Latest Odisha News

BREAKING NEWS

ମୋ ରଚିତ ଗଳ୍ପ ଓ କବିତା ପାଠକଙ୍କ ହୃଦୟ ଛୁଇଁଯାଉ : ଅନିମା ସ୍ମୃତିପ୍ରଜ୍ଞା

ଓଡ଼ିଆ ସାହିତ୍ୟର ଗଳ୍ପ ଓ କବିତା ବିଭାଗରେ ତାଙ୍କ ଲେଖନୀ ଖୁବ ଚଳ-ଚଞ୍ଚଳ । ଓଡ଼ିଶାର ଅନେକ ପତ୍ର-ପତ୍ରିକାରେ ତାଙ୍କ ସାହିତ୍ୟ କୃତି ପ୍ରକାଶିତ ।ବୃତ୍ତିରେ ଶିକ୍ଷୟତ୍ରୀ ହେଲେ ମଧ୍ୟ ଓଡ଼ିଆ ସାହିତ୍ୟ ପ୍ରତି ସେ ବାଲ୍ୟକାଳରୁ ସମର୍ପିତ ।

ଓଡ଼ିଆ ସାହିତ୍ୟ ଜଗତର ‘ନବ ପ୍ରତିଭା’ ଅନିମା ସ୍ମୃତିପ୍ରଜ୍ଞାଙ୍କ ସହ ‘ସ୍ୱଳ୍ପ ଆଳାପ’

 

ସାହିତ୍ୟ ସର୍ଜନା ପାଇଁ କାହିଁକି ଆଗ୍ରହୀ ହେଲେ?

ଜହ୍ନ ମାମୁଁରୁ ଗପ ପଢ଼ି ସାହିତ୍ୟ ପ୍ରତି ଆଗ୍ରହୀ ହୋଇଥିଲି । ପାଠରେ ସାହିତ୍ୟ ବହିର ଗଳ୍ପ ଏକାଙ୍କିକା , ପଦ୍ୟ ଏବଂ ପରେ ବିଭିନ୍ନ ପତ୍ର ପତ୍ରିକା ମତେ ସାହିତ୍ୟ ମନସ୍କ କରିଥିଲା । ପରେ ପରେ ଓଡ଼ିଆ ଉପନ୍ୟାସ ପଢ଼ି ସାହିତ୍ୟ ସର୍ଜନା ପାଇଁ ମନରେ ଆଗ୍ରହ ଆସିଲା ।

ପ୍ରଥମ ପ୍ରକାଶିତ ଲେଖାଟି କଣ ଥିଲା ଓ ତାହା କିପରି ଆପଣଙ୍କୁ ପ୍ରେରିତ କରିଥିଲା?

ପ୍ରଥମ ପ୍ରକାଶିତ ଲେଖାଟି ଥିଲା ସ୍କୁଲ ପତ୍ରିକାରେ ପ୍ରକାଶିତ ଏକ ଇଂରାଜୀ ଗପ। ସେ ଗପଟି ମୁଁ ପରୀକ୍ଷା ରେ ଗପକୁ ସମ୍ପୂର୍ଣ୍ଣ କରିବା ପ୍ରଶ୍ନର ଉତ୍ତର ପାଇଁ ଲେଖିଥିଲି ହେଲେ ତାହା ଆମ ଇଂରାଜୀ ଶିକ୍ଷୟତ୍ରୀଙ୍କୁ ପସନ୍ଦ ଆସିଥିବାରୁ ଗପଟି ପତ୍ରିକାରେ ସ୍ଥାନ ପାଇଥିଲା । ମୁଁ ସେଠାରୁ ହିଁ ଗୋଟେ ଆଶ୍ଵାସନା ପାଇଥିଲି ଯେ ମୋର ଲେଖା ଚେଷ୍ଟା କଲେ ନିଶ୍ଚିତ ଭଲ ହେବ।

ଗଳ୍ପ / କବିତା ମାଧ୍ୟମରେ ଆପଣଙ୍କର କେଉଁ ବାର୍ତ୍ତା ରହିଥାଏ ?

ଗଳ୍ପ କିମ୍ବା କବିତା ମାଧ୍ୟମରେ ମୁଁ ମଣିଷଙ୍କୁ ନିଜ ହୃଦୟର ଆଇନା ଦେଖେଇବାକୁ ଚେଷ୍ଟା କରେ। ଯେତେ ଦୃଢ଼ ମନା ବ୍ୟକ୍ତି ହେଲେ ମଧ୍ୟ ମଣିଷ ହୃଦୟ ତାର ଭାବନା ଆଉ ମନ ଯୋଗୁ ପରିଚିତ। ମୋ ଲେଖା ସେଇ ହୃଦୟ କୁ ଛୁଇଁ ଯାଉ ବାସ ସେତିକି ମୋର ପ୍ରୟାସ।

ତାଙ୍କ ରଚନାରୁ ଗଳ୍ପ : କାଳିଆର କପଟ

କେତେ ଦିନ ବିତିଗଲାଣି । ନିରଞ୍ଜନଙ୍କ ମନରେ ଇଚ୍ଛା ମହାପ୍ରଭୁଙ୍କୁ ଦର୍ଶନ କରିବେ । ପାଖରେ ତ ଟଙ୍କା ନାହିଁ , ପୁରୀ ଯିବେ ବା କେମିତି? ନୈରାଶ୍ୟ ବୋଧରେ ମନଟା କେମିତି କେମିତି ହେଇଗଲା। ଭାରି ମନରେ କାମକୁ ବାହାରିଲେ। ଫେରିଲା ବେଳେ ସାର୍ ହଠାତ୍ ଟଙ୍କା ପାଞ୍ଚଶ ଟଙ୍କା ହାତକୁ ଗେଞ୍ଜି ଦେଇ କହିଲେ ନିଅ ଖର୍ଚ୍ଚ କରିବ ।

ନିରଞ୍ଜନ ଆଉ କିଛି ନଭାବି ପୁରୀ ବସ ଧରିଲେ । ଗାଡି ଭଡ଼ା ସବୁ ମିଶି ହେଇଗଲା ତିନିଶହ ପଚିଶ ଟଙ୍କା ଆଉ ଗୋଟେ ବ୍ୟାଗ ଦେଢ଼ଶ ଟଙ୍କା ପାଖରେ ଆଉ ମାତ୍ର ତିରିଶ କି ଚାଳିଶ ଟଙ୍କା। ହଉ ଟଙ୍କା ରେ କଣ ଅଛି , ବଡ଼ ଦାଣ୍ଡରେ ପହଞ୍ଚିଲି ମାନେ ଜଗା ବୁଝିବ। ଏମିତି ଭାବି ପାଦ ବଢାଉଥାନ୍ତି ନିରଞ୍ଜନ । ମନ୍ଦିରରେ ପହଞ୍ଚିଲା ପରେ ଜଣେ ସେବାୟତ ଦେଖା ହେଲେ। ସେ ପଚାରିଲେ ଏତେ ରାତିରେ କୁଆଡେ ଆସିଛୁ ? ହଉ ଆସିଛୁ ଏତେ ମନ ନେଇ ଲାଗୁଛି ଦେଖି ଦେଇ ଯିବୁ କାଳିଆକୁ। ମୋ ପାଖରେ ବ୍ୟାଗ୍ ରଖିଦେଇ ଯା। ନିରଞ୍ଜନ କିନ୍ତୁ ବିଶ୍ବାସ ଟିକେ ପାଇଲେ ନାହିଁ। ବ୍ୟାଗ୍ ରଖିଲେ ମୋବାଇଲର ବ୍ୟାଟେରୀ କାଢି ପକେଟରେ ପୁରାଇଲେ। ସିଧା ଶ୍ୱେତଗଙ୍ଗା ଆଡ଼େ ମୁହାଁଇଲେ ।
“ହେଇ କୁଆଡେ ଯାଉଛୁ? ପଛରୁ ଡାକ ଛାଡ଼ିଲେ ସେବାୟତ। ସେଠି ରାତିରେ ପ୍ରେତ ବୁଲନ୍ତି । ସହଜେ ଆସି ରାତି ବାରଟା ବାଜିବା ଉପରେ। କାହିଁକି ଯାଉଛୁ ସେଠି?”

ତାଙ୍କ କଥା ନ ଶୁଣି ନିରଞ୍ଜନ ବାଟ ଧରିଲେ । ଗୋଟେ ବୁଢ଼ୀ ଆଗରେ ଚାଲୁଥିଲା। “ପ୍ରେତ ଭୂତ ଏଠି କଣ କିରେ ପୁଅ! ଚାଲେ ମୋ ସହ ସେଠିକୁ। ଗାଧେଇ ପଡ଼ି ଆସିବୁ। ” ପୋଖରୀ ରେ ପହଞ୍ଚିଲା ପରେ ସେ ଦେଖିଲେ ବୁଢ଼ୀ କୋଉଠି ଆଉ ଦିଶୁନି। ଛନକା ପଶିଲା ତାଙ୍କ ଛାତି ରେ। ସାହସ ବାନ୍ଧି ପାଣିରେ ପଶିଲା ବେଳେ ଦେଖିଲେ ପୁରୁଣା କ୍ୟାଲେଣ୍ଡର ଭାସୁଛି ଆଉ ଜଗନ୍ନାଥ ଙ୍କ ଚିତ୍ର ଅଙ୍କା ହେଇଛି ଉପରେ। ଠାକୁର ଅଛନ୍ତି ଭାବି ସ୍ନାନ ସାରିଲେ ନିରଞ୍ଜନ। ଗଲା ବେଳେ ଭାବିଲେ କ୍ୟାଲେଣ୍ଡର ଟା ଉଠେଇ ଦେବେ ପାଣିରୁ। ହାତ ପୁରେଇଲା ବେଳକୁ କିଛି ନାହିଁ ସେଠି କିନ୍ତୁ ଆଖିକୁ ଦିଶୁଛନ୍ତି ଜଗନ୍ନାଥ। ଏଇଟା ଭ୍ରମ ନା ତାଙ୍କ ଭକ୍ତିର ପ୍ରତିବିମ୍ବ ?

ଠାକୁରଙ୍କ ଦର୍ଶନ ସମୟରେ ଭାବବିହ୍ୱଳ ହେଇ ପଡୁ ଥାନ୍ତି । ଗର୍ଭଗୃହ ପାଖରେ ବସିଥିବା ପଣ୍ଡା କହିଲେ ଦେ ଯାହା ପଇସା ଅଛି, ଟଙ୍କା ଦୁଇ ହଜାର ଦେ। ଠୋ କରି ହସି ପକେଇଲେ ନିରଞ୍ଜନ ” ମୁଁ ଦେବି ପଇସା କାଳିଆକୁ? ସେ ପରା ବିଶ୍ଵ ଚଳଉଛି ! ମୋ ଭଳି ଛାର ଗରିବଠୁ କଣ ସେ ଆଶା କରିବ? ତାର କଣ ଅଭାବ ଯେ ମୁଁ ପୁଣି ତାକୁ ଦେବି?”

ପଣ୍ଡା ଜଣକ ରାଗରେ ଅଭିଶାପ ଦେଲା ଭଙ୍ଗୀରେ କହିଲେ “ତୋ ପାଖରେ ଆଜି ଟଙ୍କାଟେ ରହିବନି । ତୁ ସାଆନ୍ତକୁ ମନା କଲୁ ! ଏତେ ସାହସ ତୋର!! ”

ମନ୍ଦିର ବାହାରୁ ସେବାୟତଙ୍କଠାରୁ ବ୍ୟାଗ୍ ଆଣି ସମୁଦ୍ର ଆଡ଼େ ଗଲେ ସେ। ମହୋଦଧିରେ ସ୍ନାନ ନ କରି ଆଉ ଟିକେ ପବିତ୍ର ପାଣିରେ ଛିଞ୍ଚି ହେଇଯିବେ ଭାବିଲେ। ତଳକୁ ନାଇଁଲା ବେଳେ ପଇସା ମୋବାଇଲ ସବୁ ଭସେଇ ନେଇଗଲା ଢେଉ। ଫେରି ଆସିଲା ମୋବାଇଲ କିନ୍ତୁ ଆସିଲା ନାହିଁ ଚାଳିଶି ଟଙ୍କା। ଇଏ କି କଥା ? ରାଗ ଆଉ ଦୁଃଖ ରେ ନାଲି ପଡିଗଲେ ନିରଞ୍ଜନ।

“ବଡ଼ ଠାକୁର ବୋଲି ତୋର ଏତେ ଗର୍ବ ନାଇ?? ତୋର ଏମିତି ଅଭାବ ଯେ ତତେ ଟଙ୍କା ଦେଲି ନାହିଁ ବୋଲି ତୁ କପଟ କଲୁ? ତୁ ଏଡେ କପଟିଆ,ମୋ ଟଙ୍କା କେଇଟି ନେଇଗଲୁ? ମୁଁ ଏବେ କେମିତି ଫେରିବି? ସେସବୁ ତୁ ବୁଝିବୁ। ତତେ ଦେଖିବି ବୋଲି ଆସିଥିଲି ଆଉ ତୁ ମୋ ସହ ଏମିତି କଲୁ? ”

ମନେ ମନେ ଗାଳି ଦେଇ ରାଗରେ ଚାଲି ଚାଲି ଅନେକ ସମୁଦ୍ର କୁଳରେ ଆଗେଇ ଗଲେଣି ନିରଞ୍ଜନ । ଭୋର ହେଇ ଆସୁଥାଏ ।ସକାଳ ସୂର୍ଯ୍ୟଙ୍କର ନରମ କିରଣରେ ସିପ ଶାମୁକା ସବୁ ଚିକମିକ୍ କରି ଝଲ୍ସୁଥନ୍ତି ବାଲିରେ। ଗୋଟେ ଗୋଟେ କରି ଗୋଟେଇ ବ୍ୟାଗରେ ପୁରାଉଥନ୍ତି।

ଭୋକରେ ପେଟ ଆଉଟୁ ପାଉଟୁ ହେଉଥାଏ । କାକୁଡ଼ି ବିକା ବାଲା ତାର ଠେଲା ସଯାଡୁ ଥାଏ। ବ୍ୟାଗରୁ ଶବ୍ଦ ଆସିଲା ଝଣ ଝଣ । ହାତ ପୁରେଇଲା ବେଳକୁ ଗଣି ଗଣି ଟଙ୍କି କିଆ ଦଶଟି। ଆରେ ଇଏ କୋଉଠୁ ଆସିଲା? ଆଶ୍ଚର୍ଯ୍ୟ ହେଇଗଲେ ନିରଞ୍ଜନ। ଶାମୁକା ସବୁ କୁଆଡେ ଗଲା ? ମନେ ମନେ ହସିଲେ ସେ। କାକୁଡ଼ି ଦୁଇଟା ଖାଇ ଭୋକ ମେଣ୍ଟାଇଲେ। ପୁରୀ ଷ୍ଟେସନରେ ପହଞ୍ଚିଲା ପରେ ସେମିତି ସେଇ ଠଣ ଠଣ ଶବ୍ଦ। ତିରିଶି ଟଙ୍କା ଖୁଚୁରା ବାହାର କଲେ ବ୍ୟାଗରୁ ସେ।

ଦୁଇ ହାତ ଟେକି ଦେଲେ ଆକାଶକୁ ” ଆହେ ମଣିମା। ତୁମେ ଏଡେ ମନୁଆ? ତୁମକୁ କଣ କେଇ ପଦ କହି ଦେଲି ଯେ ଋଷି ଗଲ? ଚାଳିଶି ଟଙ୍କା ଭସେଇ ନେଲ ପୁଣି ଏମିତି ଫେରେଇଲ? ହଉ ଏବେ ରାଗ ଶାନ୍ତ ହଉ ମଣିମା। ତୁମେ ପରା ଭକ୍ତଙ୍କ ମୌଡ ମଣି। ମୋର ମଧ୍ୟ ସାଆନ୍ତ ରେ ତୁ। ତତେ ମାନିଗଲି। ”
ଆଖି ଲୋତକ ପୂର୍ଣ୍ଣ ହେଇ ଆସୁଥାଏ ତାଙ୍କର। ତାଠୁ ବଡ଼ କଥା ହେଲା ହୃଦୟ ପୂରି ଯାଇଥାଏ ଜଗନ୍ନାଥଙ୍କ ପ୍ରେମରେ।

ପୁରୀ ଆସି କାହାର ହୃଦୟ ପୁରିନି ? ଏମିତି କଣ ହେଲାଣି??

Comments are closed.