Latest Odisha News

BREAKING NEWS

୨୫ ବରକନ୍ୟା ଯୋଡ଼ିଙ୍କ ସାମୂହିକ ବିବାହ

ଭୁବନେଶ୍ୱର: ରାତିରୁ ପ୍ରସ୍ତୁତ ହୋଇସାରିଥିଲା ବେଦୀ । ସକାଳ ହେବାକ୍ଷଣି ସଜେଇ ହୋଇଥିଲେ କନ୍ୟା । ଗୋଟିଏ କି ଦୁଇଟି ନୁହେଁ ଏକାଥରେ ୨୫ ଜଣ କନ୍ୟା । ଅପେକ୍ଷା ଥିଲା କେତେବେଳେ ପହଞ୍ଚିବ ବର । ମଧ୍ୟାହ୍ନରେ ବରଯାତ୍ରୀ ସହ ରୋଷଣୀରେ ଆସି ପହଞ୍ଚିଲେ ଏକାଥରେ ୨୫ ବର । ଏହା ପରେ ଆରମ୍ଭ ହେଲା ବିବାହ ବନ୍ଧନର ପର୍ବ । ରବିବାର ଏଭଳି ଏକ ପରିବେଶ ସୃଷ୍ଟି ହୋଇଥିଲା ରାମ ମନ୍ଦିର ପରିସରରେ । ଅବସର ଥିଲା ପ୍ରୟାସ ପକ୍ଷରୁ ଆୟୋଜିତ ୯ମ ସାମୂହିକ ବିବାହ ଉତ୍ସବ । ଗଣବିବାହ ଉତ୍ସବରେ ଏହି ୨୫ ଯୋଡ଼ି ନବବିବାହିତ ଦମ୍ପତ୍ତି ଅଗ୍ନିକୁ ସାକ୍ଷୀ ରଖି ପରସ୍ପରକୁ ସାଥୀ ଭାବେ ବାଛି ନେଇଛନ୍ତି ।

ପ୍ରୟାସର କର୍ମକର୍ତ୍ତା ବନ ମହାନ୍ତିଙ୍କ ସୂଚନା ଅନୁସାରେ, ୯ ବର୍ଷ ହେଲା ସେମାନେ ଏଭଳି ଗଣ ବିବାହ କାର୍ଯ୍ୟକ୍ରମ ଆୟୋଜନ କରି ଆସୁଛନ୍ତି । ଏହି କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ ହେଲା ଜାତି, ଧର୍ମ, ତଥା ଜାନି ଯୌତୁକକୁ ପଛରେ ପକାଇ ଏକ ବୃହତ୍ତର ଲକ୍ଷ୍ୟ ନେଇ ଗଣ ବିବାହ କରାଇବା । ଗତ ୮ ବର୍ଷ ଧରି ପ୍ରୟାସ ପକ୍ଷରୁ ଏହି କାର୍ଯ୍ୟକ୍ରମ ଆୟୋଜନ ହୋଇ ଆସୁଥିବା ବେଳେ ଏ ପର୍ଯ୍ୟନ୍ତ ୨୨୭ ଯୋଡ଼ି ପୁଅଝିଅ ଏଥିରେ ସାମିଲ ହୋଇଛନ୍ତି । ସାମାଜିକ କର୍ମୀ ସନ୍ଧ୍ୟା ପାଣିଗ୍ରାହୀ କହିଛନ୍ତି, ସମାଜରେ ଏଭଳି ସ୍ଥିତିରେ ଲୋକମାନେ ଅଛନ୍ତି, ଯେଉଁଠି ସେମାନଙ୍କ ପାଇଁ ଆଗକୁ ଯିବାରେ ମୁଖ୍ୟ ପ୍ରତିବନ୍ଧକ ସାଜୁଛି ଅର୍ଥ । ଅନ୍ୟକ୍ଷେତ୍ରରେ ସାମାଜିକ ଚଳଣି ମଧ୍ୟ ଭଲ ପାଉଥିବା ଦୁଇଟି ଆତ୍ମାକୁ ମିଶାଇବା ପାଇଁ ପ୍ରତିବନ୍ଧକ ସାଜୁଛି ।

ଏଠାରେ କନିଆ ସାଜିଥିବା ଦଶପଲ୍ଲାର ସ୍ନେହଲତା ନାୟକ କୁହନ୍ତି, କିଛି ବର୍ଷ ହେଲା ସେହି ଦଶପଲ୍ଲା ଅଞ୍ଚଳର ଗୌରାଙ୍ଗ ନାୟକଙ୍କୁ ଭଲ ପାଉଥିଲେ । ବୃତ୍ତିରେ ଗୌରାଙ୍ଗ ଜଣେ ଡ୍ରାଇଭର । ପରସ୍ପର ଭଲ ପାଉଥିଲେ ବି ବାଧକ ସାଜିଥିଲା ଅର୍ଥ ଓ ସାମାଜିକ ଚଳଣି । ଶେଷରେ ସେମାନେ ନିଷ୍ପତ୍ତି ନେଲେ ପ୍ରୟାସ ପକ୍ଷରୁ ପ୍ରତି ବର୍ଷ ଆୟୋଜିତ ହେଉଥିବା ଗଣବିବାହରେ ସାମିଲ ହେବାକୁ । ରବିବାର ଆୟୋଜିତ ଏହି ବିବାହ ଉତ୍ସବରେ ଉଭୟ ପରସ୍ପରକୁ ସାତ ଜୀବନର ସାଥୀ ଭାବେ ବାଛି ନେଇଛନ୍ତି । ଦୁହେଁ ଏବେ ଖୁବ୍ ଖୁସି । ଆଗକୁ ସେମାନଙ୍କ ବୈବାହିକ ଜୀବନ ଖୁସିରେ କଟିବ ବୋଲି ଆଶା ରଖନ୍ତି ଉଭୟ ସ୍ନେହଲତା ଓ ଗୌରାଙ୍ଗ । ପ୍ରୟାସର ଏହି ପ୍ରୟାସ ପ୍ରଶଂସନୀୟ । ପ୍ରୟାସ ଅନୁଷ୍ଠାନର ବରିଷ୍ଠ କର୍ମକର୍ତ୍ତା ମନମୋହନ ପଟ୍ଟନାୟକ କହିଛନ୍ତି, ଗୋଟିଏ ଛୋଟ ଉଦ୍ୟମରୁ ଆରମ୍ଭ ହୋଇଥିବା ଏହି ପ୍ରୟାସ ଏକ ବଡ଼ ଅନୁଷ୍ଠାନରେ ପରିଣତ ହୋଇଛି । ଓଡ଼ିଶା ନୁହେଁ, ଓଡ଼ିଶା ବାହାରୁ ମଧ୍ୟ ଅନେକ ଯୋଡ଼ି ଓ ସେମାନଙ୍କ ପରିବାର ଏହି କାର୍ଯ୍ୟକ୍ରମରେ ସାମିଲ ହେଉଛନ୍ତି । ତେଣୁ ଆମକୁ ବହୁତ ଖୁସି ଲାଗୁଛି ।

Leave A Reply

Your email address will not be published.