Latest Odisha News

BREAKING NEWS

ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗ, ପ୍ରଧାନଶିକ୍ଷକ ଗିରଫ

କେନ୍ଦୁଝର: ତେଲକୋଇ ବ୍ଲକ ଡିମିରିଆ ସିଆରସିସି ଅନ୍ତର୍ଗତ ଡିମିରିଆ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ଛାତ୍ରୀମାନଙ୍କୁ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି। ପ୍ରାୟ 12 ଜଣ ଛାତ୍ରୀଙ୍କ ଅଭିଯୋଗ ଆଧାରରେ ପ୍ରଧାନ ଶିକ୍ଷକ ନାରାୟଣ ସେନାପତିଙ୍କୁ ପୁଲିସ ଗିରଫ କରିଛି। ଅଭିଯୋଗ ଅନୁଯାୟୀ, ସପ୍ତମ ଓ ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କୁ ବିଭିନ୍ନ ବାହାନାରେ ନିଜ କାର୍ଯ୍ୟାଳୟକୁ ଡାକି ଅସଦାଚରଣ କରୁଥିଲେ ପ୍ରଧାନଶିକ୍ଷକ।

ଘଟଣା ସମ୍ପର୍କରେ ପୀଡ଼ିତା ଛାତ୍ରୀମାନେ ଅଭିଭାବକଙ୍କୁ ଜଣାଇବା ପରେ ସମସ୍ତ କଥା ସାମ୍ନାକୁ ଆସିଥିଲା। ଏହି ଘଟଣାକୁ ନେଇ ଅଭିଭାବକମାନେ ସେହି ସ୍କୁଲ ଘେରାଉ କରିବା ସହ ପ୍ରଧାନ ଶିକ୍ଷକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ଘଟଣା ସମ୍ପର୍କରେ ଖବର ପାଇ ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ଓ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଛାତ୍ରୀଙ୍କ ଅଭିଯୋଗକୁ ଭିତ୍ତି କରି ପ୍ରଧାନ ଶିକ୍ଷକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି।

ତେବେ ଅଭିଯୁକ୍ତ ପ୍ରଧାନଶିକ୍ଷକ ଅଭିଯୋଗକୁ ଭିତ୍ତିହୀନ ବୋଲି କହିଛନ୍ତି। ସେ କହିଛନ୍ତି, ଅଭିଯୋଗ ଭିତ୍ତିହୀନ। ଆପଣ ମହିଳା କର୍ମଚାରୀଙ୍କୁ ମୋ ବ୍ୟକ୍ତିତ୍ୱ ବିଷୟରେ ପଚାରିପାରିବେ। ମୁଁ ଛାତ୍ରଛାତ୍ରୀଙ୍କୁ ନିଜ ପିଲାଙ୍କ ଭଳି ବ୍ୟବହାର କରେ ବୋଲି ପ୍ରଧାନଶିକ୍ଷକ ଜଣଙ୍କ ଗିରଫ ପରେ କହିଛନ୍ତି। ପୋକ୍ସୋ ଆକ୍ଟରେ ମାମଲା ରୁଜୁ ହୋଇଥିବାରୁ ଏବେ ପ୍ରଧାନଶିକ୍ଷକ କୋର୍ଟ ଚାଲାଣ ହୋଇଛନ୍ତି।

 

Leave A Reply

Your email address will not be published.