କୁହାଯାଏ, ଘାସ କାଟ କି ଘୋଡ଼ା ଚଢ ସବୁଥିରେ ପ୍ରଥମ ହେବା ଜରୁରୀ । କାରଣ କୌଣସି କାମ ଛୋଟ କି ବଡ଼ ନୁହେଁ । ନିରନ୍ତର ଉଦ୍ୟମ କଲେ ଓ ନିଜ ଉପରେ ଭରସା ରଖିଲେ ସଫଳତା ମିଳିବା ନିଶ୍ଚିତ । ପୂର୍ବରୁ ଉଚ୍ଚଶିକ୍ଷା କରି ମଧ୍ୟ ଚା’ ବିକ୍ରି କରି କୋଟିପତି ହୋଇଥିଲେ ଜଣେ ଏମବିଏ ଛାତ୍ର । ଆଉ ଏବେ ଗୁପ୍ଚୁପ୍ ବିକ୍ରି କରି ବିଟେକ୍ ଛାତ୍ରୀ ଚର୍ଚ୍ଚାକୁ ଆସିଛନ୍ତି ।
ଛାତ୍ରୀ ଜଣକ ହେଉଛନ୍ତି ତାପସୀ ଉପାଧ୍ୟାୟ । ତାପସୀଙ୍କ ବୟସ ୨୧ ବର୍ଷ ଓ ବିଟେକ୍ ଶେଷ ହେବା ପରେ ସେ କଣ କରିବେ ଚିନ୍ତାରେ ପଡ଼ିଗଲେ । କାରଣ ସକାଳ ୯ରୁ ସନ୍ଧ୍ୟା ୬ କାର୍ଯ୍ୟଧାରା ଭିତରେ ରହିବାକୁ ସେ ପସନ୍ଦ କରୁ ନ ଥିଲେ । ସବୁବେଳେ ଇଛା ଥିଲା ନିଜର କିଛି ବ୍ୟବସାୟ ଆରମ୍ଭ କରିବା ପାଇଁ । ଅନେକ ଚିନ୍ତା ପରେ ସେ ଗୁପ୍ଚୁପ୍ ବିକ୍ରି କରିବାକୁ ଆରମ୍ଭ କଲେ । ଏହି କାରଣରୁ ସେ ସୋସିଆଲ ମିଡ଼ିଆରେ ଖୁବ୍ ଚର୍ଚ୍ଚାରେ । ନିଜର ଏହି ବ୍ୟବସାୟକୁ ନେଇ ତାପସୀ କୁହନ୍ତି, ମୁଁ ନିଜର ବସ ହେବା ପାଇଁ ଚାହୁଁଥିଲି । ଏଥିପାଇଁ କିଛି ଭଲ କମ୍ପାନୀର ଅଫରକୁ ପ୍ରତ୍ୟାଖାନ କଲି । କାରଣ ମୋତେ ସଙ୍କୁଚିତ ପାରିଶ୍ରମିକ ଭିତରେ ଅଣନିଶ୍ୱାସୀ ଲାଗୁଥିଲା । ତେଣୁ ସ୍ଥିର କଲି ଲୋକଙ୍କୁ କିଭଳି ସୁସ୍ଥ ଖାଦ୍ୟ ଦେଇପାରିବି । ମାନେ ହାଇଜେନିକ୍ ଫୁଡ଼ । ଏହି କାରଣରୁ ଗୁପ୍ଚୁପ୍ ଠେଲା ଆରମ୍ଭ କରିଛି । ଲୋକମାନଙ୍କ ଡ଼ିମାଣ୍ଡ ଥିବାରୁ ଆଗକୁ ଏହି ଠେଲାରେ ଅନେକ ସାମଗ୍ରୀ ମଧ୍ୟ ବିକ୍ରି କରିବେ ।
ତାପସୀଙ୍କ ଗୁପ୍ଚୁପ୍ ବିକିବା ଷ୍ଟାଇଲ୍ ଅଲଗା । ସେ ଚଢୁଥିବା ବୁଲେଟ୍ରେ ଲଗାଇଛନ୍ତି ଗୁପ୍ଚୁପ୍ ଠେଲା । ଯୁଆଡ଼େ ନେଇ ଏହାକୁ ଯାଉଛନ୍ତି ସମସ୍ତେ ଏଭଳି ଉଦ୍ୟମକୁ ପ୍ରଶଂସା କରୁଛନ୍ତି ।
Comments are closed.