ଭୁବନେଶ୍ୱର: କଣ ରହିଛି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଯୋଜନା। ପୂର୍ଵଭଳି ଜାତୀୟ ରାଜନୀତିରେ ରହିବେ ନା ରାଜ୍ୟରେ ପୂର୍ଣ୍ଣ ସମୟ ଦେବେ। ଲୋକସଭା ଲଢ଼ିବେ ନା ବିଧାନସଭା। ଏକା ଲଢ଼ିବେ ନା ପତ୍ନୀ ବି ଲଢ଼ିବେ। ଧର୍ମେନ୍ଦ୍ରଙ୍କୁ ନେଇ ଏମିତି ଅନେକ ପ୍ରଶ୍ନ ଏବେ ଉଙ୍କି ମାରୁଛି।
ନିର୍ବାଚନ ଆସନ୍ନ ଥିବାବେଳେ ଦେଶ ଓ ରାଜ୍ୟ ବିଜେପିର ପ୍ରମୁଖ ଚେହେରା ହେଉଛନ୍ତି ଧର୍ମେନ୍ଦ୍ର। ଦୁଇ ଦୁଇ ଥର ରାଜ୍ୟସଭାକୁ ଯାଇ ପ୍ରମୁଖ ବିଭାଗର କେନ୍ଦ୍ରମନ୍ତ୍ରୀ ଭାବେ ଦାୟୀତ୍ୱ ତୁଲାଉଛନ୍ତି ସେ। ଏପରିକି ରାଜ୍ୟରେ ମୁଖ୍ୟମନ୍ତ୍ରୀଙ୍କ ପ୍ରତିଦ୍ବନ୍ଦୀ ଭାବେ ଧର୍ମେନ୍ଦ୍ରଙ୍କୁ ନେଇ ଚର୍ଚ୍ଚା ହୁଏ। କିନ୍ତୁ ପରିବର୍ତିତ ପରିସ୍ଥିତିରେ ତାଙ୍କୁ ନିର୍ବାଚନ ଲଢ଼ିବାକୁ ପଡିବ ବୋଲି ଚର୍ଚ୍ଚା ହେଉଛି।
ସେ ସମ୍ବଲପୁର କିମ୍ବା ଢେଙ୍କାନାଳ ଲୋକସଭା ସିଟରୁ ସାଂସଦ ଭାବେ ଲଢ଼ିପାରନ୍ତି ବୋଲି କୁହାଯାଉଛି। ସେଥିପାଇଁ ଧର୍ମେନ୍ଦ୍ର ଉଭୟ ଜିଲ୍ଲାରେ ବହୁ କାର୍ଯ୍ୟକ୍ରମରେ ଯୋଗ ଦେଉଛନ୍ତି। ଏହି ଚର୍ଚ୍ଚାକୁ ଆହୁରି ବ୍ୟାପକ କରିଛି ଧର୍ମେନ୍ଦ୍ରଙ୍କ ପତ୍ନୀ ମୃଦୁଳା ଠାକୁରଙ୍କ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦାନ।
ସମ୍ବଲପୁର ଓ ଢ଼େଙ୍କାନାଳରେ ଧର୍ମେନ୍ଦ୍ରଙ୍କ ପତ୍ନୀ ମୃଦୁଳା ଠାକୁର କାର୍ଯ୍ୟକ୍ରମଗୁଡିକରେ ଯୋଗ ଦେଉଛନ୍ତି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସମ୍ବଲପୁର ଜିଲ୍ଲାକୁ ବିଭିନ୍ନ ସମୟରେ ଗସ୍ତ କରୁଛନ୍ତି। ସେହିପରି ଧର୍ମେନ୍ଦ୍ର ପ୍ରଧାନଙ୍କ ପତ୍ନୀ ମୃଦୁଳା ଠାକୁର ସମ୍ବଲପୁର ଲୋକସଭା କ୍ଷେତ୍ରରେ ମେଗା ସ୍ୱାସ୍ଥ୍ୟ ଶିବିର ଆୟୋଜନ କରୁଥିବା ଦେଖାଯାଇଛି। ବହୁ ବିଧାନସଭା କ୍ଷେତ୍ରରେ ଏହି ଶିବିର ଆୟୋଜିତ ହେଉଛି।
ସମ୍ବଲପୁର ଲୋକସଭା କ୍ଷେତ୍ରରେ ଆସୁଥିବା ୭ଟି ବିଧାନସଭା କ୍ଷେତ୍ର ମଧ୍ୟରୁ ୩ଟି ଆସନ ବିଜେପି ହାତରେ ଥିବା ବେଳେ ବିଜେଡି ହାତରେ ରହିଛି ୪ଟି ଆସନ । ଆଉ ଆସନଗୁଡିକ ସମ୍ବଲପୁର, ଦେବଗଡ଼ ଓ ଅନୁଗୁଳ ଜିଲ୍ଲାରେ ରହିଛି। ତେଣୁ ଏସବୁ କ୍ଷେତ୍ରରେ ଧର୍ମେନ୍ଦ୍ର ଓ ମୃଦୁଲାଙ୍କ କାର୍ଯ୍ୟକ୍ରମକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି।
ଧର୍ମେନ୍ଦ୍ରଙ୍କ ଯୋଜନାକୁ ଦେଖି ବିଜେଡି ଆଗୁଆ ପ୍ରସ୍ତୁତି କରିଛି। ଧର୍ମେନ୍ଦ୍ର ପ୍ରଧାନ ଯେଉଁ ଜାଗାରୁ ପ୍ରାର୍ଥୀ ହେବାକୁ ଯୋଜନା କରିଥିବା କୁହାଯାଉଛି ସେଠାରେ ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କୁ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି ମିଳିଛି। ତେଣୁ ଧର୍ମେନ୍ଦ୍ରଙ୍କୁ ନ ଜିତେଇ ଦେବା ପାଇଁ ଏହା ବିଜେଡିର ଯୋଜନା ବୋଲି କୁହାଯାଉଛି।
ଯଦି ବିଜେଡି ସତରେ ଟାର୍ଗେଟ କରେ ତାହେଲେ ଧର୍ମେନ୍ଦ୍ର ଜିତିବା ଏତେ ସହଜ ହେବ ନାହିଁ ବୋଲି କୁହାଯାଉଛି। ଧର୍ମେନ୍ଦ୍ର ଯଦି ଲୋକସଭା ପାଇଁ ଲଢନ୍ତି ତାହେଲେ ମୃଦୁଲା କଣ କୌଣସି ଏକ ବିଧାନସଭା କ୍ଷେତ୍ରରୁ ଲଢ଼ିବେ କି ବୋଲି ଆଲୋଚନା ହେଉଛି।
ଆଗକୁ ଜାତୀୟ ରାଜନୀତିରେ ଧର୍ମେନ୍ଦ୍ର ଏକ ବଡ଼ ପଦବୀ ପାଇବେ ବୋଲି କୁହାଯାଉଛି। ସେଥିପାଇଁ ପ୍ରତ୍ୟକ୍ଷ ନିର୍ବାଚନରେ ଲଢ଼ି ଜିତିବା ଧର୍ମେନ୍ଦ୍ରଙ୍କ ପାଇଁ ଏକ ସମ୍ମାନର ପ୍ରଶ୍ନ। ଏପଟେ ରାଜ୍ୟ ବିଜେପି ରାଜନୀତି ପାଣିପାଗ ବଦଳୁଛି।
ସୁନୀଲ ବଂଶଲ କ୍ଷେତ୍ରିୟ ପ୍ରଭାରୀ ଦାୟିତ୍ୱ ନେବା ପରେ ମନମୋହନ ସାମଲ ଓ ଜୟ ନାରାୟଣ ମିଶ୍ର ଆକ୍ଟିଭ। ତେଣୁ ଧର୍ମେନ୍ଦ୍ର ପ୍ରଧାନ ଏବେ ଜାତୀୟ ନା ରାଜ୍ୟ ରାଜନୀତିକୁ ଫୋକସ କରିବେ ଓ କିଭଳି ବିଜେଡିକୁ ସମ୍ମୁଖୀନ ହେବେ ତା ଉପରେ ନଜର।