ଭୁବନେଶ୍ୱର: ରାଜ୍ୟର ସବୁ ଜିଲ୍ଲାକୁ ପାଇପ ଯୋଗେ ଗ୍ୟାସ ଯେଗାଇ ଦିଆଯିବ । ଏଥିପାଇଁ କାମ ଚାଲିଛି । ଆସନ୍ତା ଆର୍ଥିକ ବର୍ଷ ୨୦୨୩-୨୪ ସୁଦ୍ଧା କାମ ସମ୍ପୂର୍ଣ୍ଣ ହେବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି ବୋଲି କହିଛନ୍ତି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ।
ଆଜି ବିଧାୟକ ଧ୍ରୁବ ଚରଣ ସାହୁ ଏକ ଅଣତାରକା ପ୍ରଶ୍ନରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀଙ୍କୁ ପଚାରିଥିଲେ, ରାଜଧାନୀ ଭୁବନେଶ୍ୱର ଓ ଅନ୍ୟ ସହରରେ ପାଇପ ଲାଇନ ଯୋଗେ ଇନ୍ଧନ ଗ୍ୟାସ ଯୋଗଣ ପ୍ରସ୍ତାବ ରହିଛି କି ? ଯଦି ରହିଛି ତେବେ ଏ ଦିଗରେ କେତେ କାମ ଅଗ୍ରଗତି କଲାଣି । ଏଥିପାଇଁ କି ପ୍ରସ୍ତାବ ରହିଛି ? ଯଦି କିଛି ପ୍ରସ୍ତାବ ରହିଛି ତେବେ କେବେ ଲୋକଙ୍କ ପାଖରେ ଏ ସୁବିଧା ପହଞ୍ଚିବ ?
ଏହାର ଉତ୍ତରରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ଅତନୁ ସବ୍ୟସାଚୀ କହିଥିଲେ, ଭୁବନେଶ୍ୱର ସମେତ ଅନ୍ୟ ସହରରେ ପାଇପ ଲାଇନ ଯୋଗେ ରନ୍ଧନ ଗ୍ୟାସ ଯୋଗାଇବାର ପ୍ରସ୍ତାବ ରହିଛି । ବର୍ତ୍ତମାନ ସୁଦ୍ଧା ଖୋର୍ଦ୍ଧା ଓ କଟକ ଜିଲ୍ଲାର କିଛି ଅଞ୍ଚଳରେ ଏହି ସୁବିଧା ଯୋଗାଇ ଦିଆଯାଇଛି ।
ଅନ୍ୟ ଜିଲ୍ଲା ଯଥା ଅନଗୁଳ, ବାଲେଶ୍ୱର, ବରଗଡ, ଭଦ୍ରକ, ବଲାଙ୍ଗିର, ବୌଦ୍ଧ, ଦେଓଗଡ, ଢେଙ୍କାନାଳ, ଗଜପତି, ଗଞ୍ଜାମ, ଜଗତସିଂହପୁର, ଯାଜପୁର, ଝାରସୁଗୁଡା, କଳାହାଣ୍ଡି, କନ୍ଧମାଳ, କେନ୍ଦ୍ରାପଡା, ପୁରୀ, ରାୟଗଡା, ସମ୍ବଲପୁର, ସୋନପୁର, ସୁନ୍ଦରଗଡ ଜିଲ୍ଲାରେ ରନ୍ଧନଗ୍ୟାସ ପାଇପ ଯୋଗେ ଯୋଗାଇ ଦେବା ପାଇଁ କାମ ଚାଲିଛି । ଆସନ୍ତା ୨୦୨୩-୨୪ ସୁଦ୍ଧା ଏହି କାମ ସମ୍ପୂର୍ଣ୍ଣ କରିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି ।
Comments are closed.