କୈଳାସ ଚନ୍ଦ୍ର ସାହାଣୀ
ତୁମେ ଛଳନାର ଜତୁଗୃହରେ ଜାଳିବା ପୂର୍ବରୁ
ବହୁବାର ଜଳିଛି ମୁଁ
ପ୍ରତାରଣାର ଲେଲୀହାନ ଶିଖାରେ,
ତୁମେ ମିଛର ମହୁତୁଠ ଦେଖାଇବା ଆଗରୁ
ଅନେକବାର କ୍ଷତାକ୍ତ ହୋଇଛି ମୁଁ
ସେ ମଧୁ ମକ୍ଷିକାର ତୀବ୍ର ଦଂଶନରେ ;
ମୋତେ ଆଉ ଭ୍ରମିତ କରନାହିଁ ହେ ମର୍ତ୍ତ୍ୟର ଈଶ୍ବର
ତୁମ ଦାସତ୍ବର ବଳଗଣ୍ଡିରୁ ବିମୁକ୍ତ
ମୁଁ ଗୋଟେ ବେଘରୀ ଯାଯାବର !
ଆଜନ୍ମ ଦୁଃଖର ଦହନରେ ସନ୍ତୁଳିତ
ମୁଁ ଗୋଟେ ଖଜୁରୀ ଗଛ ,
ପାରିବତ ତୁମେ ବି ଗୋଟେ ଚୋଟ ଦେଇପାର
ମୁଁ ଯନ୍ତ୍ରଣାରେ କ୍ଷରିତ ହେଉଥିବି
ତୁମ ତୃଷିତ ଓଷ୍ଠର ପରିତୃପ୍ତି ପାଇଁ ;
କାହାର ଦୟାର ପାତ୍ର
କାହା ଅନୁକମ୍ପାର ଧାରକ ମୁଁ ନୁହେଁ,
ବରଂ ତୁମେ ହିଁ ମୋ ଦେହର
ସ୍ବେଦ ରକ୍ତ ଶ୍ରମ ସବୁ ଲୁଟିନେଇଚ
କଳେ ବଳେ କୌଶଳେ !
କାହାର ଚାଟୁକାରିତା ମୋର ଧର୍ମ ନୁହେଁ
କାହାର ଜପ ତପ କରିବାର ବୃଥା ଅଭିଳାଷ ନାହିଁ,
କର୍ମରେ ବିଶ୍ବାସ ରଖୁଥିବା
ଗୋଟେ ମେହନତୀ ମାଟିର ମଣିଷ
ମରି ବଞ୍ଚିବା ଶିଖିଚି ମୁଁ ବାରବାର,
ଆଜନ୍ମ ଦୁଃଖର ଉହ୍ନେଇରେ ଦିକିଦିକି ଜଳୁଥିବା
ଅଧାଜଳା ପୋଡା ଅଙ୍ଗାର ପରି
ଅବଶିଷ୍ଟ ଜୀବନ ମୋର !
କାହାର ଗରଜ ପଡିଚି ଯେ,
ସମସ୍ତେ ତ ନିଜ ହାତରେ ନିଜେ ଚଉଦ ପା’ ।
ଲୁଟି ଭଣ୍ଡି ତଣ୍ଡି ଚଳୁ କରିଦେବାର
ଯାବତ କଳା କୌଶଳରେ ଧୂରୀଣ ,
ମୁଁ ସକଳ କଳି ସାରିଛି ବୋଲି ତ
ନିଜ ପାଇଁ ନିଜେ ତିଆରି କରିନେଇଚି ଅଦୃଶ୍ୟ ପଥ,
ଏବେ ମୋ ପଥରେ ମୋ ରଥ ବାହୁଛି….
ଜାଣେନା କେଉଁଠି ଏ ଯୁଦ୍ଧ ଭୂମିର ଶେଷ !!
ଅଧ୍ୟାପକ ବାପୁଜୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ଗଡପଳାଶୁଣୀ, ଢେଙ୍କାନାଳ।
ମୋ-୯୪୩୭୮୪୩୨୧୯
Comments are closed.