Latest Odisha News

BREAKING NEWS

୨୦୧୯ ନିର୍ଦ୍ଦେଶନାମା ପାଳନ ହେଉଛି କି ନାହିଁ ଜାଣିବାକୁ ରିପୋର୍ଟ ମାଗିଲେ ସୁପ୍ରିମକୋର୍ଟ

ପୁରୀ: ଶ୍ରୀମନ୍ଦିର ପରିଚାଳନା ପାଇଁ ୨୦୧୯ରେ ଜାରି ହୋଇଥିବା ନିର୍ଦ୍ଦେଶନାମା ଅନୁପାଳନ ନେଇ ବିସ୍ତୃତ ରିପୋର୍ଟ ଦାଖଲ କରିବାକୁ ବୁଧବାର ଜଷ୍ଟିସ ଏମ୍ଆର୍ ଶାହା ଓ ଜଷ୍ଟିସ ସିଟି ରବିକୁମାରଙ୍କୁ ନେଇ ଗଠିତ ଖଣ୍ଡପୀଠ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ମେ’ ୧ ତାରିଖ ରହିଛି।

ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା ପାଇଁ ପୂର୍ଣ୍ଣକାଳୀନ ପ୍ରଶାସକ ନିଯୁକ୍ତି ନେଇ ସୁପ୍ରିମକୋର୍ଟ ଦେଇଥିବା ନିର୍ଦ୍ଦେଶକୁ ରାଜ୍ୟ ସରକାର ପାଳନ କରୁନଥିବା ଅଭିଯୋଗ ହୋଇଛି। ଏହାପରେ ଖଣ୍ଡପୀଠ ଏପରି ଏକ ନିର୍ଦ୍ଦେଶ ଦେଇଛନ୍ତି।

ଶ୍ରୀମନ୍ଦିର ପରିଚାଳନା କମିଟିର ପୂର୍ଣ୍ଣକାଳୀନ ମୁଖ୍ୟ ପ୍ରଶାସକ ନିଯୁକ୍ତି ପାଇଁ ଓଡ଼ିଶା ସରକାର ଅଧିକ ସମୟ ଦେବାକୁ କରିଥିବା ଆବେଦନକୁ କୋର୍ଟ ଖାରଜ କରି ଦେଇଛନ୍ତି। ଏହି ସମୟ ସୀମାକୁ ୨୦୨୩ ଡିସେମ୍ବର ଯାଏ ବୃଦ୍ଧି କରିବା ପାଇଁ ରାଜ୍ୟ ସରକାର କୋର୍ଟଙ୍କୁ ଅନୁରୋଧ କରିଥିଲେ।

କୋର୍ଟ କହିଛନ୍ତି, ଆଜି ଯାଏ ଆମେ ଜାଣିନାହୁଁ କେଉଁ ନିର୍ଦ୍ଦେଶ ପାଳନ ହେଉଛି ଏବଂ କେଉଁ ନିର୍ଦ୍ଦେଶ ପାଳନ ହେଉନାହିଁ। ଏହି ଅଦାଲତଙ୍କ ଦ୍ୱାରା ଜାରି କରାଯାଇଥିବା ବିଭିନ୍ନ ନିର୍ଦ୍ଦେଶର ଅନୁପାଳନ ଉପରେ ଏକ ବିସ୍ତୃତ  ରିପୋର୍ଟ ଆଜିଠାରୁ ଚାରି ସପ୍ତାହ ମଧ୍ୟରେ ଦାଖଲ କରାଯାଉ। ରିପୋର୍ଟର ଏକ କପି ଆମିକସକ୍ୟୁରିଙ୍କୁ ଆଗୁଆ ପ୍ରଦାନ କରାଯାଉ ବୋଲି ରାଜ୍ୟ ସରକାରଙ୍କୁ ଖଣ୍ଡପୀଠ କହିଛନ୍ତି।

ଏହା ପୂର୍ବରୁ କୋର୍ଟ ୨୦୧୯ ନଭେମ୍ବର ୪ରେ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ ଯେ, ଶ୍ରୀମନ୍ଦିର ପରିଚାଳନା କମିଟି ପାଇଁ ପାର୍ଟ ଟାଇମ୍ ପ୍ରଶାସନିକ ଅଧିକାରୀ ବଦଳରେ ପୂର୍ଣ୍ଣକାଳୀନ ପ୍ରଶାସନିକ ଅଧିକାରୀ ନିଯୁକ୍ତ କରାଯାଉ।

ସେପଟେ ଶ୍ରୀଜଗନ୍ନାଥ ମନ୍ଦିର ନାମରେ ୬୪ ହଜାର ଏକର ଜମି ରେକର୍ଡ କରିବାକୁ ପୂର୍ବରୁ ଓଡ଼ିଶା ସରକାର ପ୍ରତିଶ୍ରୁତି ଦେଇଥିବା ଆମିକସ୍ କ୍ୟୁରୀ ରଞ୍ଜିତ କୁମାର କୋର୍ଟଙ୍କୁ ଜଣାଇଛନ୍ତି। ହେଲେ ଏଯାବତ୍ ଏ ଦିଗରେ କୌଣସି ଅଗ୍ରଗତି ହୋଇ ନାହିଁ। ଏହା ସହିତ ସେବାୟତଙ୍କ ପିଲାଙ୍କ କଲ୍ୟାଣ ପାଇଁ ୫ କୋଟି ଟଙ୍କାର ବ୍ୟୟବରାଦ ସମ୍ପର୍କରେ ମଧ୍ୟ ଖଣ୍ଡପୀଠ ଜାଣିବାକୁ ଚାହିଁଛନ୍ତି। କୋର୍ଟଙ୍କ ନିର୍ଦ୍ଦେଶ ପରେ ଏହି ଅର୍ଥ ମଞ୍ଜୁର କରାଯାଇଛି।

Leave A Reply

Your email address will not be published.