ତିନି ମାସରେ ଡ୍ରାଇଭର ସଙ୍ଘର ଦାବି ପୂରଣ ପାଇଁ ପ୍ରତିଶ୍ରୁତି
ଭୁବନେଶ୍ୱର ଓ ରାଜ୍ୟ ଡ୍ରାଇଭର ମହାସଂଘ ମଧ୍ୟରେ ମତ ପାର୍ଥକ୍ଯ
ଭୁବନେଶ୍ୱର: ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା ଗୁରୁବାର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରି ଦୁଇ ଦିନ ଧରି ଆନ୍ଦୋଳନରତ ଡ୍ରାଇଭର ସଙ୍ଘକୁ ପ୍ରତିଶ୍ରୁତି ଦେଇଛନ୍ତି ଯେ, ତିନି ମାସ ମଧ୍ୟରେ ସେମାନଙ୍କ ସମସ୍ୟାର ସମାଧାନ କରାଯିବ। ମୁଖ୍ୟ ଶାସନ ସଚିବ ଓ ଡ୍ରାଇଭର ମହାସଙ୍ଘର ପ୍ରତିନିଧିଙ୍କ ମଧ୍ୟରେ ଆଲୋଚନା ପରେ ଏହି ସୂଚନା ମିଳିଛି।
ସରକାର ସଚିବାଳୟରେ ଡ୍ରାଇଭର ସଙ୍ଘ ସହ ବୈଠକ କରିଥିଲେ। ସରକାର ସେମାନଙ୍କ ଦାବି ସମ୍ପର୍କରେ ଅବଗତ ଅଛନ୍ତି ଓ ଏହାକୁ ସକାରାତ୍ମକ ଭାବେ ବିଚାର କରୁଛନ୍ତି। ତିନି ମାସ ମଧ୍ୟରେ ସେମାନଙ୍କ ଦାବିକୁ ଯଥାସମ୍ଭବ ବିଚାରକୁ ନେବାକୁ ନିଷ୍ପତ୍ତି ହୋଇଛି ବୋଲି ପ୍ରଦୀପ ଜେନା କହିଛନ୍ତି।
https://fb.watch/jjwH0eF9Vz/
ଓଡ଼ିଶା ଡ୍ରାଇଭର ମହାସଙ୍ଘର ଖୋର୍ଦ୍ଧା ଜିଲ୍ଲା ସମ୍ପାଦକ ବାବୁଲା ତ୍ରିପାଠୀ କହିଛନ୍ତି, ପୂର୍ବରୁ ଆମକୁ ମୌଖିକ ଭାବେ ପ୍ରତିଶ୍ରୁତି ଦିଆଯାଇଥିଲା, ଯାହାର କୌଣସି ସୁଫଳ ମିଳିନଥିଲା। କିନ୍ତୁ ଏଥର ସରକାର ଆମର ଦାବି ପୂରଣ ପାଇଁ ଆମକୁ ଲିଖିତ ଭାବେ ଆଶ୍ୱାସନା ଦେଇଛନ୍ତି।
ସେ କହିଛନ୍ତି, ଏପ୍ରିଲ ୧୫ ତାରିଖରେ ବୈଠକ ଡାକି ୩ ମାସ ମଧ୍ୟରେ ଆମ ସମସ୍ୟାର ସମାଧାନ ପାଇଁ ଚେଷ୍ଟା କରିବାକୁ ସେମାନେ ପ୍ରତିଶ୍ରୁତି ଦେଇଛନ୍ତି। ତେବେ ରାଜ୍ୟ କମିଟି ପକ୍ଷରୁ ଧର୍ମଘଟ ଡାକରା ଦିଆଯାଇଥିବାରୁ ଆନ୍ଦୋଳନ ପ୍ରତ୍ୟାହାର ନେଇ ମୁଁ ନିଷ୍ପତ୍ତି ନେଇପାରିବି ନାହିଁ। ମୁଁ ଆଶା କରୁଛି ଯେ ମହାସଙ୍ଘ ଖୁବ୍ ଶୀଘ୍ର ନିଷ୍ପତ୍ତି ନେବ।
ତେଣୁ ଭୁବନେଶ୍ୱର ଡ୍ରାଇଭର ସଂଘ ଆନ୍ଦୋଳନ ସ୍ଥଗିତ ରଖିବାକୁ ରାଜି ହୋଇଥିବା ବେଳେ ରାଜ୍ୟ ସଂଘ ଏହାକୁ ନେଇ ରାଜି ନଥିବା ସୂଚନା ରହିଛି।
ରାଜ୍ୟ ମୋଟର ଚାଳକ ସଂଘର ଉପସଭାପତି ସୁମନ ଅତୁଳିଆ ଓ କୋଷାଧ୍ୟକ୍ଷ ଆଦିତ୍ୟ ପ୍ରସାଦ ବେହେରା କହିଛନ୍ତି, ରାଜ୍ୟ ସରକାର ଭୁବନେଶ୍ୱର ଟିମ୍ ସହିତ ଆଲୋଚନା କରିଛନ୍ତି। ରାଜ୍ୟ ସଂଘ କିନ୍ତୁ ଏ ନେଇ କୌଣସି ନିଷ୍ପତ୍ତି ନେଇ ନାହିଁ। ତେବେ ଅତ୍ୟାବଶ୍ୟକ ସାମଗ୍ରୀ ଗାଡ଼ି ନଅଟକାଇ କେବଳ ଧାରଣା ଦିଆଯିବ ବୋଲି ସେମାନେ କହିଛନ୍ତି।
Comments are closed.