Latest Odisha News

BREAKING NEWS

ଡ୍ରାଇଭରଙ୍କୁ ନେଇ ଗୃହ ଭିତରେ ବାହାରେ ଝଡ଼

ଭୁବନେଶ୍ୱର: ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ ତୀବ୍ର ରୂପ ନେଉଛି। ରାଜ୍ୟବ୍ୟାପୀ ଏହି ଆନ୍ଦୋଳନ ଯୋଗୁ ଯାତାୟାତ ପରିବହନ ଆଦି ବ୍ୟାପକ ଭାବେ ବାଧାପ୍ରାପ୍ତ ହେବା ସହ ବିଭିନ୍ନ ସ୍ଥାନରେ ଡ୍ରାଇଭରଙ୍କ ବିକ୍ଷୋଭ ଯୋଗୁ ସ୍ଥିତି ସଙ୍ଗୀନ ହୋଇଛି। ୧୦ ଦଫା ଦାବି ନେଇ ଜିଲ୍ଲା ସ୍ତରଠୁ ଆରମ୍ଭ କରି ରାଜରାସ୍ତା ସବୁ ଆଡେ ଡ୍ରାଇଭରମାନେ ଆନ୍ଦୋଳନ ଚଳାଇଛନ୍ତି।

ଭୁବନେଶ୍ୱରକୁ ସଂଯୋଗ କରୁଥିବା ରାଜରାସ୍ତାଠୁ ଆରମ୍ଭ କରି ବିଭିନ୍ନ ସହରାଞ୍ଚଳ ରାସ୍ତାରେ ଆନ୍ଦୋଳନ ଯୋଗୁ ଗାଡି ଗୁଡିକର ଲମ୍ବା ଲାଇନ ଦେଖିବାକୁ ମିଳିଛି। ଭୁବନେଶ୍ୱର ଉପକଣ୍ଠ ତମାଣ୍ଡରେ ପୋଲିସ ଡ୍ରାଇଭର ମୁହାଁମୁହିଁ ହୋଇଛନ୍ତି। ଏପରିକି ଆନ୍ଦୋଳନକାରୀ ଡ୍ରାଇଭର ଓ ବାହାର ରାଜ୍ୟରୁ ଆସିଥିବା ଡ୍ରାଇଭରଙ୍କ ଭିତରେ ଉତ୍ତେଜନାପୂର୍ଣ୍ଣ ସ୍ଥିତି ମଧ୍ୟ ଦେଖିବାକୁ ମିଳିଥିଲା ।

ଦାବି ପୂରଣ ନେଇ ସରକାର ଠୋସ ନିଷ୍ପତ୍ତି ନ ନେଲେ ଆନ୍ଦୋଳନ ଜାରି ରହିବ ବୋଲି ସଂଘ ପକ୍ଷରୁ କୁହାଯାଇଛି। ସେପଟେ ଡ୍ରାଇଭରଙ୍କ ଆନ୍ଦୋଳନ ପ୍ରସଙ୍ଗକୁ ନେଇ ବିଧାନସଭାରେ ତାତି ଦେଖିବାକୁ ମିଳିଛି।

ବିଧାନସଭାର ପ୍ରଶ୍ନକାଳ ସ୍ବାଭାବିକ ରହିଥିବା ବେଳେ ଶୂନ୍ୟକାଳରେ ଉଠିଥିଲା ଡ୍ରାଇଭର ଆନ୍ଦୋଳନ ପ୍ରସଙ୍ଗ । ଶୂନ୍ୟକାଳରେ ଡ୍ରାଇଭର ସଂଘ ଆନ୍ଦୋଳନ ଉଠାଇଥିଲେ କଂଗ୍ରେସ ବିଧାୟକ ନରସିଂହ ମିଶ୍ର । ଡ୍ରାଇଭରଙ୍କ ସହ ଆଲୋଚନା ଦାବି କରି ଗୃହର ମଧ୍ୟ ଭାଗକୁ ଆସି କଂଗ୍ରେସ ଆଉ ବିଜେପିର ସଦସ୍ୟମାନେ ହୋହଲ୍ଲା କରିଥିଲେ।

ଏହି ପ୍ରସଙ୍ଗକୁ ନେଇ ଗୃହରେ ବାରମ୍ବାର ହୋହଲ୍ଲା ଓ ମୁଲତବୀ ହୋଇଥିଲା। ଏ ନେଇ ସର୍ବଦଳୀୟ ବୈଠକ ପରେ ଏ ପ୍ରସଙ୍ଗରେ ଗୃହରେ ବିବୃତ୍ତି ଦେବାକୁ ପରିବହନ ମନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ବାଚସ୍ପତି।

Leave A Reply

Your email address will not be published.