Parliament Special Session: ନଭେମ୍ବର ୩୦ରେ ଉଠିବ ପଡିବ ସଂସଦ! ଲୋକସଭାରେ ୩ ବଡ଼ ବିଲ୍, ବିରୋଧୀଙ୍କ ନା ଭିତରେ କେମିତି ସମର୍ଥନ ହାତେଇବେ ମୋଦୀ ସରକାର?
ନୂଆଦିଲ୍ଲୀ: ମହିଳାଙ୍କୁ ରାଜନୀତିରେ ଅଧିକ ପ୍ରତିନିଧିତ୍ୱ ଦେବା ସହ ଦେଶର ନିର୍ବାଚନୀ ମାନଚିତ୍ରରେ ବଡ଼ ପରିବର୍ତ୍ତନର ପ୍ରସ୍ତୁତି! ଆସନ୍ତା ନଭେମ୍ବର ୩୦ ତାରିଖ ସୋମବାର ଲୋକସଭାରେ ଆଲୋଚନା ଓ ପାରିତ ପାଇଁ ଆସିବ ତିନୋଟି ଗୁରୁତ୍ୱପୂର୍ଣ୍ଣ ବିଲ୍। ଏଥିରେ ରହିଛି ସମ୍ବିଧାନ (୧୩୨ତମ ସଂଶୋଧନ) ବିଲ୍, ୨୦୨୬, ଡିଲିମିଟେସନ (ଦ୍ୱିତୀୟ) ବିଲ୍, ୨୦୨୬ ଏବଂ କେନ୍ଦ୍ରଶାସିତ ଅଞ୍ଚଳ ଆଇନ (ସଂଶୋଧନ) ଦ୍ୱିତୀୟ ବିଲ୍, ୨୦୨୬। ଏହି ତିନୋଟି ବିଲ୍ ମହିଳା ସଂରକ୍ଷଣ ଲାଗୁ କରିବା ସହ ଲୋକସଭା, ବିଧାନସଭା ଏବଂ ନିର୍ବାଚନମଣ୍ଡଳୀର ଆସନ ବଣ୍ଟନ ସହ ଜଡ଼ିତ।
ଲୋକସଭା ପକ୍ଷରୁ ଶନିବାର ପ୍ରକାଶିତ କାର୍ଯ୍ୟସୂଚୀ ଅନୁସାରେ, କେନ୍ଦ୍ର ଆଇନମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ ଦୁଇଟି ବିଲ୍ ଆଗତ କରିବେ। ସେଗୁଡ଼ିକ ହେଉଛି ସମ୍ବିଧାନ (୧୩୨ତମ ସଂଶୋଧନ) ବିଲ୍ ଏବଂ ଡିଲିମିଟେସନ (ଦ୍ୱିତୀୟ) ବିଲ୍। ସେହିପରି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ତୃତୀୟ ବିଲ୍ ଅର୍ଥାତ୍ ୟୁନିୟନ ଟେରିଟୋରିଜ୍ ଲ’ଜ୍ (ଆମେଣ୍ଡମେଣ୍ଟ) ସେକେଣ୍ଡ ବିଲ୍ ଆଗତ କରିବେ।
୧. ସମ୍ବିଧାନ (୧୩୨ତମ ସଂଶୋଧନ) ବିଲ୍, ୨୦୨୬
ଏହି ବିଲ୍ର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଲୋକସଭା, ରାଜ୍ୟ ବିଧାନସଭା ଏବଂ ବିଧାନସଭା ଥିବା କେନ୍ଦ୍ରଶାସିତ ଅଞ୍ଚଳରେ ମହିଳା ସଂରକ୍ଷଣ ଲାଗୁ କରିବା ପାଇଁ ଆବଶ୍ୟକ ସାମ୍ବିଧାନିକ ବ୍ୟବସ୍ଥା ପ୍ରସ୍ତୁତ କରିବା। ଏହା ମହିଳାଙ୍କ ରାଜନୈତିକ ଭାଗିଦାରୀ ବଢ଼ାଇବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ।
୨. ଡିଲିମିଟେସନ (ଦ୍ୱିତୀୟ) ବିଲ୍, ୨୦୨୬
ଏହି ବିଲ୍ରେ ନିର୍ବାଚନମଣ୍ଡଳୀର ସୀମା ନିର୍ଦ୍ଧାରଣ, ଆସନ ସଂଖ୍ୟାର ପୁନଃବଣ୍ଟନ ଏବଂ ମହିଳାଙ୍କ ପାଇଁ ସଂରକ୍ଷିତ ଆସନ ବଣ୍ଟନ ସମ୍ପର୍କିତ ବ୍ୟବସ୍ଥା ରହିଛି। ଏହା ମାଧ୍ୟମରେ ଲୋକସଭା ଓ ବିଧାନସଭା ନିର୍ବାଚନମଣ୍ଡଳୀର ସୀମାରେ ପରିବର୍ତ୍ତନ ପାଇଁ ଆଇନଗତ ଢାଞ୍ଚା ପ୍ରସ୍ତୁତ କରାଯିବ।
୩. ୟୁନିୟନ ଟେରିଟୋରିଜ୍ ଲ’ଜ୍ (ଆମେଣ୍ଡମେଣ୍ଟ) ଦ୍ୱିତୀୟ ବିଲ୍, ୨୦୨୬
ଏହି ବିଲ୍ରେ ତିନୋଟି ଆଇନରେ ସଂଶୋଧନ ପ୍ରସ୍ତାବ ରହିଛି। ସେଗୁଡ଼ିକ ହେଲା ୟୁନିୟନ ଟେରିଟୋରିଜ୍ ଆକ୍ଟ, ୧୯୬୩, ଦିଲ୍ଲୀ ସରକାରୀ ଆଇନ, ୧୯୯୧ ଏବଂ ଜମ୍ମୁ-କାଶ୍ମୀର ପୁନର୍ଗଠନ ଆଇନ, ୨୦୧୯। ଏହାର ଉଦ୍ଦେଶ୍ୟ ହେଉଛି ଦିଲ୍ଲୀ, ଜମ୍ମୁ-କାଶ୍ମୀର ଓ ପୁଡୁଚେରୀର ବିଧାନସଭାରେ ମହିଳା ସଂରକ୍ଷଣ ଲାଗୁ କରିବା ପାଇଁ ଆବଶ୍ୟକ ଆଇନଗତ ବ୍ୟବସ୍ଥା କରିବା।
ତେବେ ଏହି ତିନୋଟି ବିଲ୍ ପରସ୍ପର ସହ ଜଡ଼ିତ। ସମ୍ବିଧାନ ସଂଶୋଧନ ମାଧ୍ୟମରେ ମହିଳା ସଂରକ୍ଷଣ ପାଇଁ ଆଧାର ପ୍ରସ୍ତୁତ ହେବ। ଡିଲିମିଟେସନ ବିଲ୍ ଆସନ ପୁନଃବଣ୍ଟନ ଓ ନିର୍ବାଚନମଣ୍ଡଳୀ ସୀମା ନିର୍ଦ୍ଧାରଣ କରିବ। ଅନ୍ୟପଟେ କେନ୍ଦ୍ରଶାସିତ ଅଞ୍ଚଳ ଆଇନର ସଂଶୋଧନ ଏହି ବ୍ୟବସ୍ଥାକୁ ତିନୋଟି କେନ୍ଦ୍ରଶାସିତ ଅଞ୍ଚଳରେ ଲାଗୁ କରିବାର ରାସ୍ତା ଖୋଲିବ। ଏଥିସହ ଏହି ବିଲ୍ଗୁଡ଼ିକର ପରସ୍ପର ନିର୍ଭରଶୀଳତାକୁ ଦୃଷ୍ଟିରେ ରଖି ଲୋକସଭା ନିୟମ ୬୬ର ପ୍ରୟୋଗକୁ ସ୍ଥଗିତ ରଖିବା ପାଇଁ ମେଘୱାଲ ଏକ ପ୍ରସ୍ତାବ ମଧ୍ୟ ଆଣିବେ।
ସେପଟେ ଡିଲିମିଟେସନ ବିଲ୍କୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଜୋର୍ ଧରିଛି। ରାହୁଲ ଗାନ୍ଧୀଙ୍କ ସମେତ ଅନେକ ବିରୋଧୀ ନେତା ଏହାର ପ୍ରଭାବକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ତେବେ ଡିଲିମିଟେସନ୍ ବିଲ୍କୁ ନେଇ ବିରୋଧୀ ମେଣ୍ଟ INDIAରେ ମତଭେଦ ସାମ୍ନାକୁ ଆସିଛି। କଂଗ୍ରେସ ସମେତ ଅନେକ ବିରୋଧୀ ଦଳ ବିଲ୍କୁ ବିରୋଧ କରୁଥିବା ବେଳେ କିଛି ଆଞ୍ଚଳିକ ଦଳ ମୋଦୀ ସରକାରଙ୍କ ପ୍ରସ୍ତାବକୁ ସମର୍ଥନ ଜଣାଇଛନ୍ତି। ସବୁଠାରୁ ବଡ଼ ପରିବର୍ତ୍ତନ ଆସିଛି ତାମିଲନାଡୁର ଡିଏମ୍କେ (DMK) ଆଭିମୁଖ୍ୟରେ। ଦଳର ୨୨ ଜଣ ଲୋକସଭା ସାଂସଦ ନୂଆ ଡିଲିମିଟେସନ୍ ବିଲ୍କୁ ସମର୍ଥନ କରିବେ ବୋଲି ଦଳୀୟ ନେତୃତ୍ୱ ଘୋଷଣା କରିଛି। ଦଳର ନେତା ଏମ୍.କେ. ଷ୍ଟାଲିନ୍ଙ୍କ କହିବା ଅନୁସାରେ, ଗତଥର ଡିଏମ୍କେ ଯେଉଁ ଦାବି ରଖିଥିଲା, ନୂଆ ବିଲ୍ରେ ସେଗୁଡ଼ିକୁ ସାମିଲ କରାଯାଇଛି। ସେହିପରି ଶରଦ ପାୱାରଙ୍କ NCP (SP) ମଧ୍ୟ ବିଲ୍କୁ ସର୍ତ୍ତମୂଳକ ସମର୍ଥନ ଘୋଷଣା କରିଛି। ଦଳର ୮ ଜଣ ଲୋକସଭା ସାଂସଦଙ୍କ ସମର୍ଥନ ମିଳିବାର ସମ୍ଭାବନା ରହିଛି। ସମସ୍ତ ରାଜ୍ୟରେ ଲୋକସଭା ଆସନ ସଂଖ୍ୟା ୫୦ ପ୍ରତିଶତ ବୃଦ୍ଧି ଏବଂ ୨୦୫୧ ପର୍ଯ୍ୟନ୍ତ ରାଜ୍ୟଗୁଡ଼ିକର ଆସନ ଅନୁପାତ ବଜାୟ ରଖିବା ଏହାର ପ୍ରମୁଖ ସର୍ତ୍ତ। ଏହାବ୍ୟତୀତ ଆନ୍ଧ୍ରପ୍ରଦେଶର YSR କଂଗ୍ରେସ (YSRCP)ର ୪ ଜଣ ସାଂସଦ ମଧ୍ୟ ବିଲ୍କୁ ସମର୍ଥନ କରିବେ ବୋଲି କୁହାଯାଉଛି । ସେହିପରି ତେଲେଙ୍ଗାନାର BRS ରାଜ୍ୟସଭାରେ ନିଜର ୩ ଜଣ ସାଂସଦଙ୍କ ସମର୍ଥନ ଦେବାକୁ ସଙ୍କେତ ଦେଇଛି। ଏହା ସହିତ ଟିଏମ୍ସିରୁ ଅଲଗା ହୋଇଥିବା ୨୦ ଜଣ ସାଂସଦ ଏବଂ ଶିବସେନା (UBT)ରୁ ଅଲଗା ହୋଇଥିବା ୬ ଜଣ ସାଂସଦଙ୍କ ସମର୍ଥନ ମଧ୍ୟ ସରକାରଙ୍କ ପାଇଁ ଗୁରୁତ୍ୱ ରଖୁଛି। ଏନ୍ଡିଏର ସହଯୋଗୀ ଦଳ TDP, ଜନସେନା ଏବଂ JD(S) ମଧ୍ୟ ସରକାରଙ୍କ ପକ୍ଷରେ ରହିଛନ୍ତି।
ତେବେ କଂଗ୍ରେସ, ସମାଜବାଦୀ ପାର୍ଟି, ତୃଣମୂଳ କଂଗ୍ରେସ ଏବଂ ବାମଦଳ ସମେତ ଅନେକ ବିରୋଧୀ ଦଳ ବିଲ୍କୁ ବିରୋଧ କରୁଛନ୍ତି। ସେମାନଙ୍କ ଦାବି ହେଉଛି, ମହିଳା ସଂରକ୍ଷଣ ଲାଗୁ କରିବା ପାଇଁ ଡିଲିମିଟେସନ୍କୁ ସର୍ତ୍ତ କରାଯିବା ଉଚିତ ନୁହେଁ।
ତେବେ ଯଦି ସଂଖ୍ୟା ଗଣିତକୁ ଦେଖିବା ଲୋକସଭାରେ ୫୪୦ ଜଣ ସାଂସଦ ଥିବାରୁ ସମସ୍ତେ ଭୋଟ୍ ଦେଲେ ସମ୍ବିଧାନ ସଂଶୋଧନ ବିଲ୍ ପାରିତ ପାଇଁ ଅତିକମ୍ରେ ୩୬୦ ଭୋଟ୍ ଆବଶ୍ୟକ। ଏନ୍ଡିଏ ଓ ବାହାରର ସମର୍ଥକ ଦଳଗୁଡ଼ିକର ଭୋଟ୍ ମିଶାଇ ସମ୍ଭାବ୍ୟ ସଂଖ୍ୟା ୩୫୪ ପର୍ଯ୍ୟନ୍ତ ପହଞ୍ଚିପାରେ। ଅର୍ଥାତ୍ ଆହୁରି ୬ଟି ଭୋଟ୍ର ଆବଶ୍ୟକତା ରହିଛି। ଏବେ ନଜର ନଭେମ୍ବର ୩୦ ଉପରେ। ବିରୋଧୀ ମେଣ୍ଟର କେତେକ ଦଳର ସମର୍ଥନ ମିଳିଥିଲେ ମଧ୍ୟ ସମ୍ବିଧାନ ସଂଶୋଧନ ପାଇଁ ଆବଶ୍ୟକ ଦୁଇ-ତୃତୀୟାଂଶ ସଂଖ୍ୟା ଯୋଗାଡ଼ କରିବା ସରକାରଙ୍କ ପାଇଁ ଏବେ ବି ଏକ ବଡ଼ ଚ୍ୟାଲେଞ୍ଜ।
ସୂଚନାଯୋଗ୍ୟ, ଏପ୍ରିଲ ୧୬ରେ ଆଗତ ହୋଇଥିବା ପୁରୁଣା ଡିଲିମିଟେସନ ବିଲ୍ ଓ କେନ୍ଦ୍ରଶାସିତ ଅଞ୍ଚଳ ଆଇନ ସଂଶୋଧନ ବିଲ୍କୁ ସରକାର ପ୍ରତ୍ୟାହାର କରିବେ। ଏହା ବଦଳରେ ସଂଶୋଧିତ ଦୁଇଟି ବିଲ୍ ସହ ସମ୍ବିଧାନ ସଂଶୋଧନ ବିଲ୍ ଉପରେ ଆଲୋଚନା ହେବ। ନଭେମ୍ବର ୩୦ରେ ଏହି ତିନୋଟି ବିଲ୍ ଉପରେ ହେବାକୁ ଥିବା ଆଲୋଚନା ଦେଶର ମହିଳା ରାଜନୀତି, ନିର୍ବାଚନୀ ବ୍ୟବସ୍ଥା ଏବଂ ଆଗାମୀ ରାଜନୈତିକ ସମୀକରଣ ପାଇଁ ଗୁରୁତ୍ୱପୂର୍ଣ୍ଣ ହେବାକୁ ଯାଉଛି।
