Latest Odisha News

BREAKING NEWS

‘ଥାଲ ସେବା’: ୫ ବର୍ଷରେ ଖାଇଲେଣି ୧୬ ଲକ୍ଷରୁ ଊର୍ଦ୍ଧ୍ୱ ଲୋକ

ଉତ୍ତରାଖଣ୍ଡ: ଏବେକା ମହଙ୍ଗା ଯୁଗରେ ଚା’ କପଟିଏ ପିଇବା ପାଇଁ ଯେତେବେଳେ ଅତିକମ୍‌ରେ ୧୦ ଟଙ୍କାଟିଏ ଦେବାକୁ ପଡ଼ୁଛି ସେଭଳି ସମୟରେ ମାତ୍ର ୫ ଟଙ୍କାରେ ଲୋକଙ୍କୁ ମିଲ୍ ଖୁଆଇବା କିଭଳି ସମ୍ଭବ ? ସରକାରୀ ଭାବେ ନୁହେଁ ବ୍ୟକ୍ତିଗତ ଉଦ୍ୟମରେ ୫ ଟଙ୍କାରେ ଲୋକଙ୍କୁ ମିଲ୍ ଦେଇ ଚର୍ଚ୍ଚାକୁ ଆସିଛନ୍ତି ଉତ୍ତରାଖଣ୍ଡ ଅଞ୍ଚଳର ଜଣେ ବ୍ୟବସାୟୀ । ଏ ପର୍ଯ୍ୟନ୍ତ ୫ ବର୍ଷ ଭିତରେ ପ୍ରାୟ ୧୬ ଲକ୍ଷ ଲୋକଙ୍କୁ ଏହି ୫ ଟଙ୍କା ମିଲ୍ ଖାଇବାକୁ ଦେଇପାରିଛନ୍ତି ।

ଉତ୍ତରାଖଣ୍ଡର ହାଲଡୱାନିସ୍ଥିତ ସୁଶୀଲା ତିୱାରୀ ହସ୍ପିଟାଲ ନିକଟରେ ରହିଛି ଏକ ହୋଟେଲ , ଯାହାର ନାମ ରହିଛି ‘ଥାଲ ସେବା’ । ଏଠାରେ ମାତ୍ର ୫ ଟଙ୍କାରେ ଲୋକଙ୍କୁ ଖାଇବାକୁ ଦିଆଯାଇଥାଏ । ପ୍ରତ୍ୟେକ ଦିନ ଏକ ହଜାରରୁ ଅଧିକ ଲୋକ ଏଠାରେ ଖାଦ୍ୟ ଖାଇଥାନ୍ତି । ୨୦୧୮ ରୁ ଆରମ୍ଭ ହୋଇଥିବା ଏହି ୫ ଟଙ୍କିଆ ଥାଲ ସେବାରେ ଏପର୍ଯ୍ୟନ୍ତ ୧୬ ଲକ୍ଷ ଲୋକଙ୍କୁ ଖାଦ୍ୟ ଯୋଗାଇ ଦିଆଯାଇଛି ।
ସୁଶୀଲା ତିୱାରୀ ହସ୍ପିଟାଲ ନିକଟରେ ଥାଲ ସେବା ଆରମ୍ଭ କରିବାର ଏକ କାରଣ ମଧ୍ୟ ରହିଛି । ଏହାର ମାଲିକ ଦୀନେଶ ମାନସେରା କୁହନ୍ତି, ଏଠାରେ ଏହି ହସପିଟାଲ ସବୁଠୁ ବଡ଼ ହସପିଟାଲ । ଦୂରଦୂରାନ୍ତରୁ ଲୋକମାନେ ଚିକିତ୍ସା ପାଇଁ ଏଠାକୁ ଆସନ୍ତି । ରୋଗୀ ଏବଂ ତାଙ୍କ ସମ୍ପର୍କୀୟ ମହଙ୍ଗା ଖାଦ୍ୟ ଖାଇବାକୁ ବାଧ୍ୟ ହେବା ସହ ଖର୍ଚ୍ଚାନ୍ତ ବି ହେଉଥିଲେ । ଏହାକୁ ଦୃଷ୍ଟିରେ ରଖି ଏହି ଥାଲ ସେବା ଆରମ୍ଭ କରାଯାଇଛି । ମାତ୍ର ୫ ଟଙ୍କାରେ ପ୍ରତିଦିନ ଥାଳିରେ ଭାତ,ଡ଼ାଲମା, ମିକ୍ସ ତରକାରୀ, ରାଜମା, ଚଣା, ସୋୟାବିନ୍ ଆଦି ଖାଦ୍ୟ ଦିଆଯାଇଥାଏ । ଆମର ୧୩ ଜଣିଆ ଟିମ୍ ଅଛି । ଆମେ ଦିନକୁ ପ୍ରାୟ ୧୨୦୦ ରୁ ୧୩୦୦ ଲୋକଙ୍କୁ ଖାଇବାକୁ ଦେଇଥାଉ । ଦରଦାମ୍ ବୃଦ୍ଧି ସତ୍ତ୍ୱେ୍ୱ ଆମେ ଲୋକମାନଙ୍କୁ କେବଳ ୫ ଟଙ୍କାରେ ଖାଦ୍ୟ ଯୋଗାଇ ଆସୁଛୁ । ବର୍ତ୍ତମାନ ସୁଦ୍ଧା ୧୬ ଲକ୍ଷରୁ ଅଧିକ ଲୋକ ଖାଦ୍ୟ ଖାଇସାରିଲେଣି ।
ଦୀନେଶ ଆହୁରି କୁହନ୍ତି, ଏହା ଆମର ବ୍ୟବସାୟ ନୁହେଁ । କମ୍ ମୂଲ୍ୟରେ ଭଲ ଖାଦ୍ୟ ଯୋଗାଇବା ଆମର ଉଦ୍ଦେଶ୍ୟ । ଏହା ହେଉଛି ଆମ ଟିମ୍‌ର ଆତ୍ମ ସମ୍ମାନର ବିଷୟ । କେବଳ ଯେ ହସପିଟାଲକୁ ଆସୁଥିବା ଲୋକେ ଖାଆନ୍ତି ତାହାନୁହେଁ, ଡ଼ାକ୍ତର, ନର୍ସଙ୍କ ସହ ଆଖପାଖ ସହରର ଲୋକମାନେ ମଧ୍ୟ ଏଠାକୁ ଖାଇବାକୁ ଆସନ୍ତି ।

Leave A Reply

Your email address will not be published.