Latest Odisha News

BREAKING NEWS

ଆଗ୍ରାର ବିବାହ ଶୋଭାଯାତ୍ରାରେ ୨୫ ଜଣଙ୍କ ଆକ୍ରମଣ, ‘ବରକୁ ଘୋଡାରୁ ଖସାଇଲେ, ବରଯାତ୍ରୀଙ୍କୁ ରଡରେ ପିଟିଲେ’

ଆଗ୍ରା: ବିବାହ ପ୍ରସେସନରେ ବାଜୁଥିଲା ବି. ଆର ଆମ୍ବେଦକରଙ୍କ ସମ୍ବନ୍ଧୀୟ ସଙ୍ଗୀତ । ଶୋଭାଯାତ୍ରା ଉପରେ ହେଲା ଅତର୍କିତ ଆକ୍ରମଣ । ଏକାଥରେ ୨୫ଜଣ ବ୍ୟକ୍ତି ଏକାଠି ହୋଇ ରଡରେ ଏକଛତ୍ର ଭାବେ ପିଟିବା ସହ ବରକୁ ଘୋଡାରୁ ତଳକୁ ଖସାଇଦେଲେ । ଏଭଳି ଘଟଣା ଘଟିଛି ଆଗ୍ରା ଜିଲ୍ଲାରେ । ଏକ ଦଳିତ ବିବାହ ଶୋଭାଯାତ୍ରାରେ ଡକ୍ଟର ବି. ଆର ଆମ୍ବେଦକରଙ୍କ ସମ୍ବନ୍ଧୀୟ ଗୀତ ପରିବେଷଣ ହେଉଥିଲା । ଏହାକୁ ସ୍ଥାନୀୟ ଲୋକ ବିରୋଧ କରିଥିଲେ । ତାପରେ ହୋଇଥିଲା ଗଣ୍ଡଗୋଳ ସ୍ଥିତି । ୨୫ଜଣ ଆକ୍ରମଣକାରୀ ଆଖିବୁଜା ପିଟି ଚାଲିଲେ ଆଉ ବରକୁ ଘୋଡାରୁ ତଳକୁ ଖସାଇ ପ୍ରବଳ ମାଡ ମାରିଥିବା ଅଭିଯୋଗ ହୋଇଛି । ଘଟଣାରେ ଶନିବାର ୩ଜଣଙ୍କୁ ଗିରଫ କରାଯାଇଥିବା ଆଗ୍ରା ପୋଲିସ କମିଶନର ସୂଚନା ଦେଇଛନ୍ତି । ଏବେ ପରିସ୍ଥିତି ଶାନ୍ତ ରହିଥିବା କହିଛନ୍ତି । ଶୁକ୍ରବାର ସନ୍ଧ୍ୟାରେ ଦଙ୍ଗା, ବେଆଇନ ସମାବେଶ, ସ୍ୱେଚ୍ଛାକୃତ ଆଘାତ ପହଂଚାଇବା, ଅବରୋଧ ଓ ଅପରାଧିକ ଧମକ ପରି ଅଭିଯୋଗରେ ୮ଜଣଙ୍କ ନାଁରେ ମାମଲା ରୁଜୁ ହୋଇଥିଲା ।

ସୂଚନା ଅନୁସାରେ ନଭେମ୍ବର ୨୬ରେ ଜାଗନେର ଥାନା ନାଗଲା ବୀରଭାନ ଗାଁରେ ଘଟିଥିଲା ଏହି ଘଟଣା । ମାଲପୁରା ଅଂଚଳରୁ ଆସୁଥିବା ବରଯାତ୍ରୀ ଦଳ । କନ୍ୟା ଘରଠାରୁ ପ୍ରାୟ ଶହେ ମିଟର ଦୂରରେ ପ୍ରୋସେସନରେ ବାଜୁଥିବା ଗୀତକୁ ଗାଁଲୋକ ବିରୋଧ କରିଥିଲେ । ତାପରେ ଆରମ୍ଭ ହୋଇଥିଲା ମାରପିଟ୍ । ଚାହୁଁଚାହୁଁ ଉଗ୍ର ରୂପ ନେଲା ପରିସ୍ଥିତି । ଅଭିଯୋଗ ଅନୁସାରେ ବରଯାତ୍ରୀଙ୍କ ଉଦ୍ଦେଶ୍ୟରେ ଜାତିଗତ ଅପମାନଜନକ ଶବ୍ଦ ପ୍ରୟୋଗ କରାଗଲା । ଲୋକଙ୍କ ଧସ୍ତାଧସ୍ତି ଓ ମାରପିଟରେ କିଛି ବରଯାତ୍ରୀ ଆହତ ହୋଇଥିବା ସୂଚନା ମିଳିଛି । ବରଯାତ୍ରୀ ଆମ୍ବେଦକରଙ୍କ ଫଟୋ ଧରିଥିଲେ । ତେଣୁ ଅଭିଯୁକ୍ତ ଆମ୍ବେଦକରଙ୍କ ଫଟୋ ଛଡାଇ ନେଇ ଗୋଡରେ ଦଳିଥିବା ମଧ୍ୟ ଅଭିଯୋଗ ହୋଇଥିଲା । ପରେ ଜାଗନେରରୁ ଏକ ପୋଲିସ ଟିମ୍ ପହଂଚି ପରସ୍ଥିତିକୁ ନିୟନ୍ତ୍ରଣ କରିବା ସହ ସୁରକ୍ଷାକର୍ମୀଙ୍କ ଉପସ୍ଥିତିରେ ବିବାହ ରୀତିନୀତି ସମ୍ପନ୍ନ ହୋଇଥିଲା ।

Leave A Reply

Your email address will not be published.