କିରେ ଯାଇ ଭଣ୍ଡାର ଘରେ ବିଜେ କରନ୍ତି। ଷୋଳ ଦିନ ଯାକ ଏହିପରି ରୁନ୍ଧା ଅବସ୍ଥାରେ ରହି ସମସ୍ତ ରୀତିନୀତି ପାଳିତ ହୁଏ ଓ ଦଶହରା ଦିନ ରୁନ୍ଧା ଖୋଲା ଯାଏ। ଏହି ଷୋଳ ଦିନରୁ ପ୍ରଥମ ଆଠ ଦିନ ମା ବିମଳାଙ୍କ ମନ୍ଦିର ଓ ପରବର୍ତ୍ତୀ ଆଠ ଦିନ ଦୋଳମଣ୍ଡପ ସାହିରେ ପୂଜିତ ମା ନାରାୟଣୀଙ୍କ ମନ୍ଦିରକୁ ଦୁର୍ଗା -ମାଧବ ବିଜେ କରନ୍ତି। ଉଭୟ ସ୍ଥାନରେ ଏକା ଭଳି ନୀତି ପାଳିତ ହୁଏ। ଏହା “ଶାକ୍ତ ଗୁଣ୍ଡିଚା “ନାମରେ ସର୍ବଜନ ବିଦିତ ଅଟେ। ଏହି ଷୋଳ ପୂଜାର ଅନନ୍ୟ ପରମ୍ପରା ବିଷୟରେ ଆଗାମୀ ଅଧ୍ୟାୟରେ ଆଲୋଚନା ଜାରି ରଖିବା। ବର୍ତ୍ତମାନ ଆରାଧନା “ବିମଳା କନକ କ୍ଲୁପ୍ତାଂ ରାଜିତୀଂ ମୃନ୍ମରୁମ୍ଭା, କମଥ ଲଳିତ ଲlକ୍ଷା ସମ୍ଭବାଂ ତାମ୍ର ଜାଂବା, ରଚିତ ରୁଚିର ରୂପଂ ଦାରବିୟାଂ ବିଚିତ୍ରାଂ, ପ୍ରଣୟତୁ ରଚୟିତ୍ୱା ତୋରଣେ ଚାରୁଚିତ୍ରେ ।” (ଲକ୍ଷା ସମ୍ଭବା )
ଜୟ ମା ବିମଳା
ଜୟ ଜଗନ୍ନାଥ (ଦ. ତ୍ରି. ଉବାଚ )
Comments are closed.