Latest Odisha News

ଧାରାବାହିକ ଉପନ୍ୟାସ : ବେଳାଭୂମିର ଚିହ୍ନ (୯୨)

କନକ ମଞ୍ଜରୀ ପଟ୍ଟନାୟକଙ୍କ ଧାରାବାହିକ ଉପନ୍ୟାସ ‘ବେଳାଭୂମିର ଚିହ୍ନ

ମଧ୍ୟାହ୍ନ ସୂର୍ଯ୍ୟର ଦୁର୍ବିସହ ଦ୍ୟୁତି ମହଳ ପଡ଼ିଆସେ । ପ୍ରାଥମିକ ବିଦ୍ୟାଳୟରେ ପିଲାମାନେ ପରମ ଉଲ୍ଲାସରେ କୁହାଟ ଛାଡ଼ି ଘରକୁ ଦୌଡ଼ନ୍ତି । ପିନ୍ଧା ପଞ୍ଜାବୀର ହାତକୁ ସାମାନ୍ୟ ଗୁଡ଼େଇ ଦେଇ ସରୋଜ ନନ୍ଦିନୀ କୂଳକୁ ଯାଆନ୍ତି । ବାଲୁକାଶଯ୍ୟାରେ ଚିତ୍ର ସରଞ୍ଜାମ କୁ ସଜାଡ଼ି ନେଇ କଳାର ପୂଜାରୀ ସାଧନାରେ ନିଜକୁ ହଜାଇ ଦିଅନ୍ତି ।

ସେଦିନ ମଧ୍ୟ ନନ୍ଦିନୀ ନଦୀ କୂଳରେ ବସି ଦୂର ଦିଗ୍‌ବଳୟକୁ ଏକ ଲୟରେ ଚାହିଁ କାନ୍‌ଭାସ ଉପରେ ଦୃଶ୍ୟପଟଟିଏ ଆଙ୍କିବାର କଳ୍ପନାରେ ନିମଗ୍ନ କଳାକାର ସୁଜାତାର ପାଦଶବ୍ଦକୁ ବାରିପାରି ନଥିଲେ । ଟିଫିନ୍ କ୍ୟାରିଅର୍‌କୁ ଖୋଲୁଖୋଲୁ ସୁଜାତା ତାଙ୍କ ଉଦ୍ଦେଶ୍ୟରେ କହିଲା- ଜଳଖିଆ ଆଣିବା ଡ଼େରି ହୋଇଗଲା କି ? ତମେ ଏମିତି ଗମ୍ଭୀର ଅଛ ଯେ… ।

ହସିଲେ ସରୋଜ ନିର୍ବିକାର ହସ ।

– କିଛି ନୁହେଁ ଜିତା, ତମେ ଜଳଖିଆ ଆଣିବା ଜ୧ା ଡେରୀ ହୋଇନାହିଁ… ।

ବସ… ମୁଁ ଅନେକ ସମୟ ଧରି ଦୃଶ୍ୟପଟଟିଏ ଆଖିର ଆରିସିରେ ଧରି ରଖିବାପାଇଁ କଳ୍ପନା ଭିତରେ ଅଛି । ମୋର ଜଣେ ଖାସ୍ ବନ୍ଧୁ ପାଇଁ ଚିତ୍ରପଟଟିଏ ଆଙ୍କିବାର ଅଛି ନା ?

ସାମାନ୍ୟ ସ୍ମିତ ହସି ସେ ତା’ ଆଡ଼କୁ କଣେଇ ଚାହିଁଲେ । ସୁଜାତା ଆଖିରେ ଚପଳ ସନ୍ଦିଗ୍‌ଧତାର ଭଉଁରୀ ଦେଖି ସେ ଆଉ ଟିକେ ଅଧିକ ଚପଳ ହୋଇଉଠିଲେ ।

– ଜାଣିଛ, ସେ ବନ୍ଧୁ ଜଣକ କିଏ ?
– କହିଲେ ସିନା ଜାଣିବି ।
– ସୁନ୍ଦରୀ ସୁଜାତା, ଶୁଣ, ସେଇ ଖାସ୍ ବନ୍ଧୁ ଜଣକ ହେଉଛ, ତମେ…. । ପ୍ରଗଲ୍‌ଭତାରେ ଲୋଟିପଡ଼ିଲେ ସରୋଜ । ତାଙ୍କର ଏ ରୂପ ସୁଜାତା ଆଗରୁ ଦେଖି ନଥିଲା । ସଦା ଚଞ୍ଚଳ , ଗମ୍ଭୀର ସରୋଜଙ୍କ ଭିତରେ ବି ନିରୀହ କୃଷ୍ଣସାର ଚଞ୍ଚଳତା ଅଛି… ?

କ୍ରମଶଃ

Comments are closed.