Latest Odisha News

BREAKING NEWS

ନିର୍ବାଚନ ପୂର୍ବରୁ ଆଦିବାସୀଙ୍କ ପାଇଁ ସରକାରଙ୍କ ୫୦୦ କୋଟିର ବ୍ୟୟବରାଦ, ଜାଣନ୍ତୁ ଯୋଜନା ପଛର ଭିତିରି କଥା

ଭୁବନେଶ୍ୱର: ସାଧାରଣ ନିର୍ବାଚନକୁ ପାଖାପାଖି ବର୍ଷେ ବାକି ଥିବା ବେଳେ ରାଜ୍ୟ ସରକାର ଏକ ନୂଆ ଯୋଜନା ଆଣିଛନ୍ତି। ଏହାର ନାମ ରହିଛି ‘ମୁଖ୍ୟମନ୍ତ୍ରୀ ଜନଜାତି ଜୀବିକା ମିଶନ୍ ଫର୍ ୨୦୨୩-୨୦୨୬’। ଏଥିପାଇଁ ୫୦୦ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି। ତେବେ ନିର୍ବାଚନକୁ ବର୍ଷେ ପାଖାପାଖି ସମୟ ଥିବା ବେଳେ ହଠାତ୍ କାହିଁକି ସରକାର କାହିଁକି ଯୋଜନା ଘୋଷଣା କଲେ ତାକୁ ନେଇ ଚର୍ଚ୍ଚା ବଢ଼ିଛି। ଆଉ ଏହି ଯୋଜନା କେବଳ ନିର୍ବାଚନୀ ଚାଲି ବୋଲି ବିରୋଧୀ କହିଥିବା ବେଳେ ଶାସକ ଦଳର ନେତା କହିଛନ୍ତି, ବିରୋଧୀ ସଙ୍କୀର୍ଣ୍ଣ ମାନସିକତାରେ ବୁଡ଼ି ରହିଛି।

ରାଜ୍ୟର ମୋଟ ଜନସଂଖ୍ୟାର ୨୨ ପ୍ରତିଶତ ଆଦିବାସୀ ରହିଛନ୍ତି। ଆଦିବାସୀ ଭୋଟ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। କୋରାପୁଟ, ନବରଙ୍ଗପୁର, ମୟୂରଭଞ୍ଜ, କେନ୍ଦୁଝର ଓ ସୁନ୍ଦରଗଡ଼ ସଂସଦୀୟ କ୍ଷେତ୍ର ଏବଂ ରାଜ୍ୟର ୩୩ଟି ବିଧାନସଭା ଆସନ ଅନୁସୂଚିତ ଜନଜାତିଙ୍କ ପାଇଁ ସଂରକ୍ଷିତ ରହିଛି। ତେଣୁ ବିଜେପି ଏହି ଯୋଜନା ଘୋଷଣା କରି ଆଦିବାସୀ କାର୍ଡ ଖେଳିଛି ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି।

ନିକଟରେ କେନ୍ଦ୍ରର ଶାସକ ଦଳ ବିଜେପି ମଧ୍ୟ ଦ୍ରୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ କରିଥିଲା। ଏପରି କରି ବିଜେପି ପୂର୍ବୋତ୍ତର ସହିତ ଗୁଜରାଟ, ଛତିଶଗଡ, ଝାଡଖଣ୍ଡ ଆଦି ରାଜ୍ୟର ଆଦିବାସୀ ଭୋଟ୍ ବ୍ଯାଙ୍କକୁ ନିଜ ସମର୍ଥନରେ ନେବାକୁ ଏକ ଛାପ ଛାଡିଛି। ଯେହେତୁ ରାଷ୍ଟ୍ରପତି ଓଡିଶାର। ତେଣୁ ରାଜ୍ଯରେ ଆଦିବାସୀ ଭୋଟ୍ ବିଜେପି ଅଧିକ ପାଇବ ବୋଲି ଗୋଟିଏ ଗଣିତ କଷିଛି ବିଜେପି।

ରାଜ୍ୟ ସରକାର କହିଛନ୍ତି, ଏହି ଯୋଜନା ଦ୍ୱାରା ଆଦିବାସୀ ପରିବାରମାନେ ନିରନ୍ତର ଭିତ୍ତିରେ ସେମାନଙ୍କ ଆୟ ଏବଂ ଜୀବନର ଗୁଣବତ୍ତା ବୃଦ୍ଧି କରିବା ପାଇଁ ଘରୋଇ ସ୍ତରରେ ସୁଚିନ୍ତିତ କୃଷି ଆଧାରିତ ଏବଂ କୃଷି ବାହାରେ ଜୀବନଜୀବିକା କାର୍ୟ୍ୟକଳାପରେ ପ୍ରବେଶ କରିପାରିବେ। ଏହି ଯୋଜନାରେ ଆଦିବାସୀ ଚାଷୀଙ୍କୁ ଉନ୍ନତମାନର ବିହନ, ଚାରା ରୋପଣ ସାମଗ୍ରୀ ଏବଂ ଜୈବିକ ଉଦ୍ଦିଦ ସୁରକ୍ଷା ସାମଗ୍ରୀ ଭଳି ଗୁରୁତ୍ୱପୂର୍ଣ୍ଣ ସାମଗ୍ରୀ ଯୋଗାଇ ଦିଆଯିବ ବୋଲି ଓଡ଼ିଶା ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ସଚିବ ରୂପା ରୋଶନ ସାହୁ କହିଛନ୍ତି।

ଏହି ଯୋଜନାକୁ ରାଜ୍ୟ କ୍ୟାବିନେଟ୍ ଅନୁମୋଦନ କରିଥିବା ବେଳେ ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ଏହି ଯୋଜନା ପାଇଁ ୧୨୦ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି। ଏହି ଯୋଜନା ଅଧୀନରେ ପ୍ରାୟ ୧୪.୫ ଲକ୍ଷ ଆଦିବାସୀ ପରିବାରକୁ ଉନ୍ନତମାନର ସାମଗ୍ରୀ, ମୌଳିକ ଭିତ୍ତିଭୂମି ସହାୟତା, ଉନ୍ନତ ଉତ୍ପାଦନ ପ୍ରଣାଳୀର ପ୍ରଚଳନ, ପ୍ରଶିକ୍ଷଣ ଏବଂ ଦକ୍ଷତା ବିକାଶ ସହାୟତା ଯୋଗାଇ ଦିଆଯିବ।

ଆଦିବାସୀ ନେତ୍ରୀ ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ହେବା ପରେ ବିଜେଡି ଭୟଭୀତ ହୋଇପଡିଛି ବୋଲି ମଧ୍ୟ କିଛି ବିଶେଷଜ୍ଞ ମତ ଦେଉଛନ୍ତି। ଏହି ବିକାଶ ଆଦିବାସୀଙ୍କୁ ବିଜେପିକୁ ଭୋଟ ଦେବାକୁ ବାଧ୍ୟ କରିପାରେ ବୋଲି ଦଳୀୟ ନେତାଙ୍କ ମନରେ ଏକ ଅନ୍ତର୍ନିହିତ ଭୟ ରହିଛି। ତେଣୁ ଏହି ଯୋଜନା ଘୋଷଣା କରି ବିଜେଡି ବିଜେପିର ପଦକ୍ଷେପକୁ କାଉଣ୍ଟର କରିବା ପାଇଁ ଏକ ଗେମ୍ ପ୍ଲାନ୍ ପ୍ରସ୍ତୁତ କରିଛି ବୋଲି ରାଜନୈତିକ ବିଶେଷଜ୍ଞମାନେ ମତ ରଖିଛନ୍ତି।

ଏହାପୂର୍ବରୁ ୨୦୧୯ରେ ବିଜେଡି ସ୍ୱତନ୍ତ୍ର ଉନ୍ନୟନ ପରିଷଦ ମଧ୍ୟ ଗଠନ କରିଥିଲା। ସେହିପରି ବିଜେଡିର କିଛି ନେତାଙ୍କୁ ବିଭିନ୍ନ ଜିଲ୍ଲାରେ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ କରାଯାଇଛି। ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଉପଦେଷ୍ଟା ପ୍ରଦୀପ ମାଝୀ ନିୟମିତ ବ୍ୟବଧାନରେ ବିଭିନ୍ନ ଜିଲ୍ଲା ଗସ୍ତ କରି ଆଦିବାସୀଙ୍କ ସମର୍ଥନ ଲୋଡୁଛନ୍ତି।

ଦ୍ରୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତି କରିବା ପରେ ବିଜେଡି ଭୟଭୀତ ହୋଇପଡିଛି। ତେଣୁ ଯୋଜନା ଘୋଷଣା କରି ଆଦିବାସୀଙ୍କ ଧ୍ୟାନ ହଟାଇବାକୁ ଚେଷ୍ଟା କରୁଛନ୍ତି ବୋଲି ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର କହିଛନ୍ତି। ଯୋଜନାର ପ୍ରଲୋଭନ ଦେଖାଇ ଆଦିବାସୀଙ୍କ ଠାରୁ ଭୋଟ ନେବାକୁ ଚାହୁଁଛି ବିଜେଡି। କିନ୍ତୁ ଏହି ଉଦ୍ଦେଶ୍ୟ ସଫଳ ହେବ ନାହିଁ ବୋଲି କଂଗ୍ରେସର ବରିଷ୍ଠ ନେତା ତାରା ପ୍ରସାଦ ବାହିନୀପତି କହିଛନ୍ତି।

ସେପଟେ ବିକାଶ ଯୋଜନା ବିରୋଧରେ ବିରୋଧୀ ବୋଲି ବିଜେଡି କହିଛି। ଆଦିବାସୀଙ୍କୁ ସଶକ୍ତ କରିବା ଏବଂ ସେମାନଙ୍କୁ ନିରନ୍ତର ଜୀବିକା ଏବଂ ରୋଜଗାରର ସୁଯୋଗ ପ୍ରଦାନ କରିବା ଦିଗରେ ‘ମୁଖ୍ୟମନ୍ତ୍ରୀ ଜନଜାତି ଜୀବିକା ମିଶନ’ ଏକ ସୁଦୂରପ୍ରସାରୀ ଭୂମିକା ଗ୍ରହଣ କରିବ। ବିରୋଧୀ ଦଳଗୁଡ଼ିକ ସଙ୍କୀର୍ଣ୍ଣ ରାଜନୈତିକ ଉଦ୍ଦେଶ୍ୟ ରଖି ଏହି ଯୋଜନାକୁ ସମାଲୋଚନା କରିବା ଆଦୌ ଗ୍ରହଣୀୟ ନୁହେଁ ବୋଲି ବିଜେଡି ନେତା ପ୍ରଦୀପ ମାଝୀ କହିଛନ୍ତି।

Comments are closed.