ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ
ଣ-ଯୋଡ଼ା ଯେତେ ଯୁକ୍ତାକ୍ଷର
ଦିଶେ ଣ୍ଟଣ୍ଠଣ୍ଡଣ୍ଢ ସର୍ବତ୍ର
କିଂତୁ ଏମିତି ଉଚ୍ଚାରଣ
କରଂତିନାହିଁ ବିଜ୍ଞଜନ
କଣ୍ଟା,ପାଣ୍ଠି କି ଖଣ୍ଡା, ଶୁଣ୍ଢି
ତୁଂଡରୁ ହୁଏନାହିଁ କାଢ଼ି
କନ୍ଟା, ପାନ୍ଠି ଓ ଖନ୍ଡା, ଶୁନ୍ଢି
କାନରେ ସଦା ଥାଏ ପଡ଼ି
ଯାହା ହେଉଛି ଉଚ୍ଚାରିତ
ତା ଯଦି ନ ହୁଏ ଲିଖିତ
ପରଂପରା ଜାବୁଡ଼ି ଧରି
ଲୋକଭାଷାକୁ ଦିଏ ସାରି
ଭାଷା ‘ଶାସ୍ତ୍ରୀୟ’ ହେଲା ବୋଲି
ଲୋକଭାଷା ପଡ଼ିନି ଟଳି
ଏହା ତ ସଭିଏଁ ଦେଖଂତି
ଯା ମନ ସେମିତି ଲେଖଂତି
ଭୂମିରେ ଭାଷା ଭଳି ଭଳି
ସ୍ବରୂପ ଧରି ଥାଂତି ଚଳି
ଗୋଟିଏ ଆରେକ ପ୍ରକାର
ହେବା ତ ନୁହେ ଦରକାର
ଲୋକଭାଷାରେ ଲୋକଇଚ୍ଛା
ଛାଡ଼େନି ଲୋକଂକର ପିଛା
ପ୍ରତ୍ୟେକ ଲୋକ ଯେଣୁ ଭିନ୍ନ
ଭାଷା ବି ହୁଏ ଅସମାନ
ପରସ୍ପରକୁ ଶୁଣି, ବୁଝି
ଲୋକ ହେଲେ ରାଜି, ଅରାଜି
ତାହା ହିଁ ଜୀବନ ପ୍ରମାଣ
ନାହିଁ ଅନ୍ୟାନ୍ୟ ପ୍ରୟୋଜନ
ଭାଷା ହୋଇଲେ ବୋଧଗମ୍ୟ
ହୁଏ ଭାବ ପ୍ରକାଶକ୍ଷମ
କରିଲେ ଭାବାର୍ଥ ଗ୍ରହଣ
ଦିଶେନି ଅନ୍ୟ ତ୍ରୁଟିମାନ
ସହଜ ସ୍ବାଭାବିକ ଭାଷା
ଉପରେ କରିଲେ ଭରସା
ଅନ୍ୟ ଯେତେ ବିଷୟ ଜ୍ଞାନ
ପାଆଂତି ଜନସାଧାରଣ
ଆଜିର ଶିଷ୍ୟ କାଲି ଗୁରୁ
ମାନ୍ୟତା ପାଇପାରିବାରୁ
ଭାଷାର ଅବାରିତ ଗତି
ଘଟାଇଥାଏ ସର୍ବୋନ୍ନତି
Comments are closed.