ବୈଚିତ୍ର୍ୟମୟ ବିଜୁ ପଟ୍ଟନାୟକ
ମାୟାଧର ନାୟକଙ୍କ ନିୟମିତ ସ୍ତମ୍ଭ ‘ଶବ୍ଦ ତୂଣୀର’
ଗଣତନ୍ତ୍ରର ସେ ଥିଲେ ଗଣ୍ୟମାନ୍ୟ ରଣହୁଂକାରୀ ରାଜନେତା । ଜନତାର ଜୟଜୟକାର ଥିଲା ତାଙ୍କ ତୁଙ୍ଗ ରାଜନୈତିକ ସଂଗ୍ରାମୀ ଜୀବନର ସଂକଳ୍ପବଦ୍ଧ ସ୍ୱର । ସେ ସ୍ୱର ସବୁଠି ସ୍ପଷ୍ଟ, ଶାଣିତ, ସାହସିକ, ସାଗ୍ନିକ । ଅନେକେ ଆକ୍ଷେପ କରନ୍ତି କେବେକେବେ କହୁକହୁ ସେ ଶାଳୀନତାର ସୀମା ସରହଦ ଭୁଲିଯାଇ ସହରୀ ସଂସ୍କାରଗ୍ରସ୍ତ ସଭାଜନମାନଙ୍କୁ ଶୁଣାଇଯାଆନ୍ତି ବିକଟ ସିଂହନାଦ! ମାତ୍ର ଏଇ ତ ଥିଲା
ବୈଚିତ୍ର୍ୟମୟ ବିଜୁ ପଟ୍ଟନାୟକଙ୍କର ନିଜସ୍ୱ ନିର୍ଭୀକ ବ୍ୟକ୍ତିତ୍ୱର ଅକପଟ ଅଭିବ୍ୟକ୍ତି! ସେ ପଛରେ ରହି ପ୍ରତିପକ୍ଷ ପ୍ରତିନିଧିବର୍ଗକୁ ଗଛରେ ଟଙ୍ଗାଇଦେବାକୁ କେବେ ମନ୍ତ୍ରଣା କରିନାହାନ୍ତି ମିତ୍ରପକ୍ଷ ସହିତ । ବରଂ ପସନ୍ଦ କରିଆସିଛନ୍ତି ସାମ୍ନାସାମ୍ନି ଜବରଦସ୍ତ ଜୋର୍ ପ୍ରଦର୍ଶନରେ, ବେଳେବେଳେ ଉତ୍ତୋଳନ କରିଛନ୍ତି ମୁଷ୍ଟି, ବନ୍ଧୁକର ଗୁଳି ପରି ମୁହଁରୁ ଛୁଟାଇଛନ୍ତି ଗାଳିଗର୍ଜନ । ମାତ୍ର ସାଧାରଣ ମଣିଷ ପାଇଁ ସେ ସର୍ବାଧିକ ପ୍ରିୟନେତା ପାଲଟିପାରିଛନ୍ତି ତାଙ୍କ ସମୟରେ । ତାଙ୍କୁ ଶଙ୍କିରହୁଥିବା ଶତ୍ରୁ ବି ତାରିଫ୍ କରିଥାଏ ତାଙ୍କ ବାଙ୍କିନଥିବା ବ୍ୟକ୍ତିତ୍ୱର ଏଇ ବିସ୍ମୟକର ବିଶାଳତାକୁ … ।
ସମକାଳୀନ ତରୁଣତର ପୀଢ଼ି ତ କେବେହେଲେ ପାସୋରିପାରନ୍ତି ନାହିଁ ତାଙ୍କ ରୋକଠୋକ୍ ରାଜନୀତିକ ଦୁଃସାହସିକତାର ଦୁର୍ଦମନୀୟ ଦିଗଟାକୁ! ଓଡ଼ିଶା ପାଇଁ ଭାରତର ବଡ଼ବଡ଼ ମୁଣ୍ଡିଆଳଙ୍କୁ ବି ମୁହେଁମୁହେଁ ଜବାବ୍ ଦେଇଛନ୍ତି ସେ । ଏକ ଅବିଜିତ ଅଗ୍ନିପଥିକର ଅନ୍ୟନାମ – ବିଜୁ ପଟ୍ଟନାୟକ । ଏକ ସ୍ୱାଭିମାନୀ ସ୍ୱରଲହରର ସମ୍ବୋଧନ – ବିଜୁ ପଟ୍ଟନାୟକ । ଏକ ସ୍ପର୍ଦ୍ଧିତ ପୌରୁଷର ସ୍ପନ୍ଦନ ପ୍ରବଣ ପରିଚିତି – ବିଜୁ ପଟ୍ଟନାୟକ । ଅଥଚ ବାହ୍ୟତଃ କଠୋର ମନେ ହେଉଥିବା ଏଇ ବୀରତ୍ୱପୂର୍ଣ୍ଣ ଜନନେତା ଯେ ଅନ୍ତର୍ଗତ ଚରିତ୍ରରେ କେତେ କୋମଳ, ସେ ସତ୍ୟ ବି ନ ଜାଣିଛି କିଏ? ସେଥିପାଇଁ ସେ ଯେତେବେଳେ ଶେଷଯାତ୍ରାରେ ମହାପଥିକ, ସେତେବେଳେ ତାଙ୍କ ଶବଯାତ୍ରା ତ ଥିଲା ଜନସ୍ରୋତର ଉତ୍ତାଳ ଶୋଭାଯାତ୍ରା – ମହାସମୁଦ୍ର ଲହରୀ ପରି ଅସମ୍ଭବ ଅସମ୍ଭାଳ! କେନ୍ଦ୍ର ଓ ରାଜ୍ୟସ୍ତରର ମହାଦ୍ରୁମମାନେ କାହିଁକି, ଏ ମାଟିର ଦୂବଘାସ ବି ତାଙ୍କ ଶେଷବିଦାୟରେ ଥିଲେ ବ୍ୟଥାପ୍ଳୁତ ।
ରାଜନୀତିର ରଙ୍ଗୀନ ରୂପକାର ସେ । ଦୁର୍ନାମର ଧୂଳିଝଡ଼କୁ ବେଖାତିର କରି ସେ ଆମ ଅନ୍ଧଦିଗନ୍ତରେ ଆଙ୍କିଦେଇଛନ୍ତି ଇତିହାସର ଉଜ୍ଜ୍ୱଳ ଆଭାସଚିତ୍ର । କଳିଙ୍ଗ, ଖାରବେଳରୁ ଆରମ୍ଭ କରି ଓଡ଼ିଶାର ଗୌରବୋଜ୍ଜ୍ୱଳ ଐତିହ୍ୟର ଉଦାହରଣମୟ ଉଦ୍ବୋଧନ ଥିଲା ତାଙ୍କ ଭବିଷ୍ୟତର ଭୂକଳ୍ପକୁ ରୂପଦେବା ଉଦ୍ଦେଶ୍ୟରେ ନବଜାଗରଣର ନାନ୍ଦୀପାଠ ଏବଂ ଆଧୁନିକ ଓଡ଼ିଆ ମହାଜାତିକୁ ଏକ ଅଙ୍ଗୀକାରବଦ୍ଧ ଅସ୍ମିତା-ଆନ୍ଦୋଳନରେ ଅନୁପ୍ରେରିତ କରିବା ନିମନ୍ତେ ଏକାନ୍ତ ଅଭିପ୍ରେତ । ନାନା ଜନାଭିମୁଖୀ ଯୋଜନାରୁ ଆରମ୍ଭକରି ଜନମତ୍ତରେ ଶେଷକୁ ଜଗନ୍ନାଥ ପର୍ଯ୍ୟନ୍ତ ପରିଭାଷାର ଫର୍ଦ୍ଦ ପାଠ ହୁଏତ ତାଙ୍କ ରାଜନୀତିର ରଚନାବୃତ୍ତି। କିନ୍ତୁ ଶିଳ୍ପ-ବିଜ୍ଞାନ-ବାସ୍ତବତାକୁ ଭିତ୍ତି କରି ଏକ ଅତୁଳନୀୟ ଓଡ଼ିଶାର ପୁନଃନିର୍ମାଣ ତାଙ୍କ ଶିରାପ୍ରଶିରାର ଶପଥପାଠ । ପ୍ରତିମୂର୍ତ୍ତିରେ ନୁହେଁ, ଭାବମୂର୍ତ୍ତିରେ ସେ ଭାସ୍କର ସ୍ୱପ୍ନ ଓ ସମ୍ଭାବନାର ସମନ୍ୱୟୀ ସେତୁନିର୍ମାତା ସେ । ଚିରଉନ୍ନତଶିର ବୀରଉତ୍କଳୀ ଭାବରେ ସର୍ବଭାରତୀୟ ମାନ୍ୟତାପ୍ରାପ୍ତ ମର୍ଯ୍ୟାଦାପୁରୁଷ । ସାହସ, ସ୍ୱାଭିମାନ, ସାମ୍ମୁଖ୍ୟ – ଏଇ ତିନୋଟି ତାଙ୍କ ବୈଚିତ୍ର୍ୟମୟ ବ୍ୟକ୍ତିତ୍ୱର ବୀଜମନ୍ତ୍ର, ଯେଉଁ ତିନୋଟିକୁ ନେଇ ଗଢ଼ିଉଠିଛି ଗୋଟିଏ ବିକଳ୍ପହୀନ ବିଜୁତ୍ୱ! ଆଜି ତାଙ୍କ ସହିତ ବିଗତ ଦିନର କେତୋଟି ବିରଳ ସ୍ମୃତିର ଏ ସଂକ୍ଷିପ୍ତ ସାଲ୍ତମାମି …
ମାୟାଧର! ଟଙ୍କା କୋଉଠୁ ଆସିବ? ଏମାନେ ସବୁ ଖାଇଦେଇ ଓଡ଼ିଶାକୁ ଋଣରେ ବୁଡ଼ାଇ ଦେଇଛନ୍ତି । ମୁଁ କହିଲି – ଟଙ୍କା ମାଟି ତଳେ ପୋତା ହୋଇଛି । ଖୋଳନ୍ତୁ – ବିକନ୍ତୁ – କାରଖାନା କରନ୍ତୁ – ଓଡ଼ିଶା ଭାରତର ଏକନମ୍ବର ଧନୀରାଜ୍ୟରେ ପରିଣତ ହେବ । ସେ କହିଲେ – ହେ! ଖୋଲିକି କହୁନୁ । ମୁଁ କହିଲି – ଓଡ଼ିଶାରେ କ’ଣ ନାହିଁ? ରତ୍ନଗର୍ଭା ଓଡ଼ିଶା । ଯାହାର ମାଟି ତଳେ, ପଥର ତଳେ କ୍ରୋମାଇଟ, କୋଇଲା, ମାଙ୍ଗାନିଜ, ବକ୍ସାଇଟ, ହୀରା, ମୋତି, ମାଣିକ, ସୁନା, ଜେମ୍ସ୍ ଷ୍ଟୋନ ୨୩ ପ୍ରକାର ମହାର୍ଘ ଧାତୁ ପ୍ରକୃତି ସାଇତି ରଖିଛି ।
ଆପଣ ଯଦି ଏସବୁ ଖଣିଜ ସମ୍ପଦକୁ ଏକ୍ସ୍ପୋର୍ଟ ନକରି ଆମ ରାଜ୍ୟରେ ମୂଲ୍ୟଯୁକ୍ତ କାରଖାନା ଜରିଆରେ ବିନିଯୋଗ କରିପାରନ୍ତେ – ତା’ହେଲେ ଓଡ଼ିଶା ହସିଉଠନ୍ତା । ଆପଣଙ୍କ ସ୍ୱପ୍ନର ଓଡ଼ିଶା ସ୍ୱପ୍ନ ସଫଳ ହୁଅନ୍ତା । ସେ କହିଲେ – ରତ୍ପାନୀ ବନ୍ଦ କରିବା ? ଏହା କ’ଣ ସମ୍ଭବ? ମୁଁ କହିଲି – ଅସମ୍ଭବ ଆଶାକୁ ହାତ ବଢ଼ଉଥିବାର ମଣିଷ ଆପଣ । ଖାଲି ଗୋଟିଏ ଗାରରେ, ସେଇ ଗୋଟିଏ ଦସ୍ତଖତରେ କୋଟିଏ ଚାକିରି । ଦେଖିବେ ଓଡ଼ିଶା ଆଉ ବିଶ୍ୱଦରବାରରେ ‘ଗରିବ ରାଜ୍ୟ’ ବୋଲି ଚିହ୍ନବର୍ଣ୍ଣ ରହିବ ନାହିଁ । ସେ କହିଲେ – ଠିକ୍ କହୁଛୁ ।
ଦେଖିବା! ଯିଏ ମୋତେ ଏସବୁ କଥା କହୁଥିଲେ – ସେ କେବଳ ଓଡ଼ିଶାର ତୁଙ୍ଗ ରାଜନେତା ନୁହଁନ୍ତି – ଦେଶ ତଥା ବିଦେଶରେ ଖ୍ୟାତନାମା ବୈଚିତ୍ର୍ୟମୟ ବିଜୁ ପଟ୍ଟନାୟକ । ଏସବୁ କଥା ମୋତେ – ୧୯୯୦ ମସିହାରେ ବିଜୁବାବୁ ଯେତେବେଳେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ପଦ ଅଳଙ୍କୃତ କଲେ – ସେକ୍ରେଟାରୀଏଟ୍କୁ ଡକାଇ କହିଥିଲେ । ଏ ସବୁ କଥା ତ ରେକଡିଙ୍ଗ କରାଯାଇନି – ମୁଁ ମୋର ବହୁ ପ୍ରବନ୍ଧ ଓ ସାଧାରଣସଭା, ବୈଠକରେ ସେଇ ୧୯୯୦ ମସିହାରୁ କହିଆସୁଛି ।
ଏଇ ସାଢ଼େ ଛ’ଫୁଟିଆ ଡେଙ୍ଗା ମଣିଷକୁ ଧୋବଫରଫର ଖଦଡ଼ ପଞ୍ଜାବୀ ଲୁଗାରେ ଯେତେବେଳେ ସେଦିନ ଯାଜପୁରରୋଡ଼ ଡାକବଙ୍ଗଳା ସାମ୍ନାରେ ଏକ ମଞ୍ଚରେ ଦେଖିଥିଲି – ସେତେବେଳେ ମୁଁ ପଞ୍ଚମ ଶ୍ରେଣୀର ଛାତ୍ର । ଏବେ ମୋତେ ୭୭ ବର୍ଷ ହେଲାଣି । ସେ ମୋତେ ପୁଅଭଳି ସ୍ନେହ କରନ୍ତି । ତାଙ୍କ ସାନ ପୁଅ ନବୀନବାବୁଙ୍କୁ ମଧ୍ୟ ୭୭ ବର୍ଷ । ମୋ ଠାରୁ ମାସେ ସାନ । ବିଜୁବାବୁଙ୍କ ଭାଷଣ ଶୁଣିଲି । ଭାବୁଥାଏ, ୟାଙ୍କ ସହ ଟିକେ ଦେଖା ହୁଅନ୍ତା କି? ସତକୁସତ ଦେଖା ହେଲେ – କଥା ହେଲେ – ଆଦର କଲେ – ଉତ୍ସାହ ଦେଲେ – ପ୍ରଶଂସା କଲେ ମଧ୍ୟ । ଏ ଦେଖା ୧୯୭୪ ମସିହାରେ ଜୟପ୍ରକାଶ ନାରାୟଣଙ୍କ ସମ୍ପୂର୍ଣ୍ଣ କ୍ରାନ୍ତି ସଂଗ୍ରାମ ବେଳେ । ସେତେବେଳେ ବିଜୁବାବୁ ସ୍ୱୈରାଚାରୀ ଶାସନ ବିରୁଦ୍ଧରେ ସ୍ୱର ଉଠାଉଥିବା ଜେପି ଆନ୍ଦୋଳନର ଜୋର୍ଦାର୍ ଜଣେ ମସ୍ତଜବରଦସ୍ତ ନେତା ।
ନବକୃଷ୍ଣ ଚୌଧୁରୀ ଓଡ଼ିଶାରେ ସେତେବେଳକୁ ଏ ନୂତନ କ୍ରାନ୍ତିର କାଣ୍ଡାରୀ । ସମାଜ ସମ୍ପାଦକ ରାଧାନାଥ ରଥ ସବୁପ୍ରକାର ସାହାଯ୍ଯ ଯୋଗାଉଥାନ୍ତି । ମୁଁ ଥାଏ ଘୂର୍ଣ୍ଣିର ମାଟି ସୁକିନ୍ଦା ଘାଟିରେ । ବିଜୁବାବୁଙ୍କ ସଙ୍ଗେ ଭେଟଭାଟ ହୁଏ ବିଭିନ୍ନ ସଭାରେ । କଥା ହୁଏ ଅନେକବାର । ୧୯୭୪ ମସିହାରେ ସମଗ୍ର ଦେଶରେ କଂଗ୍ରେସବିରୋଧୀ – ବିଶେଷ କରି ଫାସିଷ୍ଟ ଇନ୍ଦିରା ଗାନ୍ଧିଙ୍କ ବିରୋଧରେ ଆନ୍ଦୋଳନର ଉତ୍ତାଳ ତରଙ୍ଗ । ଓଡ଼ିଶାରେ ଦୁଃସାହସୀ ଦୁର୍ବାରନେତା ବିଶେଷକରି ବିଜୁବାବୁଙ୍କ ନେତୃତ୍ୱରେ ରାଜ୍ୟବ୍ୟାପୀ ଆନ୍ଦୋଳନ । ସେତେବେଳେ ବିଜୁବାବୁଙ୍କ ଦଳ, ବାମପନ୍ଥୀ ଦଳ ସି.ପି.ଆଇ, ସି.ପି.ଏମ୍, ଏସ୍.ୟୁ.ସି.ଆଇ, ସମେତ ଜନସଂଘ, ପ୍ରଦ୍ୟୁମ୍ନ ବଳଙ୍କ ଦଳ ଇତ୍ୟାଦି ସବୁ ମିଶି ଗୋଟାଏ ମହାସଂଗ୍ରାମର ମଇଦାନରେ । ବିଜୁବାବୁଙ୍କ ନେତୃତ୍ୱରେ ସାରା ରାଜ୍ୟ ପରିକ୍ରମା କରିବାପାଇଁ ବିଭିନ୍ନ ଦଳର ନେତୃବୃନ୍ଦ, ସି.ପି.ଆଇ.ରୁ ଦୁର୍ଗାଚରଣ ମହାନ୍ତି, ସି.ପି.ଏମ୍ରୁ ଶିବାଜୀ ପଟ୍ଟନାୟକ, ଏସ.ୟୁ.ସି.ଆଇ.ରୁ ମାୟାଧର ନାୟକ ଏବଂ ପ୍ରଦ୍ୟୁମ୍ନ ବଳ ଓ ଦାମୋଦର ରାଉତ ପ୍ରମୁଖ ସଦାସକ୍ରିୟ ଭୂମିକାରେ ଅବତୀର୍ଣ୍ଣ । ଚାଲିଥାଏ ସମ୍ବଲପୁରରେ ସାଧାରଣ ସଭା । ସଭା ପୂର୍ବରୁ ସବୁଦଳର କର୍ମୀ ଓ ନେତାଙ୍କ ସାଧାରଣ ଅଧିବେଶନ । ସମ୍ବଲପୁର ଟାଉନହଲରେ ଆମେ ସବୁ ନେତାମାନେ ମଞ୍ଚରେ ବସିଥାଉ । ତଳେ ବିଭିନ୍ନ ଦଳର କର୍ମୀମାନେ ବିଜୁବାବୁଙ୍କୁ ଲଗାତର ପ୍ରଶ୍ନବାଣରେ ଘାଇଲା କରିଦେଉଥାନ୍ତି । ବିଜୁବାବୁ ଉତ୍ତର ଦେବା କଥା । ସେ ତାଙ୍କ ପାଖରେ ବସିଥିବା ନେତାମାନଙ୍କୁ ଚାହିଁଲେ । ହଠାତ୍ କହିଲେ – ମାୟାଧର, ଏସବୁ ପ୍ରଶ୍ନର ଉତ୍ତର ଦିଅ ।
ପ୍ରଶ୍ନ ବିଜୁବାବୁଙ୍କୁ – ଅଥଚ ଉତ୍ତର ଦେବି ମୁଁ ! ବଡ଼ ଅଡୁଆରେ ପଡ଼ିଲି । ମୁଁ ବି ଉତ୍ତର ଦେବାକୁ ବାସ୍ତବରେ ପ୍ରସ୍ତୁତ ନଥିଲି । ସଭା ମଧ୍ୟେ ବିଜୁବାବୁଙ୍କ ନିର୍ଦ୍ଦେଶ ମାନି ଠିଆହେଲି । ମାଇକ୍ରୋଫୋନ ଧରି ମୋର
ସ୍ୱଭାବସୁଲଭ ସ୍ପଷ୍ଟଗମ୍ଭୀର ସ୍ୱରରେ ସମସ୍ତଙ୍କୁ ସମ୍ବୋଧନ କରି କହିଲି – ଭାଇଭଉଣୀମାନେ! ସାରାଦେଶରେ ସମ୍ପ୍ରତି ଅଶାନ୍ତି ଅସନ୍ତୋଷର ନିଆଁ ଜଳୁଛି । ଏ ନିଆଁକୁ ଲିଭାଇବ କିଏ? ଯେଉଁଦିନ ଆମେ ସମସ୍ତେ ଏକ ହୋଇ ଦେଶରେ ଜୟପ୍ରକାଶ ନାରାୟଣଙ୍କ ଡାକରାରେ ସମ୍ପୂର୍ଣ୍ଣ କ୍ରାନ୍ତି ସଂଗ୍ରାମକୁ ସଫଳ କରିବା, ସ୍ୱୈରାଚାରୀ, ଅଗଣତାନ୍ତ୍ରିକ, ଏକଛତ୍ରବାଦୀ ଶାସନର ପତନ ଘଟାଇ ନୂଆ ଭାରତ ଗଢ଼ିତୋଳିବା – ସେଇଦିନ ଯାଇ ପ୍ରଶମିତ ହେବାକୁ ଆରମ୍ଭ କରିବ ଜନରୋଷର ଜ୍ୱାଳା । ଉଦାହରଣ ଦେଇ କହିଲି – ଧରି ନିଅନ୍ତୁ – ଗାଁରେ ଘର ପୋଡ଼ିଯାଉଛି । ଆମେ ସବୁ କ’ଣ କରିବା? ନିଆଁ ଲିଭାଇବା ନା ନାଇଁ? ସଭାରୁ ଶୁଭିଲା – ନିଆଁ ଲିଭାଇବା । ତା’ହେଲେ ଆମ ଭିତରୁ କେହି ଯଦି ଭାବେ ତା’ ଘର ପୋଡ଼ିଗଲା – ମୁଁ କାହିଁକି ନିଆଁ ଲିଭାଇବାବୁ ଯିବି । ମୋ ଘର ତ ପୋଡ଼ିନି । ଆଉ ଯଦି କିଏ ଭାବେ ହରିଜନ ଘର ପୋଡ଼ିଯାଉଛି – ଆମେ କାହିଁକି ତା କୂଅରୁ ପାଣି ଆଣି ନିଆଁ ଲିଭାଇବା । ଏଇ ସବୁ କଥା ଭାବିଲେ ଜଣଙ୍କ ଘର ପୋଡୁପୋଡୁ ସମସ୍ତଙ୍କ ଘର ପୋଡ଼ିଯିବ । ଆମେ ସମସ୍ତେ ବିପତ୍ତିକୁ ମୁଣ୍ଡାଇବା । ପ୍ରଥମେ ନିଆଁ ଲାଗିଥିବା ଘରକୁ ରକ୍ଷା କରିବା । ବର୍ତ୍ତମାନ ବାଦବିବାଦ, ଅଭିମାନ ଛାଡ଼ି ଆସନ୍ତୁ – ସମସ୍ତେ ଏକାଠି ଲଢ଼ିବା । ଏତିକି କଥାରେ ଜୋର କରତାଳି ଦେଇ ସମର୍ଥନ ଜଣାଇଲେ ସମସ୍ତେ । ବିଜୁବାବୁ କହିଲେ – ଚାଲଯିବା ସାଧାରଣ ସଭାକୁ ।
ଆମେ ପଶ୍ଚିମ ଓଡ଼ିଶା ପରିକ୍ରମା କରି ପହଞ୍ଚିଲୁ ଦକ୍ଷିଣ ଓଡ଼ିଶାରେ । ଅବିଭକ୍ତ କୋରାପୁଟ ଜିଲ୍ଲାର ଜୟପୁରଠାରେ ସଭା । ହରିଶଚନ୍ଦ୍ର ବକ୍ସିପାତ୍ର ସଭାର ଆୟୋଜକ । ତାଙ୍କ ସହ କଥା ହୋଇ ଦି’ଚାରିପଦ ତେଲୁଗୁଭାଷାରେ ସମ୍ବୋଧନ ମନେ ରଖି ସଭାରେ ଭାଷଣ ଦେଲାବେଳେ ଦର୍ଶକମାନେ କରତାଳିରେ ସଭାସ୍ଥଳ କମ୍ପାଇଦେଲେ । ବିଜୁବାବୁ ମୁରୁକିମୁରୁକି ହସୁଥାନ୍ତି । ସଭା ଜମିଗଲା । ଦକ୍ଷିଣ ଓଡ଼ିଶାର ଦୁର୍ବାର ଦୁର୍ଗ ବ୍ରହ୍ମପୁରରେ ସଭା ସାରି ସେଦିନ ବିଜୁବାବୁଙ୍କ ଷ୍ଟେସନଓ୍ୟାଗନଭ୍ୟାନରେ ବିଜୁବାବୁ, ଦୁର୍ଗାବାବୁ ଓ ମୁଁ ଭୁବନେଶ୍ୱର ଫେରିଲୁ । ଗାଡ଼ି ଭିତରେ ଅନେକ କଥା ହେଲା । ୧୯୭୫ରେ ବିଜୁବାବୁ ସମେତ ଆମେ ଜେଲରେ । ୧୯୭୭ ଜାନୁୟାରୀ ମାସରେ ଜରୁରୀକାଳୀନ ପରିସ୍ଥିତିକୁ ପ୍ରତ୍ୟାହାର । ନିର୍ବାଚନ ଘୋଷଣା । ଜେ.ପି.ଙ୍କ ନେତୃତ୍ୱରେ ଛ’ଦଳ ମିଶି ଭାରତୀୟ ଜନତାଦଳ ଗଢ଼ି ନିର୍ବାଚନ ଲଢ଼ିଲେ ।
ବାମପନ୍ଥୀ ସି.ପି.ଆଇ.କୁ ଛାଡ଼ି ଅନ୍ୟ ଦଳ ସମର୍ଥନ କଲେ । ସବୁ ରାଜ୍ୟରେ ଆସନ ଭାଗ ବଣ୍ଟା ହେଲା । ଆମ ଓଡ଼ିଶାରେ ଜନତାଦଳର ସଭାପତି ବିଶ୍ୱନାଥ ପଣ୍ଡିତ ଥିଲେ ମଧ୍ୟ ନବକୃଷ୍ଣ ଚୌଧୁରୀ, ହରେକୃଷ୍ଣ ମହତାବ, ବିଜୁ ବାବୁ ପ୍ରମୁଖ ଭୂମିକାନେଇ ଆସନ ବୁଝାମଣା କରାଇଲେ । ସେତେବେଳେ ଆମ ଦଳ ଏସ.ୟୁ.ସି.ଆଇ. ପାଞ୍ଚଟି ଆସନ ମାଗିଲା । ବିଜୁବାବୁ ନବବାବୁ କହିଲେ – ସୁକିନ୍ଦା, ଯଶିପୁର ନିଅ । ମାୟାଧର, ଶମ୍ଭୁନାଥ ଲଢ଼ନ୍ତୁ । ଶେଷରେ ଆମକୁ ଗୋଟିଏ ବି ଆସନ ଦେଲେନି ।
୧୯୭୭ରେ ନିର୍ବାଚନରେ କଂଗ୍ରେସ ମେଣ୍ଟ ଚିତ୍ପଟାଙ୍ଗ । ଜନତାଦଳ କେନ୍ଦ୍ର ଓ ବିଭିନ୍ନ ରାଜ୍ୟ ଦଖଲ କଲେ । ବିଜୁବାବୁ କେନ୍ଦ୍ରମନ୍ତ୍ରୀ । ତାଙ୍କ ସହ ଅନେକ ବାର ବିଭିନ୍ନ ସମସ୍ୟା ନେଇ ଦେଖା କରିଛି । ପୁଣି ୧୯୯୦ରେ ବିଜୁବାବୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ । ତାଙ୍କର ମୋର ପ୍ରଥମ ସାକ୍ଷାତ ଏ ଲେଖାର ପ୍ରଥମରୁ କହିଛି ।
୧୯୯୦ ନିର୍ବାଚନରେ ଜନତା ଦଳରେ ମିଶିବାପାଇଁ ଅଶୋକ ଦାସଙ୍କ ଜରିଆରେ ବିଜୁବାବୁ ବହୁବାର ମତେ ଡାକିଛନ୍ତି । ଶେଷରେ ତାଙ୍କୁ ଦେଖା କଲି । ସେ କହିଲେ – ମାୟାଧର! ଆମ ଦଳକୁ ଚାଲିଆସ୍ । ଅଶୋକ, ଶ୍ରୀକାନ୍ତ, ବିଜୟ, ନଳିନୀ ଅଛନ୍ତି – ତୁ ଆସିଲେ ପଞ୍ଚୁପାଣ୍ଡବ ହୋଇ ଓଡ଼ିଶାର ନେତୃତ୍ୱ ନେବ । ମୁଁ କିନ୍ତୁ ବିନମ୍ରତାର ସହ ମନା କରି ଦେଇଥିଲି । ଘଟଣାଚକ୍ରରେ ସୁକିନ୍ଦା ଖଣିଶ୍ରମିକଙ୍କ ଦାବି ନେଇ ବିଜୁବାବୁଙ୍କ ସରକାର ବିରୋଧରେ ତୁମୁଳ ସଂଗ୍ରାମ ଆରମ୍ଭ କଲି । ମାସମାସ ଧରି ସୁକିନ୍ଦାରୁ କ୍ରୋମାଇଟ ଛାଡ଼ିଲୁ ନାହିଁ । ସଂଗ୍ରାମୀ ଖଣିଶ୍ରମିକଙ୍କ ଆଗ୍ନେୟ ଆନ୍ଦୋଳନର ଖାସ୍ଖବର ରାଜ୍ୟରୁ ଦେଶବିଦେଶକୁ ଦାବାଗ୍ନି ପରି ବ୍ୟାପିଗଲା । ଦେଶବିଦେଶକୁ କ୍ରୋମାଇଟ ରପ୍ତାନୀ ହୋଇପାରିଲା ନାହିଁ । କାରଖାନା ଏକପ୍ରକାର ଅଚଳ । ପାରାଦ୍ୱୀପ ବନ୍ଦରକୁ ଗାଡ଼ି ଗଡ଼ିଲାନି । ସବୁ କାରଖାନା ଖଣିମାଲିକ ବିଜୁବାବୁଙ୍କ ପାଖରେ ମୋ ନାଁରେ ଅଭିଯୋଗ
କଲେ । ବିଜୁବାବୁ ଉଚ୍ଚସ୍ତରୀୟ ବୈଠକ ଡାକି ମୋତେ ଗିରଫକରି ଛ’ମାସ ଅଟକ ରଖିବାକୁ ନିର୍ଦ୍ଦେଶ ଦେଲେ । ବିଜୁବାବୁଙ୍କ ନିର୍ଦ୍ଦେଶକୁ ଅମାନ୍ୟ କରିବ କିଏ?
ସେତେବେଳେ ଅବିଭକ୍ତ କଟକର ଏସ୍.ପି. ବିଦ୍ୟାଭୂଷଣ ମହାନ୍ତି, କଲେକ୍ଟର ପ୍ରିୟବ୍ରତ ପଟ୍ଟନାୟକ, ସୁକିନ୍ଦା ଥାନା ଇନଚାର୍ଜ ଅଫିସର ରଙ୍ଗବଲ୍ଲଭ ଜେନା ଥାଆନ୍ତି । ଯେଉଁଦିନ ନିଷ୍ପତ୍ତି ହେଲା – ସେଦିନ ରାତିରେ ଏସ.ପିଙ୍କ ନେତୃତ୍ୱରେ ମୋତେ ଗିରଫ କରିବା କଥା । ଏ କଥା ମୁଁ ଜାଣିବି କିପରି? ସେଦିନ ସନ୍ଧ୍ୟବେଳେ ସୁକିନ୍ଦା ଖଣିଶ୍ରମିକ ଆନ୍ଦୋଳନ ସମ୍ପର୍କରେ ଏସ.ପି.ଙ୍କୁ ତାଙ୍କ ବାରବାଟୀ ଦୁର୍ଗ କ୍ୱାଟରରେ ଦେଖା କରିବାକୁ ଯାଇଥାଏ । ମୋତେ ଦେଖି ବିଦ୍ୟାଭୂଷଣବାବୁ ଦଉଡ଼ିଆସିଲେ । ଗୋଟିଏ ଗଛମୂଳକୁ ଟାଣିନେଇ କହିଲେ – ଆଜି ଏକ ଉଚ୍ଚସ୍ତରୀୟ ଅଫିସର ବୈଠକରେ ବିଜୁବାବୁ ଅର୍ଡର ଦେଇଛନ୍ତି ମାୟାଧର ନାୟକକୁ ଆରେଷ୍ଟ କର । କଲେକ୍ଟର ମୁଁ ନିଷ୍ପତ୍ତି ନେଉଛୁ –
ଆପଣଙ୍କୁ ଗିରଫ କରିବୁନି । ଆପଣ ଶ୍ରମିକମାନଙ୍କ ଦାନାକନା ପାଇଁ ଲଢ଼ୁଛନ୍ତି । ଶୀଘ୍ର ପଳାନ୍ତୁ । ଅଣ୍ଡରଗ୍ରାଉଣ୍ଡ ହେଇଯାଆନ୍ତୁ । ମୁଁ ଆଶ୍ଚର୍ଯ୍ୟ! ଓଡ଼ିଶାରେ ସବୁଠି ଦୁର୍ଦ୍ଦାନ୍ତ କଲେକ୍ଟର ଭାବରେ ଜଣାଶୁଣା ପ୍ରିୟବ୍ରତ ପଟ୍ଟନାୟକ, ସଚ୍ଚୋଟ ପୁଲିସ ଅଫିସର ଭାବରେ ଅଙ୍ଗୁଳିଗଣା ଏସ୍.ପି. ବିଦ୍ୟାଭୂଷଣ ମହାନ୍ତି ସତରେ କେତେ ଜନଦରଦୀ! ଅବସରପ୍ରାପ୍ତ ମୁଖ୍ୟ ଶାସନସଚିବ ବିଜୟ କୁମାର ପଟ୍ଟନାୟକ, ଅବସରପ୍ରାପ୍ତ ପୁଲିସ ଡି.ଜି. ମନମୋହନ ପ୍ରହରାଜ, ଟୁଲୁବାବୁ (ପ୍ରିୟବ୍ରତ ପଟ୍ଟନାୟକ) ମତେ ବଡ଼ଭାଇ ସମ୍ମାନ ଦିଅନ୍ତି । ଏକଦା ମୁଁ ଥିଲି ଏମାନଙ୍କର ଛାତ୍ରନେତା । ପରଦିନ ଏସ.ପି., କଲେକ୍ଟର ପୁଲିସ ଫୋର୍ସ ନେଇ ସୁକିନ୍ଦା ଖଣି ଅଞ୍ଚଳ ଛାନ୍ଭିନ୍ କରି ଖୋଜିଲେ ମୋତେ ଆରେଷ୍ଟ କରିବାକୁ । ମୁଁ ତ ଅଜ୍ଞାତବାସରେ । ମୋ ପତ୍ତା ପାଇବ କିଏ? ପ୍ରିୟବ୍ରତବାବୁ ଖବର ଦେଲେ – ମାୟାଧରବାବୁ – ଅଜ୍ଞାତବାସରେ ଥାଆନ୍ତୁ ।
ଆପଣଙ୍କ ଉପରୁ ଗିରଫ ପରୱାନା ରଦ୍ଦ ହେଲା ପରେ ଆତ୍ମପ୍ରକାଶ କରିବେ । ଯାହା ପରେ ଖବର ନେଇଥିଲି – ବିଜୁବାବୁ ମଧ୍ୟ ମୋତେ ଗିରଫ କରି ଜେଲରେ ପୂରାଇବାକୁ ଚାହୁନଥିଲେ! ସେଦିନ ବୁଝିଲି, ପରାଧୀନ ଭାରତ ହେଉ କି ସ୍ୱାଧୀନ ଭାରତ ହେଉ – ବିଜୁବାବୁ ବରାବର ବିପ୍ଳବର ବାଟୋଇମାନଙ୍କ ପ୍ରତି ଅନ୍ତରାତ୍ମାରେ ଚିରଦରଦୀ । ବିଜୁବାବୁ ସିନା ଆରପାରିକି ଚାଲିଗଲେଣି – ହେଲେ ତାଙ୍କର ମୋର ଭାବ ଆଉ ଜାଣିବ କିଏ ନା ବୁଝିବ କିଏ? ସେଇ ପ୍ରବାଦପୁରୁଷ ଝଡର ଇଗଲ୍, ବୈଚିତ୍ର୍ୟମୟ ବିଜୁ ପଟ୍ଟନାୟକଙ୍କୁ କୋଟି କୋଟି ପ୍ରଣାମ ।
ଯାଜପୁର ରୋଡ, ଯାଜପୁର
ମୋ : ୯୮୬୧୦୩୪୧୬୩