Latest Odisha News

BREAKING NEWS

ସରିଲା ବିଜୁ ଲିଗାସି, ମାର୍ଚ୍ଚ ୫ରୁ ନବୀନଙ୍କୁ ବ୍ରାଣ୍ଡିଂ କରିବ ବିଜେଡି

ଭୁବନେଶ୍ୱର: ବଜେଟ ଆଗତ ବେଳେ ରାଜ୍ୟ ସରକାରଙ୍କ ଯୋଜନାରୁ ଯେଉଁ ଆଭାସ ମିଳିଥିଲା ତାହା ଏବେ ସତ ପ୍ରମାଣିତ ହୋଇଛି। ଏଥର ବଜେଟରେ ବିଜୁ ନାଁରେ ନୂଆ ଯୋଜନା ଘୋଷଣା କରିନଥିଲେ ସରକାର। ଯାହାକି ପ୍ରଥମ ଥର ପାଇଁ ଏକ ବିଚ୍ୟୁତି ଦେଖାଦେଇଥିଲା। ତେଣୁ ଗୋଟିଏ ଆଭାସ ମିଳିଥିଲା ଯେ ଏଣିକି ଆଗାମୀ ନିର୍ବାଚନରେ ବିଜେଡି ଆଉ ବିଜୁ ନାଁ ନେଇ ଭୋଟ୍ ମାଗିବାକୁ ଯିବ ନାହିଁ। ଯାହା ଏବେ ସତ ହୋଇଛି।

ମାର୍ଚ୍ଚ ୫ ବିଜୁ ଜୟନ୍ତୀ ରହିଛି। ଏହି ତାରିଖରେ ବିଜେଡି ‘ନବୀନ ଓଡ଼ିଶା’ ନାରା ଦେଇ ମୈଦାନକୁ ଓହ୍ଲାଇବ। ଏଥିପାଇଁ ପ୍ରତ୍ୟେକ ପଞ୍ଚାୟତ, ୱାର୍ଡ ସ୍ତରରେ ବିଭିନ୍ନ କାର୍ଯ୍ୟକ୍ରମ ହେବ। ମାର୍ଚ୍ଚ ୫ରୁ ୨୫ପର୍ଯ୍ୟନ୍ତ ବିଭିନ୍ନ କାର୍ଯ୍ୟକ୍ରମ ହେବ। ଏହି ସମୟରେ କଣ କରାଯିବ କଣ ନକରାଯିବ ସେ ନେଇ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦଳର ସମସ୍ତ ବିଧାୟକ ଓ ଦଳୀୟ କର୍ମକର୍ତ୍ତାଙ୍କୁ ଚିଠି ଲେଖିଥିବା ସୂଚନା ରହିଛି।

ଅର୍ଥାତ ଆଗାମୀ ଦିନରେ ବିଜୁ ପଟ୍ଟନାୟକଙ୍କୁ କେବଳ ଦଳୀୟ ପୋଷ୍ଟର ଏବଂ ବିଭିନ୍ନ ସ୍ଥାନରେ ଥିବା ପ୍ରତିମୂର୍ତ୍ତି ଓ ଯୋଜନାରେ ଥିବା ନାଁରେ ସୀମିତ ରହିବାର ନଜର ଆସିବ। ଆଉ ବିଜେଡି ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନାଁ ନେଇ ‘ନବୀନ ଓଡ଼ିଶା’ ନାଁରେ ଲୋକଙ୍କ ପାଖକୁ ଭୋଟ୍ ପାଇଁ ଯିବ। ଏହି ସମୟରେ ପୂର୍ବପରି ବିଜୁ ପଟ୍ଟନାୟକଙ୍କ କୃତିତ୍ବ ବା ବିଜୁ ଯୋଜନାର ସଫଳତା କହିବା ଅପେକ୍ଷା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସରକାର ଉପଲବ୍ଧି ଓ ଓଡ଼ିଶା କିଭଳି ଆଗେଇଛି ଇତ୍ୟାଦିକୁ ଆୟୁଧ କରି ବିଜେଡି ଲୋକଙ୍କୁ ପାଖକୁ ଯାଇ ଭୋଟ୍ ହାତେଇବ। ଯଦିଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟରେ ଜଣେ ସର୍ବାଧିକ ଲୋକପ୍ରିୟ ନେତା ଭାବେ ପରିଚୟ ପାଇସାରିଛନ୍ତି ଏପରି ସ୍ଥିତିରେ ତାଙ୍କର ଆଦର୍ଶ ଓ ଦୃଷ୍ଟିକୋଣକୁ ଆଧାର କରି ବିଜେଡି ଏବେ ଆଗକୁ ଯିବାକୁ ଯୋଜନା କରିଛି।

ମାର୍ଚ୍ଚ ୫ରୁ ୨୫ତାରିଖ ମଧ୍ୟରେ ବିଜୁ ଯୁବ ଏବଂ ଛାତ୍ର ଜନତା ଦଳ ପକ୍ଷରୁ ରାଜ୍ୟର ବିଭିନ୍ନ ନିର୍ବାଚନ ମଣ୍ଡଳୀରେ ‘ନବୀନ ଓଡ଼ିଶା’ ଗଠନ ଉପରେ ପ୍ରବନ୍ଧ, ତର୍କ ଏବଂ ଚିତ୍ରାଙ୍କନ ପ୍ରତିଯୋଗିତା ଆୟୋଜନ ହେବ।  ଏପ୍ରିଲ ୧୭ରେ ବିଜୟୀ ପ୍ରତିଯୋଗୀଙ୍କୁ ସମ୍ବର୍ଦ୍ଧିତ କରାଯିବ।

ମାର୍ଚ୍ଚ ୮ରେ ଅନ୍ତର୍ଜାତୀୟ ମହିଳା ଦିବସ ରାଜ୍ୟ ସ୍ତରରେ ପାଳନ କରାଯିବ। ମାର୍ଚ୍ଚ ୯ରୁ ୧୭ ପର୍ଯ୍ୟନ୍ତ ପ୍ରତ୍ୟେକ ନିର୍ବାଚନମଣ୍ଡଳୀର ବିଭିନ୍ନ ସ୍ଥାନରେ ମହିଳା ସମାବେଶ ଆୟୋଜନ କରାଯିବ।

 

Leave A Reply

Your email address will not be published.