ଭୁବନେଶ୍ୱର: କେନ୍ଦ୍ରାପଡା ଜିଲ୍ଲା ରାଜନଗର ନିର୍ବାଚନ ମଣ୍ଡଳୀର ଏଥର ବିଜେଡି ପ୍ରାର୍ଥୀ କିଏ ହେବ। ବର୍ତ୍ତମାନର ବିଜେଡି ବିଧାୟକ ଧ୍ରୁବ ସାହୁ ହିଁ ପ୍ରାର୍ଥୀ ହେବେ ନା ଆଉ କିଏ ପ୍ରାର୍ଥୀ ହେବ। କଂଗ୍ରେସର ପୂର୍ବତନ ବିଧାୟକ ଅଂଶୁମାନ ମହାନ୍ତି ବିଜେଡିରେ ମିଶିବା ସହ ରାଜନଗରରୁ ବିଧାୟକ ପ୍ରାର୍ଥୀ ହେବେ ବୋଲି ଶୁଣାଯାଉଛି।
ଅଂଶୁମାନ ୨୦୧୪ ରେ କଂଗ୍ରେସରୁ ବିଧାୟକ ଭାବେ ଜିତିଥିବା ବେଳେ ୨୦୧୯ ମସିହାରେ ପରାଜିତ ହୋଇଥିଲେ। ଏବେ ପରିବର୍ତିତ ପରିସ୍ଥିତିରେ କଂଗ୍ରେସ ଦୁର୍ବଳ ହୋଇଥିବା ବେଳେ ଅଂଶୁମାନ ବିଜେଡି ସହ ଯୋଗାଯୋଗରେ ଥିବା ଚର୍ଚ୍ଚା ହେଉଛି। ଏପରିକି ଅଂଶୁମାନ ରାଜନଗର ଅଞ୍ଚଳରେ କରୁଥିବା କାର୍ଯ୍ୟକ୍ରମରେ ଦଳୀୟ ଚିହ୍ନ ବ୍ୟବହାର କରୁ ନ ଥିବା ବେଳେ କଂଗ୍ରେସ ନେତୃତ୍ୱଙ୍କ ଫଟୋ ମଧ୍ୟ ଦେଉ ନ ଥିବା କୁହାଯାଉଛି।
ବିଜେଡିରେ ମିଶିବା ନେଇ ଅଂଶୁମାନ ସମର୍ଥକମାନଙ୍କୁ କହୁଥିବା ଆଲୋଚନା ହେଉଛି। ତେଣୁ ବିଜେଡି କଣ ଧ୍ରୁବଙ୍କ ବଦଳରେ ଅଂଶୁମାନଙ୍କୁ ଦଳୀୟ ଟିକେଟ ଦେବ କି ବୋଲି ଚର୍ଚ୍ଚା ହେଉଛି। ଅଂଶୁମାନ ମହାନ୍ତି ପୂର୍ବତନ ମନ୍ତ୍ରୀ ନଳିନୀ ମହାନ୍ତିଙ୍କ ପୁଅ।
ରାଜ୍ୟ ରାଜନୀତିରେ ନଳିନୀଙ୍କ ପ୍ରଭାବ ଅତି ଅଧିକ ଥିଲା। ଏପରିକି ରାଜନଗରରେ ମଧ୍ୟ ନଳିନୀଙ୍କ ଏବେ ବି ବହୁ ଅନୁଗତ ଅଛନ୍ତି। ସେପଟେ ଅଂଶୁମାନ ମଧ୍ୟ ଏବେ କେନ୍ଦ୍ରାପଡା ଜିଲ୍ଲା କଂଗ୍ରେସ ସଭାପତି ଅଛନ୍ତି। ଏପରିକି ଜଣେ ଯୁବ ନେତା ଭାବେ ତାଙ୍କର ବହୁ ଯୁବ ସମର୍ଥକ ଜିଲାବ୍ୟାପୀ ଅଛନ୍ତି।
ତେଣୁ ବିଜେଡି ଅଂଶୁମାନଙ୍କୁ ଦଳକୁ ନେଇ ଗୋଟିଏ ଗୁଳିରେ ଦୁଇଟି ଶିକାର କରିପାରିବ ବୋଲି କୁହାଯାଉଛି। ସେପଟେ ଅଂଶୁମାନ କଂଗ୍ରେସରୁ ଯାଇ ବିଜେଡିର ମିଶିଲେ ବହୁ କଂଗ୍ରେସ ନେତା ମଧ୍ୟ ବିଜେଡିରେ ମିଶିବାର ସମ୍ଭାବନା ରହିଛି। ଏପରିକି ରାଜନଗରରେ ଏବେ କଂଗ୍ରେସ ଦ୍ଵିତୀୟ ସ୍ଥାନରେ ଥିବା ବେଳେ ବିଜେପି ତୃତୀୟ ସ୍ଥାନରେ ରହିଛି।
କିନ୍ତୁ ଏବେ ଏଭଳି ସ୍ଥିତି ସୃଷ୍ଟି ହେଲେ କଂଗ୍ରେସର ଅବସ୍ଥା ସେଠି କଣ ହେବ ତାକୁ ନେଇ ଚର୍ଚ୍ଚା ହେଉଛି। ସେପଟେ ବିଜେପିରୁ ପୂର୍ବତନ ବିଧାୟକ ଅଲେଖ ଜେନା ପ୍ରାର୍ଥୀ ହୋଇଥିବାବେଳେ ଏଥର ମଧ୍ୟ ଦଳ ତାଙ୍କୁ ହିଁ ଭରସା କରିପାରେ।କଂଗ୍ରେସରୁ ମନୋରଞ୍ଜନ ରାଉତରାୟଙ୍କ ସମେତ ଆଉ କିଛି ଆଶାୟୀ ରହିଛନ୍ତି। ତେଣୁ ଆଗାମୀ ୨୦୨୪ ସାଧାରଣ ନିର୍ବାଚନରେ ରାଜନଗରରେ ଏକ ରୋଚକ ସ୍ଥିତି ସୃଷ୍ଟି ହେବ ବୋଲି କୁହାଯାଉଛି।
Comments are closed.