Latest Odisha News

BREAKING NEWS

ପ୍ରଜାନୁରଞକ ରାଜା

ଲଳିତ ମୋହନ ମିଶ୍ରଙ୍କ ବିଶେଷ ସ୍ତମ୍ଭ ‘ଚେତନାର ଚୌହଦୀ’ 

ଜଣେ ରାଜା ଥିଲେ ଅତ୍ୟନ୍ତ ପ୍ରଜା ବତ୍ସଳ ନ୍ୟାୟ ପ୍ରିୟ ଏବଂ ଧାର୍ମିକ ପ୍ରକୃତିର। ସେ ପ୍ରତିଦିନ ଶନି ଦେବଙ୍କୁ ପୂଜାପାଠ ଓ ସ୍ତୁତି କରୁଥିଲେ । ଦିନେ ଶନି ଦେବ ଅତ୍ୟନ୍ତ ପ୍ରିତ ହୋଇ ତାଙ୍କୁ ଦର୍ଶନ ଦେଲେ ଏବଂ କହିଲେ – ହେ ରାଜନ ! ମୁଁ ତୁମ ଭକ୍ତିରେ ପ୍ରିତ । କୁହ ତୁମର କିଛି ଲାଳସା ଅଛି କି ? ପ୍ରଜାନୁରଞକ ରାଜା କହିଲେ : “ଭଗବାନ ମୋର ସବୁକିଛି ଅଛି, ଯାହା ଆପଣ ଦେଇଛନ୍ତି । ତବ ଅନୁଗ୍ରହରୁ ରାଜ୍ୟରେ ସୁଖ ଶାନ୍ତି ବିରାଜମାନ କରୁଅଛି । ତଥାପି ମୋର ଏକମାତ୍ର ଇଚ୍ଛା ହେଉଛି, ଯେପରି ଆପଣ ମୋତେ ଦର୍ଶନ ଦେଲେ । ଆଶୀର୍ବାଦ କଲେ , ଦୟାକରି ମୋର ସମସ୍ତ ପ୍ରଜାଙ୍କୁ ଦର୍ଶନ ଦେଲେ କୁତାର୍ଥ ହୁଅନ୍ତି । ଶନି ଦେବ ରୋକଠୋକ କହିଲେ – “ଏହା ସମ୍ଭବ ନୁହେଁ” । କିନ୍ତୁ ରାଜା ପ୍ରଜାଙ୍କୁ ଭଲ ପାଉଥିଲେ । ତେଣୁ ପରମେଶ୍ୱରଙ୍କ ଉପରେ ଜୋର ଦେବା ଆରମ୍ଭ କଲେ । ଶେଷରେ ଭଗବାନ ଭକ୍ତ ଆଗରେ ନତମସ୍ତକ ହେଲେ । କିନ୍ତୁ ଚୁକ୍ତି କଲେ ମୋର ଦର୍ଶନ ପାଇଁ ପ୍ରଜାଗଣ ଏହି ପାହାଡର ନିକଟକୁ ଆସିବାକୁ ପଡିବ । ରାଜା ଏହା ଶୁଣି ବହୁତ ଆନନ୍ଦିତ ହେଲେ ଏବଂ ଭଗବାନଙ୍କୁ ଧନ୍ୟବାଦ ଦେଲେ । ତା ପରଦିନ ପୁରା ସହରରେ ଖବର ଦିଆଗଲା ଯେ – ସମସ୍ତେ ରାଜାଙ୍କ ସହିତ ପର୍ବତ ତଳକୁ ଯିବେ ଏବଂ ଭଗବାନଙ୍କର ସାକ୍ଷାତ ଦର୍ଶନ ଲାଭ କରିବାର ସୁଯୋଗ ପାଇବେ । ରାଜା ତାଙ୍କର ସମସ୍ତ ଲୋକ ଓ ସମ୍ପର୍କୀୟମାନଙ୍କ ସହିତ ପାହାଡ଼ ଆଡ଼କୁ ଯିବା ଆରମ୍ଭ କଲେ । ରାସ୍ତାରେ ଏକ ସ୍ଥାନରେ ତମ୍ବା ମୁଦ୍ରାର ଏକ ପର୍ବତ । କିଛି ଲୋକ ଏଥିରୁ ଦୌଡ଼ି ତମ୍ବା ମୁଦ୍ରା ଗୋଟାଇବାରେ ଲାଗିଲେ। ଜ୍ଞାନୀ ରାଜା ସମସ୍ତଙ୍କୁ ସେଥିପ୍ରତି ଧ୍ୟାନ ନଦେବାକୁ ଚେତାବନୀ ଦେଲେ, କାରଣ ତୁମେ ଭଗବାନଙ୍କୁ ଭେଟିବାକୁ ଯାଉଛ । ଏହି ତମ୍ବା ମୁଦ୍ରା ପଛରେ ତୁମେ ନିଜ ଭାଗ୍ୟକୁ ମାର ନାହିଁ । କିନ୍ତୁ ଲୋଭରେ ବଶୀଭୂତ କିଛି ଲୋକ ତମ୍ବା ମୁଦ୍ରା ଧରି ନିଜ ଘରକୁ ଚାଲିଲେ । ସେମାନେ ମନରେ ଚିନ୍ତା କଲେ, ପ୍ରଥମେ ଏହି ମୁଦ୍ରା ତାପରେ ସମୟ ହେଲେ ଭଗବାନଙ୍କୁ ଭେଟିବା । ରାଜା ଦୁଃଖୀ ହୃଦୟ ସହିତ ଆଗକୁ ବଢିଲେ । ଆଉ କିଛି ଦୂରରେ ରୂପା ମୁଦ୍ରାର ଏକ ଚମକଦାର ପର୍ବତ ଦେଖାଗଲା । ଏଥର ମଧ୍ୟ ଅବଶିଷ୍ଟ କିଛି ଲୋକ ରୂପା ମୁଦ୍ରା ଧରି ନିଜ ଘର ଆଡକୁ ଚାଲିଲେ। ସେମାନଙ୍କ ମନରେ ଏକ ଚିନ୍ତାଧାରା ଥିଲା ଯେ, ଏପରି ସୁଯୋଗ ବାରମ୍ବାର ଉପଲବ୍ଧ ହେବ ନାହିଁ । ଆମେ ଏତେ ପରିମାଣର ରୂପା ମୁଦ୍ରା କେବେ ଦେଖି ନ ଥିଲୁ । ଭଗବାନଙ୍କୁ ପୁଣି ଥରେ ପାଇବା କିନ୍ତୁ ଏଗୁଡ଼ିକ ପାଇବା ନାହିଁ । ଏହିପରି କିଛି ଦୂରରେ ସୁନା ମୁଦ୍ରାର ଏକ ପର୍ବତ ଦେଖାଗଲା। ବର୍ତ୍ତମାନ ଲୋକମାନଙ୍କ ମଧ୍ୟରେ ଅବଶିଷ୍ଟ ସମସ୍ତ ଲୋକ ଏବଂ ରାଜାଙ୍କର ସମ୍ପର୍କୀୟମାନେ ମଧ୍ୟ ସୁନା ମୁଦ୍ରା ପଛରେ ପଡିଗଲେ । ବର୍ତ୍ତମାନ କେବଳ ରାଜା ଓ ରାଣୀ ରହିଲେ । ରାଜା ରାଣୀଙ୍କୁ କହିବା ଆରମ୍ଭ କଲେ -“ଦେଖନ୍ତୁ ଏହି ଲୋକମାନେ କେତେ ଲୋଭୀ ଅଟନ୍ତି। ଭଗବାନଙ୍କୁ ଭେଟିବାର ମହତ୍ତ୍ବ ଜାଣନ୍ତି ନାହିଁ। ଭଗବାନଙ୍କ ଆଗରେ ସମଗ୍ର ଜଗତର ଧନ କ’ଣ ..? ରାଣୀ ରାଜାଙ୍କ ବାର୍ତ୍ତାଳାପକୁ ସମର୍ଥନ କଲେ ଏବଂ ସେ ରାଜାଙ୍କ ସହିତ କିଛି ଦୂର ଚାଲିବାକୁ ଲାଗିଲେ । ରାଣୀ ହଠାତ୍ ଦେଖିଲେ ହୀରାର ଏକ ପର୍ବତ। ବର୍ତ୍ତମାନ ରାଣୀ ମଧ୍ୟ ଲୋଭ ସମ୍ଭରଣ କରି ପାରିଲେ ନାହିଁ । ସେ ମଧ୍ୟ ହୀରାର ଆକର୍ଷଣରେ ଦୌଡ଼ିଯାଇ ହୀରା ସଂଗ୍ରହ କଲେ। ରାଣୀ ହୀରା ପ୍ରତି ଏତେ ଆସକ୍ତି ହୋଇଗଲେ ଯେ ନିଜ ବସ୍ତ୍ର ରେ ଗଣ୍ଠିଲି କରିନେଲା ବେଳେ ନିଜେ ଉଲଗ୍ନ ହୋଇ ପଡୁଥିଲେ। ତଥାପି ସନ୍ତୁଷ୍ଟି ନଥିଲେ । ଏହା ଦେଖିବା ପରେ ରାଜା ଅତ୍ୟନ୍ତ ଲଜ୍ଜିତ ଏବଂ ଘୃଣିତ ହେଲେ । ଅତ୍ୟନ୍ତ ଦୁଃଖୀ ହୃଦୟରେ ରାଜା ଏକାକୀ ଗଲେ । ଭଗବାନ ରାଜାଙ୍କୁ ଦେଖି ହସିଲେ ଏବଂ କହିଲେ – ହେ ରାଜନ୍ ! ଯେଉଁମାନେ ଲୋଭ, ମୋହ, ମାୟାକୁ ପରିତ୍ଯାଗ କରନ୍ତି, ସେମାନେ ହିଁ ଭଗବାନଙ୍କ ଦର୍ଶନ ଲାଭ କରନ୍ତି।

ଲଳିତ ମୋହନ ମିଶ୍ର, ନୟାଗଡ଼, ୯୪୩୭୯୮୫୮୬୬

Comments are closed.