ଅଶୋକ କୁମାର ବେହେରା
ଭାବି ଦେଖିଛ କି କେବେ ମୋ ହୃଦୟର ଅନ୍ତର୍ଦାହ
ଖୋଜିଛ କି ଜାଣିବାକୁ କେବେ
ମୋ ମନର ଅକୁହା ବେଦନା ॥
ମୁଁ ଖୋଜୁଛି ତୁମ ଛବି ନୀତି
ମୋ ସାଇତା ସ୍ମୃତି ଆଇନାରେ
ମୁଁ ରଖିଛି ମିଠା ମିଠା କଥା ତୁମ ପାଇଁ
ମୋ ହୃଦୟର ଭାଷା ପ୍ରକୋଷ୍ଠରେ ॥
ସ୍ୱପ୍ନ ବି ଦେଖୁଛି ନୀତି
ସୁନ୍ଦର ତାରାଟିଏ ହୋଇ
ତୁମେ ଖେଳ ଲୁଚକାଳି ମେଘୁଆ ଆକାଶର
ସେ ଦୁଷ୍ଟ ବାଦଲ ସାଥିରେ
ପୁଣି ଦେଖାଦିଅ ସତେ ଅବା ହାତ ପାହାନ୍ତାରେ
କେବେ ପୁଣି ଲୁଚି ଯାଅ ମେଘ ଉହାଡ଼ରେ
ଅବୋଧ ଶିଶୁଟି ପରି
ମୁଁ ଦେଖୁଥାଏ ତୁମର ସେ ଲୁଚକାଳି ଖେଳ ॥
କୁହ କେବେ ଖୋଜିଛ କି ଜାଣିବାକୁ
ମୋ ମନର ଅନ୍ତର୍ଦାହ ?
ସଜାଇଛି ସୁନ୍ଦର ଘରଟିଏ
ଦେଖ ମୋ ସ୍ୱଅଙ୍କିତ ଛବି ସବୁ
ସତେ ଅବା ତୁମ ସଂଗେ କଥା ହେବେ ।
ମୋ ରଚିତ କେତେ କବିତା ସବୁ
ତୁମ ପାଇଁ ସାଇତା ଏ ଲମ୍ବା ଅଲମାରୀରେ ॥
ମୋ ସ୍ୱର କୁହେ
ତୁମ ସାଥେ ଚିହ୍ନ। ମୋର ଜନ୍ମ ଜନ୍ମାନ୍ତରେ ॥
ଦେଖ ବସନ୍ତ ଚାଲିଯାଏ –
ହଳଦୀ ବସନ୍ତ ଉଡ଼ିଯାଏ –
ପ୍ରଜାପତି ବି,
ଥୁଣ୍ଟା ବରଗଛଟି ପୁଣି ପ୍ରତୀକ୍ଷା କରେ
ବସନ୍ତର ଆଗାମୀ ଦିନକୁ
ଅନେକ ଆଶା ଥାଏ ଏ ବସନ୍ତ
ସେ ବସନ୍ତ ନୁହେଁ –
ଯିଏ ମୋତେ ଠକି ଦେବ
ଗଲାଥର ପରି ସେ ଦୂଷିତ ହାୱାରେ ॥
ପରିବେଶ ଅଣନିଃଶ୍ୱାସୀ
ବର୍ଷାଦିନେ ଗ୍ରୀଷ୍ମ ପୁଣି
ହେମନ୍ତରେ ଶୀତ
ବସନ୍ତ ପୁଣି ଆସେନା
ସେ ରୂପରଙ୍ଗ ନେଇ
ପ୍ରତୀକ୍ଷାର ଯନ୍ତ୍ରଣା ସତେକି କଷ୍ଟ
ତୁମେ ସିନା ବୁଝିପାରନା
ମେଘ ଉହାଡ଼ରେ ଥାଇ
କିନ୍ତୁ ଶ୍ଵାସରୁଦ୍ଧ ହୋଇଯାଏ
ମୋର ଏ ନିର୍ଜନ ନୀଡ଼ରେ ॥
ଦୂରଭାଷ: ୯୪୩୭୨ ୩୦୬୮୦