Latest Odisha News

BREAKING NEWS

ରେଡ଼ ଲଢେଇ, ମୁହାଁମୁହିଁ ବିଜେଡି ବିଜେପି

ଭୁବନେଶ୍ୱର: ନିର୍ବାଚନ ପୂର୍ବରୁ ରେଡ଼ ରାଜନୀତି। ଆଇଟି ପକ୍ଷରୁ ବିଜେଡି ନେତା ଓ ସମର୍ଥକଙ୍କୁ ଟାର୍ଗେଟ କରାଯାଉଥିବା ଅଭିଯୋଗ ହୋଇଛି। ସେହିପରି ରାଜ୍ୟ ଜିଏସଟି ତଥା ପୋଲିସ ପକ୍ଷରୁ ବିଜେପି ନେତା ଓ ସମର୍ଥକଙ୍କୁ ଟାର୍ଗେଟ କରାଯାଇଥିବା ଅଭିଯୋଗ ହୋଇଛି।

କେନ୍ଦ୍ରୀୟ ସଂସ୍ଥାର ଅପବ୍ୟବହାର କରି ବିଜେପି ରେଡ ଭୟ ଦେଖାଉଥିବା ଅଭିଯୋଗ ହୋଇଛି। ଗତ ସପ୍ତାହରେ ବିଜେଡିର ଜଣେ ନେତାଙ୍କ ଶିକ୍ଷାନୁଷ୍ଠାନ ଉପରେ ଜିଏସଟି ଚଢାଉ କରି ତାଙ୍କୁ ଭୟଭୀତ କରିବାକୁ ଚେଷ୍ଟା କରାଯାଇଥିବା ଅଭିଯୋଗ ହୋଇଥିଲା।

ଏହା ପୂର୍ବରୁ ପଦମପୁର ଉପନିର୍ବାଚନ ସମୟରେ ଚଢାଉ ଦେଖିବାକୁ ମିଳିଥିଲା। ବାଲେଶ୍ବରଠାରୁ ଆରମ୍ଭ କରି ଭୁବନେଶ୍ବର, ଢେଙ୍କାନାଳ ସବୁଆଡେ ରେଡ଼ ଦେଖିବାକୁ ମିଳିଛି। ଆୟକର ବିଭାଗ ଟାର୍ଗେଟରେ ବିଜେଡି ନେତା ବୋଲି ଅଭିଯୋଗ ହେବା ସହ ଝାରସୁଗୁଡ଼ା ଉପନିର୍ବାଚନ ପୂର୍ବରୁ ବିଜେପି ଏଭଳି ରାଜନୀତି କରିଥିବା କୁହାଯାଇଛି।

ବାଲେଶ୍ବର ସୋର ବ୍ଲକ ଉପାଧ୍ୟକ୍ଷ ଭ୍ରମରବର ନାୟକ, ନୟାଗଡ଼ ଜିଲ୍ଲା ଭାପୁର ବ୍ଲକ ଅଧ୍ୟକ୍ଷ ସାବିତ୍ରୀ ପ୍ରଧାନ ଓ ଉପାଧ୍ୟକ୍ଷ ବେଣୁଧର ପ୍ରଧାନଙ୍କ ଘରେ ରେଡ୍ ହୋଇଥିବା କୁହାଯାଉଛି। ଏହାସହ ଢେଙ୍କାନାଳ ବିଜେଡି ନେତା ଓ ସମର୍ଥକଙ୍କ ଘର ସହ ବ୍ୟବସାୟିକ ପ୍ରତିଷ୍ଠାନ ଉପରେ କେନ୍ଦ୍ରୀୟ ଆୟକର ବିଭାଗ ଚଢ଼ାଉ କରିଥିବା କୁହାଯାଉଛି।

ବାଲି, ପଥର, କ୍ରସର ବ୍ୟବସାୟ ସହ ସମ୍ପର୍କ ରଖିଥିବା ବ୍ୟବସାୟୀଙ୍କ ଘରେ ରେଡ୍ ହୋଇଥିବାର ଚିତ୍ର ସାମ୍ନାକୁ ଆସିଛି । ଯାଜପୁର ଜିଲ୍ଲା ଧର୍ମଶାଳା ତହସିଲ ଅଂଚଳରେ ମଧ୍ୟ ଆୟକର ବିଭାଗ ପକ୍ଷରୁ ଚଢାଉ କରାଯାଇଛି । ଏହି ତହସିଲ ଅନ୍ତର୍ଗତ ବିଭିନ୍ନ କ୍ରସର ୟୁନିଟ୍ ଓ ପେଟ୍ରୋଲ ପମ୍ପ ଉପରେ ଚଢାଉ କରାଯାଇଛି। ମୋଟା ଅଙ୍କର ଟିକସ ଫାଙ୍କିବା ଅଭିଯୋଗରେ ହୋଇଛି ଏହି ଚଢାଉ ହୋଇଥିବା କୁହାଯାଉଛି। ସେପଟେ ବିରୋଧୀଙ୍କ ମୁହଁ ବନ୍ଦ କରିବାକୁ ଇଡି, ସିବିଆଇ, ଇନକମ ଟ୍ୟାକ୍ସକୁ ଅସ୍ତ୍ର କରାଯାଇଥିବା ଅଭିଯୋଗ ହୋଇଛି।

ସେହିପରି ଅନୁଗୁଳ ଜିଲ୍ଲାରେ ବଡ଼ ଧରଣର ଜିଏସଟି ରେଡ୍ । ରାଜ୍ୟ ଜିଏସଟିର ୨୫ ଜଣିଆ ଟିମ୍ ଚଢ଼ାଉ କରିଛି । ମିଛ କମ୍ପାନୀ କରି ଜିଏସଟି ଠକୁଥିବା ଅଭିଯୋଗ ହୋଇଛି । ୨ ଟି ବ୍ୟାବସାୟିକ ସଂସ୍ଥା ନାଁରେ ଅଭିଯୋଗ ହୋଇଥିବା କୁହାଯାଇଛି ।

ପରିବାର ସଦସ୍ୟଙ୍କ ନାଁରେ ଏକାଧିକ ସଂସ୍ଥା ଖୋଲି ଠକେଇ ହୋଇଥିବା କୁହାଯାଇଛି। ଲ୍ୟାପଟପ, ବ୍ଲାଙ୍କ ଚେକବୁକ୍ ସହ ବିଭିନ୍ନ ଡକ୍ୟୁମେଣ୍ଟ ଜବତ ହୋଇଥିବା ସୂଚନା ମିଳିଛି। ତେଣୁ ଯେଶାକୁ ତେସା ନ୍ୟାୟରେ ଆଇଟି ଚଢ଼ାଉ ବିରୋଧରେ ରାଜ୍ୟ ଜିଏସଟି ଚଢ଼ାଉ କରାଯାଇଥିବା ଆଲୋଚନା ହେଉଛି।

Leave A Reply

Your email address will not be published.