ଭୁବନେଶ୍ୱର: ମନ୍ତ୍ରୀ ନବ ଦାସଙ୍କୁ କେଉଁ କାରଣ ପାଇଁ ଜଣେ ପୋଲିସ ଅଧିକାରୀ (ଏବେ ବହିଷ୍କୃତ) ନିଷ୍ପତ୍ତି ନେଲେ ତାହା ଏଯାବତ ଅସ୍ପଷ୍ଟ ରହିଛି। ଘଟଣାକୁ ଇତି ମଧ୍ୟରେ ୧୩ ଦିନ ବିତିଛି। ହତ୍ୟାର ଉଦ୍ଦେଶ୍ୟ କଣ ହୋଇଥାଇପାରେ ଏ ନେଇ କ୍ରାଇମବ୍ରାଞ୍ଚ ଟିମ୍ ତଦନ୍ତ କରୁଛି। ସେହିପରି ହତ୍ୟାର ଉଦ୍ଦେଶ୍ୟକୁ ନେଇ ନାନା ପ୍ରକାର ଚର୍ଚ୍ଚା ଆସୁଛି। ଖବରକାଗଜ, ଟିଭିରେ ଭିନ୍ନ ଭିନ୍ନ କଥାକୁ ନେଇ ଚର୍ଚ୍ଚା ଭିତରେ ଅଭିଯୁକ୍ତ ଗୋପାଳ ଦାସ ହତ୍ୟାର ଉଦ୍ଦେଶ୍ୟ କହିବାକୁ ରାଜି ହୋଇଥିବା ସୂଚନା ରହିଛି। ହଁ ଆଜ୍ଞା ଯାହା ସେ ଜେରା ବେଳେ କହିନାହାନ୍ତି ସେ ତାକୁ ସର୍ବସମ୍ମୁଖରେ ଲୋକଙ୍କ ଆଗରେ କହିବାକୁ ରାଜି ହୋଇଥିବା କହିଛନ୍ତି ବୋଲି ସୂଚନା ରହିଛି। ହେଲେ ଏଥିପାଇଁ ସେ ଏକ ସର୍ତ୍ତ ରଖିଛନ୍ତି।
ତୃତୀୟ ପର୍ଯ୍ୟାୟ ରିମାଣ୍ଡରେ ଥିବା ଗୋପାଳ ଦାସ ବୁଧବାର ବିଳମ୍ବିତ ରାତିରେ ଭାୟା କୋଲକାତା ଦେଇ ଗୁଜରାଟ ଅହମ୍ମଦାବାଦ ଯାଇଛନ୍ତି । ଯେଉଁଠାରେ ପଲିଗ୍ରାଫ ଓ ନାର୍କୋ ଟେଷ୍ଟ କରି ଘଟଣାର ସତ ବାହାର କରିବାକୁ ତଦନ୍ତ ଅଧିକାରୀ ଲକ୍ଷ୍ୟ ରଖିଛନ୍ତି। ହେଲେ ବିମାନରେ ନାର୍କୋ ଆନାଲିସିସ୍ ଟେଷ୍ଟ ପାଇଁ ଗୁଜରାଟକୁ ବିମାନରେ ନିଆଯାଇଥିବାରୁ କ୍ରାଇମବ୍ରାଞ୍ଚକୁ ସେ କୁଆଡେ ଧନ୍ୟବାଦ ଦେଇଥିବା ଚର୍ଚ୍ଚା ହେଉଛି।
କ୍ରାଇମବ୍ରାଞ୍ଚ ଏଡିଜି ଅରୁଣ ବୋଥ୍ରାଙ୍କ ସମେତ ୮ ଜଣିଆ ଟିମ୍ ସାଙ୍ଗରେ ଯାଇଛନ୍ତି ଗୁଜରାଟ। ଏହି ସମୟରେ ଜଣେ ତଦନ୍ତ ଅଧିକାରୀଙ୍କ ଗୋପାଳ କୁଆଡେ କହିଛନ୍ତି, ଏହା ତାଙ୍କର ପ୍ରଥମ ବିମାନ ଯାତ୍ରା ଥିଲା। ତେଣୁ ସେ ଭାରି ଖୁସି। ଯଦିଓ ବିମାନରେ ଗଲା ବେଳେ ତାଙ୍କୁ ଚୁପ୍ ରହିବାକୁ ତଦନ୍ତ ଅଧିକାରୀ କହିଥିଲେ ତଥାପି ସେ ସବୁବେଳେ ହସି ହସି ଝରକା ବାହାରକୁ ଚାହିଁ ରହିଥିଲେ। ବିମାନରେ ଯାତ୍ରା କରୁଥିବା ଲୋକଙ୍କୁ ସେ ଭିଆଇପି ଏବଂ ଧନୀ ବୋଲି ଭାବୁଥିଲେ ବୋଲି କହିଥିବା ସୂଚନା ରହିଛି।
କହିଥିଲେ, ମନ୍ତ୍ରୀ ନବ ଦାସ ଜଣେ ଖରାପ ନେତା। ସେ ଲୋକଙ୍କୁ ନିର୍ଯାତନା ଦେଉଥିଲେ। ତାଙ୍କୁ ଦେଖିଲେ ଚିଡ ଚିଡ୍ ଲାଗୁଥିଲା। ଆଉ ପାଇଖାନା ଟାଙ୍କିରୁ ଉଦ୍ଧାର ହୋଇଥିଲା କାଗଜ ଖଣ୍ଡରେ ସେ ଏସବୁ ଲେଖିଥିଲ। ଏହାପରେ ସେ ଗୁଳି ମାରିଛନ୍ତି।
ହତ୍ୟାକାଣ୍ଡର କାରଣ ଜାଣିବା ପାଇଁ କ୍ରାଇମବ୍ରାଞ୍ଚ ଏଯାବତ କୌଣସି ନିଷ୍କର୍ସରେ ପହଞ୍ଚି ପାରିନଥିବା ବେଳେ ଗୋପାଳ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜନ କରି ନିଜ ମନର କଥା କହିବାକୁ ଜିଦ୍ ଧରିଥିବା ସୂଚନା ରହିଛି। ତେବେ ସେ ଏହାକୁ ଲୋକଙ୍କ ସାମ୍ନାରେ କହିବା ପାଇଁ ଏକ ସର୍ତ୍ତ ରଖିଛନ୍ତି। ତାହା ହେଲା ଗଣମାଧ୍ୟମରେ ପ୍ରେସ କନଫରେନସ କରି ନିଜର ଉଦ୍ଦେଶ୍ୟ ପ୍ରକାଶ କରିବେ। ତଦନ୍ତ ଅଧିକାରୀଙ୍କୁ ଏପରି ଏକ ଅନୁମତି ଦେବାକୁ ଜିଦ୍ ଧରିଥିବା ଜଣାପଡ଼ିଛି। ସେ କୁଆଡେ କହିଛନ୍ତି, ଟିଭି, ଖବରକାଗଜରେ ଯେଉଁ ଖବର ପ୍ରକାଶ ପାଉଛି ତାର ସତ୍ୟତା ନାହିଁ। ସେ କିନ୍ତୁ ଲୋକଙ୍କୁ ଅନ୍ଧାରରେ ରଖିବାକୁ ଚାହାନ୍ତି ନାହିଁ ।
ବିମାନ ଯାତ୍ରା ପୂର୍ବରୁ ଝାରସୁଗୁଡା ବିମାନ ବନ୍ଦରରେ ଗୋପାଳ ଯେଭଳି ଭାବେ ହସୁଥିଲେ ସେଥିରୁ ଅନୁମାନ ହେଉଛି ସେ ଯାହା କରିଛନ୍ତି ସେଥିପାଇଁ ଅନୁତପ୍ତ ନୁହେଁ। ତେଣୁ ବିମାନରେ ମଧ୍ୟ ସମାନ ପ୍ରକାର ଆଚରଣ ଦେଖାଇଥିଲେ। ଅଭିଯୁକ୍ତର ଉତ୍ତର, ଅଙ୍ଗଭଙ୍ଗୀ ଏବଂ ଆଚରଣ କେବଳ ବିରକ୍ତିକର ନୁହେଁ ବରଂ ମଜାଳିଆ ଥିଲା ବୋଲି ଜଣାପଡିଛି।
Comments are closed.