Latest Odisha News

BREAKING NEWS

Delimitation Bill: ରାହୁଲଙ୍କୁ ଷ୍ଟାଲିନଙ୍କ କଡ଼ା ଜବାବ! ‘କଟ୍ଟାବୋମ୍ମନ୍‌’ ହେବି, ‘ଏଟ୍ଟାପ୍ପନ୍‌’ ନୁହେଁ କହି ବଢ଼ାଇଲେ ରାଜନୈତିକ ସସପେନ୍ସ…

ଚେନ୍ନାଇ: ସଂସଦର ସ୍ୱତନ୍ତ୍ର ଅଧିବେଶନ ପୂର୍ବରୁ ପରିସୀମନ ବିଲ୍‌କୁ ନେଇ ଜାତୀୟ ରାଜନୀତି ସରଗରମ ହୋଇଛି। ପ୍ରସ୍ତାବିତ ବିଲ୍‌କୁ ବିରୋଧ କରିବା ପାଇଁ ଡିଏମ୍‌କେ (DMK) ମୁଖ୍ୟ ଏମ୍‌କେ ଷ୍ଟାଲିନ୍‌ଙ୍କ ସମର୍ଥନ ଲୋଡ଼ିବାକୁ ଚେନ୍ନାଇରେ ପହଞ୍ଚିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ସମେତ INDIA ମେଣ୍ଟର ବହୁ ବରିଷ୍ଠ ନେତା। କିନ୍ତୁ ଷ୍ଟାଲିନ୍‌ଙ୍କ ଜବାବ ଏବେ ରାଜନୈତିକ ମହଲରେ ଚର୍ଚ୍ଚା ବଢ଼ାଇଛି।

ରବିବାର ରାହୁଲ ଗାନ୍ଧୀ, କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ, ସୋନିଆ ଗାନ୍ଧୀ, ପଶ୍ଚିମବଙ୍ଗ ପୂର୍ବତନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ଅଭିଷେକ ବାନାର୍ଜୀ, ସିପିଆଇ(ଏମ୍‌) ସାଧାରଣ ସମ୍ପାଦକ ଏମ୍‌ଏ ବେବି, ସମାଜବାଦୀ ପାର୍ଟିର ରାଜୀବ ରାୟ ଏବଂ ଆର୍‌ଜେଡିର ଅଭୟ କୁମାର ସିହ୍ନା ଓ ସୁଧାକର ସିଂହ ଚେନ୍ନାଇ ଗସ୍ତ କରିଥିଲେ। ସେଠାରେ ସେମାନେ ଷ୍ଟାଲିନ୍‌ଙ୍କ ସହ ଆଲୋଚନା କରି ପରିସୀମନ ସମ୍ପର୍କିତ ବିଲ୍‌କୁ ବିରୋଧ କରିବାକୁ ଅନୁରୋଧ କରିବାର ଯୋଜନା ରହିଥିଲା। ଏହାପରେ ନେତାମାନେ ଏନ୍‌ସିପି (ଏସ୍‌ପି) ମୁଖ୍ୟ ଶରଦ ପାୱାରଙ୍କୁ ମୁମ୍ବାଇରେ ଭେଟିବାର କାର୍ଯ୍ୟକ୍ରମ ମଧ୍ୟ ରହିଛି।

ଯାହାପୂର୍ବରୁ ରାହୁଲ ସୋସିଆଲ ମିଡିଆରେ ଏକ ପୋଷ୍ଟ ଜାରି କରିଥିଲେ । ରାହୁଲ ଗାନ୍ଧୀ ସୋସିଆଲ ମିଡିଆ ‘X’ରେ ଷ୍ଟାଲିନ୍‌ଙ୍କୁ ‘ଭାଇ’ ବୋଲି ସମ୍ବୋଧନ କରି ବିଲ୍‌କୁ ପରାସ୍ତ କରିବାକୁ ଏକାଠି ହେବା ପାଇଁ ଆହ୍ୱାନ ଦେଇଥିଲେ। ତାଙ୍କ କହିବା ଅନୁଯାୟୀ, ଲୋକସଭା ଆସନ ସଂଖ୍ୟାକୁ ୮୫୦କୁ ବୃଦ୍ଧି କରିବାର ପ୍ରସ୍ତାବ ଦେଶର ଗଣତନ୍ତ୍ର ପାଇଁ ବିପଦ ସୃଷ୍ଟି କରିପାରେ। ଏହାଦ୍ୱାରା ବିଜେପି-ଆର୍‌ଏସ୍‌ଏସ୍‌କୁ ନିଜ ସୁବିଧା ଅନୁସାରେ ଦେଶର ନିର୍ବାଚନୀ ମାନଚିତ୍ର ପୁନଃନିର୍ଦ୍ଧାରଣ କରିବାର ସୁଯୋଗ ମିଳିବ ବୋଲି ସେ ଅଭିଯୋଗ କରିଛନ୍ତି। ହେଲେ ଏହା ଜବାବରେ ଯାହା ଷ୍ଟାଲିନ୍ କହିଛନ୍ତି ତାହା ଏବେ ଚର୍ଚ୍ଚାରେ ରହିଛି । ରାହୁଲଙ୍କ ଅନୁରୋଧର ଜବାବରେ ଷ୍ଟାଲିନ୍ କହିଛନ୍ତି, ସମ୍ବିଧାନ ଓ ରାଜ୍ୟଗୁଡ଼ିକର ଅଧିକାର ସୁରକ୍ଷାରେ ଡିଏମ୍‌କେର ଐତିହାସିକ ଭୂମିକାକୁ ସ୍ୱୀକାର କରିଥିବାରୁ ସେ ରାହୁଲଙ୍କୁ ଧନ୍ୟବାଦ ଜଣାଉଛନ୍ତି। ତାମିଲନାଡୁ ଓ ତାମିଲ ଲୋକଙ୍କ ସ୍ୱାର୍ଥକୁ ଆଖି ଆଗରେ ରଖି ଡିଏମ୍‌କେ ପ୍ରତ୍ୟେକ ନିଷ୍ପତ୍ତି ନେଇଥାଏ। ଏହି ନୀତି ସହ କୌଣସି ସାଲିସ୍ କରାଯିବ ନାହିଁ। ସେ ଆହୁରି କହିଛନ୍ତି, ଇତିହାସ ଆମକୁ କଟ୍ଟାବୋମ୍ମନ୍ ଭାବେ ମନେ ରଖିବ, ଏଟ୍ଟାପ୍ପନ୍ ଭାବେ ନୁହେଁ। ତେବେ ତାମିଲ ରାଜନୈତିକ ଇତିହାସରେ କଟ୍ଟାବୋମ୍ମନ୍ ବୀରତ୍ୱ ଓ ପ୍ରତିରୋଧର ପ୍ରତୀକ ହୋଇଥିବାବେଳେ ଏଟ୍ଟାପ୍ପନ୍ ବିଶ୍ୱାସଘାତକତାର ପ୍ରତୀକ ଭାବେ ପରିଚିତ।

ତେବେ ସମ୍ବିଧାନ (୧୩୨ତମ ସଂଶୋଧନ) ବିଲ୍‌, ୨୦୨୬ ଏବଂ ଡିଲିମିଟେସନ୍ (ଦ୍ୱିତୀୟ) ବିଲ୍‌ରେ ଲୋକସଭା ଆସନ ସଂଖ୍ୟାକୁ ୮୫୦ କରିବାର ପ୍ରସ୍ତାବ ରହିଛି। ଏଥିରେ ରାଜ୍ୟଗୁଡ଼ିକ ପାଇଁ ୮୧୫ ଏବଂ କେନ୍ଦ୍ରଶାସିତ ଅଞ୍ଚଳ ପାଇଁ ୩୫ଟି ଆସନ ପ୍ରସ୍ତାବିତ ହୋଇଛି। ବର୍ତ୍ତମାନର ଆସନ ସଂଖ୍ୟା ତୁଳନାରେ ୫୦ ପ୍ରତିଶତ ବୃଦ୍ଧିର ଫର୍ମୁଲା ରହିଛି। ଏହା ସହିତ ଲୋକସଭା ଓ ବିଧାନସଭାରେ ମହିଳାଙ୍କ ପାଇଁ ଏକ-ତୃତୀୟାଂଶ ସଂରକ୍ଷଣ ତୁରନ୍ତ ଲାଗୁ କରିବାର ଉଦ୍ଦେଶ୍ୟ ରହିଛି। ପ୍ରସ୍ତାବ ଅନୁଯାୟୀ, ଆସନ ବୃଦ୍ଧି ପରେ ୨୦୫୧ ପର୍ଯ୍ୟନ୍ତ ଏହାକୁ ସ୍ଥିର ରଖିବାର ଯୋଜନା ରହିଛି। ବିଲ୍‌ ପାରିତ ପାଇଁ ସଂସଦର ଉଭୟ ଗୃହରେ ଦୁଇ-ତୃତୀୟାଂଶ ସମର୍ଥନ ସହ ଅତିକମ୍‌ରେ ଅଧା ରାଜ୍ୟର ଅନୁମୋଦନ ଆବଶ୍ୟକ।

ଡିଏମ୍‌କେର ଲୋକସଭାରେ ୨୨ ଜଣ ସାଂସଦ ଅଛନ୍ତି। ଦଳ ଆସନ ସଂଖ୍ୟା ୫୦ ପ୍ରତିଶତ ବଢ଼ାଇବାର ଫର୍ମୁଲାକୁ ସମର୍ଥନ କରିଥିଲେ ମଧ୍ୟ ତାମିଲନାଡୁର ବର୍ତ୍ତମାନର ୭.୧୮ ପ୍ରତିଶତ ପ୍ରତିନିଧିତ୍ୱ ହ୍ରାସ ନପାଇବା ଉପରେ ଜୋର ଦେଇଛି। ରିପୋର୍ଟ ଅନୁସାରେ, ଡିଏମ୍‌କେ ସହ ବିଆର୍‌ଏସ୍‌, ୱାଇଏସ୍‌ଆର୍‌ସିପି, ଟିଡିପି, ଜନସେନା ଓ ଜେଡିଏସ୍‌ ମଧ୍ୟ ଏହି ଫର୍ମୁଲାକୁ ସମର୍ଥନ କରୁଛନ୍ତି। ଦକ୍ଷିଣ ଭାରତର ପ୍ରାୟ ୬୦ ପ୍ରତିଶତ ସାଂସଦ ଏହା ସପକ୍ଷରେ ଥିବା ଦାବି କରାଯାଇଛି।

ଅନ୍ୟପଟେ, କଂଗ୍ରେସ ନେତା ଜୟରାମ ରମେଶ ଏହି ଘଟଣାକୁ ନେଇ ‘ପିକ୍ଚର ଅଭି ବାକି ହୈ ବ୍ରୋ’ ବୋଲି ପୋଷ୍ଟ କରିଛନ୍ତି। ଏବେ ପରିସୀମନ ବିଲ୍‌କୁ ନେଇ INDIA ମେଣ୍ଟର ରଣନୀତି କେଉଁ ମୋଡ଼ ନେବ ଏବଂ ସଂସଦରେ କେଉଁ ଦଳ କାହା ସହ ରହିବ, ତାହା ଉପରେ ସମସ୍ତଙ୍କ ନଜର।

Leave A Reply

Your email address will not be published.