ଭୁବନେଶ୍ବର : ରାଜ୍ୟ ସରକାର ଶୁକ୍ରବାର ୩ଟି ଗୁରୁତ୍ୱପୂର୍ଣ୍ଣ ବିଲ୍ ପ୍ରତ୍ୟାହାର କରିଛନ୍ତି । ଓଡ଼ିଶା ଆପାର୍ଟମେଣ୍ଟ (ମାଲିକାନା ଓ ପରିଚାଳନା) ବିଲ୍ ୨୦୨୩ ସମେତ ଓଡ଼ିଶା ପଛୁଆ ବର୍ଗ ଆୟୋଗ (ସଂଶୋଧନ) ବିଲ୍ ୨୦୨୩ ଏବଂ ଓଡ଼ିଶା ନିୟୋଜିତ କ୍ଷତିପୂରଣ ଅଧିକାର (ସଂଶୋଧନ) ବିଲ୍ ୨୦୨୩କୁ ମଧ୍ୟ ପ୍ରତ୍ୟାହାର କରିଛନ୍ତି ରାଜ୍ୟ ସରକାର ।
ଏହି ୩ଟି ଗୁରୁତ୍ୱପୂର୍ଣ୍ଣ ବିଲ୍ ମଧ୍ୟରୁ ଓଡ଼ିଶା ଆପାର୍ଟମେଣ୍ଟ (ମାଲିକାନା ଓ ପରିଚାଳନା) ପ୍ରତ୍ୟାହାର ନେଇ ଓଡ଼ିଶା ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ମନ୍ତ୍ରୀ ଉଷା ଦେବୀ ବିଧାନସଭାରେ ଘୋଷଣା କରିଛନ୍ତି। ସରକାର ଏହି ନୂଆ ବିଲ୍ ଜରିଆରେ ରାଜ୍ୟରେ ଆପାର୍ଟମେଣ୍ଟ କିଣାବିକାକୁ ଶୃଙ୍ଖଳିତ କରିବା ପାଇଁ ଯୋଜନା ରଖିଥିଲେ। ତେବେ ଏବେ ଏହି ବିଧେୟକରେ ସଂଶୋଧନର ଆବଶ୍ୟକତା ଥିବାରୁ ରାଜ୍ୟ ସରକାର ଏହାକୁ ପ୍ରତ୍ୟାହାର କରିଥିବା ଜଣାପଡ଼ିଛି ।
ସୂଚନାଯୋଗ୍ୟ; ରାଜ୍ୟ ସରକାର ସୋମବାର ଓଡ଼ିଶା ଆପାର୍ଟମେଣ୍ଟ ବିଲ୍ ୨୦୨୩କୁ ବିଧାନସଭାରେ ଆଗତ କରିଥିଲେ। ଏହାପରେ ବାଚସ୍ପତି ବିକ୍ରମ କେଶରୀ ଆରୁଖ ଏହାକୁ କାର୍ଯ୍ୟ ପରାମର୍ଶଦାତା କମିଟିକୁ ପଠାଇଥିଲେ। ଏହି ନୂଆ ଆପାର୍ଟମେଣ୍ଟ ବିଧେୟକକୁ ମାର୍ଚ୍ଚ ୧୦ ତାରିଖରେ ରାଜ୍ୟ କ୍ୟାବିନେଟର ମଞ୍ଜୁରୀ ମିଳିଥିଲା।
ସେହିପରି ଓଡ଼ିଶା ପଛୁଆ ବର୍ଗ ଆୟୋଗ (ସଂଶୋଧନ) ବିଲ୍ ୨୦୨୩ ଓ ଓଡ଼ିଶା ନିୟୋଜିତ କ୍ଷତିପୂରଣ ଅଧିକାର (ସଂଶୋଧନ) ବିଲ୍ ୨୦୨୩କୁ ମଧ୍ୟ ରାଜ୍ୟ ସରକାର ପ୍ରତ୍ୟାହାର କରିଛନ୍ତି । ଗୃହରେ ବିଭଗୀୟ ମନ୍ତ୍ରୀମାନେ ଏହି ଦୁଇ ବିଲ୍ ପ୍ରତ୍ୟାହାର ନେଇ ଘୋଷଣା କରିଥିଲେ।
ଉଲ୍ଲେଖଯୋଗ୍ୟ; ଆଗକୁ ଏହି ସମସ୍ତ ବିଧେୟକରେ ଆବଶ୍ୟକ ସଂଶୋଧନ କରାଯିବା ପରେ ଏଗୁଡ଼ିକୁ ରାଜ୍ୟ କ୍ୟାବିନେଟର ମଞ୍ଜୁରୀ ପାଇଁ ପଠାଇବେ। କ୍ୟାବିନେଟରେ ଅନୁମୋଦନ ହେବା ପରେ ଏହାକୁ ପୁଣି ରାଜ୍ୟ ସରକାର ବିଧାନସଭାରେ ଆଗତ କରିବେ ବୋଲି ଜଣାପଡ଼ିଛି ।