Latest Odisha News

ପୂର୍ବତନ ସମିତି ସଭ୍ୟଙ୍କ ଘର ଉପରକୁ ଦୁର୍ବୃତ୍ତଙ୍କ ବୋମାମାଡ଼

କାମାକ୍ଷାନଗର: ଅଧରାତିରେ ବୋମାମାଡ଼ । ଢେଙ୍କାନାଳ ଜିଲ୍ଲା କୋଟଗରା ପଞ୍ଚାୟତର ପୂର୍ବତନ ସମିତି ସଭ୍ୟଙ୍କ ଘର ଉପରକୁ ଶନିବାର ବିଳମ୍ବିତ ରାତିରେ ଦୁର୍ବୃତ୍ତ ବୋମାମାଡ଼ କରିଛନ୍ତି । ଏନେଇ ପୋଲିସରେ ଏତଲା ଦେଇଛନ୍ତି ପୂର୍ବତନ ସମିତି ସଭ୍ୟ ଅଶ୍ୱିନୀ ପରିଡ଼ା ।

ଅଭିଯୋଗ ଅନୁସାରେ, ଶନିବାର ରାତି ପ୍ରାୟ ସାଢ଼େ ୧୧ଟାରେ ୩ ଜଣ ଦୁର୍ବୃତ୍ତ ଏକ ପଲସରରେ ଆସି ଗାଳିଗୁଳଜ କରିବା ସହ ଗ୍ୟାରେଜରେ ଥିବା ଜିପରେ ନିଆଁ ଲଗାଇ ଦେଇଥିଲେ । ଏପରିକି ଜୀବନରେ ମାରି ଦେବାକୁ ଧମକ ଦେଇ ଘର ଉପକୁ ବୋମା ଫିଙ୍ଗିଥିଲେ ଦୁର୍ବୃତ୍ତ ।

ଏତଲା ଦେବା ପରେ ଶନିବାର ରାତିର ଘଟଣା ବିଷୟରେ ଅଶ୍ୱିନୀ ବର୍ଣ୍ଣନା କରିଛନ୍ତି । କହିଛନ୍ତି, ୩ ଜଣ ଏକ ବାଇକରେ ପେଟ୍ରୋଲ, ଖଣ୍ଡା ଓ ବନ୍ଧୁକ ନେଇ ଆସିଥିଲେ । ଅଧରାତିରେ ଫାଟକ ଖୋଲିବାକୁ ଚେଷ୍ଟା କରିଥିଲେ । ମୋତେ ଖରାପ ଭାଷାରେ ଗାଳିଗୁଳଜ କରିବା ସହ ହତ୍ୟା ଧମକ ଦେଇଥିଲେ । ମୁଁ ସେମାନଙ୍କ କଥା ନ ଶୁଣି ଘର ଭିତରକୁ ଯିବା ପରେ ସେମାନେ ଆକ୍ରମଣ କରିଛନ୍ତି ।

ତେବେ ଏହା ପଛରେ ରାଜନୈତିକ ଶତ୍ରୁତା ଥାଇପାରେ ବୋଲି କହିଛନ୍ତି ଅଶ୍ୱିନୀ । ସମିତି ସଭ୍ୟ ଥିବା ବେଳେ ପଞ୍ଚାୟତରେ ଅନେକ ଉନ୍ନତିମୂଳକ କାମ କରିଥିବା କହି ବିପକ୍ଷ ଏଭଳି କରି ଥାଇପାରନ୍ତି ବୋଲି ଅଶ୍ୱିନୀ ଆଶଙ୍କା କରିଛନ୍ତି । ଅଭିଯୋଗ ପରେ ପୋଲିସ ଘଟଣାସ୍ଥଳ ପରିଦର୍ଶନ କରିବା ସହ ୨ଟି ଅଫୁଟା ବୋମା ଜବତ କରି ତଦନ୍ତ କରୁଛି ।

Leave A Reply

Your email address will not be published.