Latest Odisha News

ଅର୍ଚ୍ଚନା, ନବଙ୍କ ପରେ ନକଲି ସାର୍ଟିଫିକେଟ, ବିରୋଧୀ ଗର୍ଜୁଛନ୍ତି ପୁଣି ଭୁଲିଯାଉଛନ୍ତି !

ଭୁବନେଶ୍ୱର: ଶାସକ ଦଳକୁ ବିରୋଧର ଫଳ କଣ ମିଳେ? ଯେଉଁ ପ୍ରସଙ୍ଗକୁ ନେଇ ବିରୋଧ ହୁଏ ତାର ଫଳାଫଳ ଓ ଲାଭ କଣ ମିଳେ? ବିରୋଧୀଙ୍କ ବିରୋଧ ପରେ ଶାସକ ଦଳକୁ କେତେ କ୍ଷତି ପହଞ୍ଚେ? ପ୍ରମୁଖ ସମ୍ବେଦନଶୀଳ ପ୍ରସଙ୍ଗରେ ଏତେ ହୋହାଲ୍ଲା ଓ ବିରୋଧ କରାଯାଉଥିବା ବେଳେ କିଛି ଦିନ ପରେ ସମ୍ପୃକ୍ତ ପ୍ରସଙ୍ଗକୁ ବିରୋଧୀ କିଛି ନିର୍ଣ୍ଣାୟକ ରୂପ ଦେଇପାରନ୍ତି କି? ନା ପ୍ରସଙ୍ଗ ଆସେ ଏବଂ କିଛି ଦିନ ପରେ ଆପେ ଆପେ ପଳାଏ । ଏମିତି ଅନେକ ପ୍ରଶ୍ନ ଏବେ ଉଠିଛି।

କିଛି ମାସ ତଳେ ଅର୍ଚ୍ଚନା ନାଗ ପ୍ରସଙ୍ଗକୁ ନେଇ ରାଜ୍ୟ ଉଠିଲା ପଡିଲା। କେତେ ନେତାଙ୍କ ନାଁ ଆସିଲା। ଫଟୋ ବି ପଦାକୁ ଆସିଲା। କିନ୍ତୁ ସେ ପ୍ରସଙ୍ଗ ଏବେ ଆଉ ନାହିଁ। ଏପରିକି ଅର୍ଚ୍ଚନାକୁ ଜାମିନ ମିଳିବା ନେଇ ଖବର ଆସିବା ପରେ ମଧ୍ୟ କିଛି ରାଜନୈତିକ ଚର୍ଚ୍ଚା ହେଉନି।

ସେମିତି ତା ପରେ ଏକ ଅତ୍ୟନ୍ତ ସମ୍ବେଦନଶୀଳ ଘଟଣା ଘଟିଲା। ପୂର୍ବତନ କ୍ୟାବିନେଟ ମନ୍ତ୍ରୀ ନବ ଦାସଙ୍କୁ ଜଣେ ପୋଲିସ ଅଧିକାରୀ ହତ୍ୟା କଲେ। ରାଜ୍ୟ ଉଠିଲା ପଡିଲା। ଶାସକ ଦଳକୁ ଟାର୍ଗେଟ କରି ଚାଲିଲେ ବିରୋଧୀ। ଏ ଯାଏ ମଧ୍ୟ ନବ ଦାସଙ୍କ ହତ୍ୟାକୁ ନେଇ ସ୍ପଷ୍ଟତା ଆସିପାରୁନି। କିନ୍ତୁ ବିରୋଧୀ ଏ ପ୍ରସଙ୍ଗରେ ନା ଆଉ ବିଶେଷ କିଛି କହୁଛନ୍ତି ନା ବିରୋଧ କରୁଛନ୍ତି।

ଏବେ ପୁଣି ନୂଆ ପ୍ରସଙ୍ଗ ଆସିଛି ନକଲି ସାର୍ଟିଫିକେଟ ପ୍ରସଙ୍ଗ। ନକଲି ଶାସନରେ ନକଲି ନିଯୁକ୍ତି ହେଉଛି ବୋଲି ବିଜେପି ଅଭିଯୋଗ କରିଛି। ନକଲି ଶିକ୍ଷକ ନିଯୁକ୍ତି କରି ସେମାନଙ୍କୁ ବିଜେଡି ନିର୍ବାଚନରେ ବ୍ୟବହାର କରୁଛି ବୋଲି ଅଭିଯୋଗ କରିଛି ଦଳ। ତେଣୁ ନକଲି ସାର୍ଟିଫିକେଟ ପ୍ରସଙ୍ଗକୁ ନେଇ ଏବେ ବିଜେଡିକୁ ବିରୋଧୀ ଘେରିବା ଆରମ୍ଭ କରିଛନ୍ତି।

ଖାଲି ଏତିକି ପ୍ରସଙ୍ଗ ନୁହେଁ ଇତିଶ୍ରୀ, ବେବିନା, ପରୀ, ମମିତା ଆଦି କେତେ ପ୍ରସଙ୍ଗ ନେଇ ଶାସକ ଦଳ ଓ ଶାସକ ଦଳର ନେତାଙ୍କୁ ଘେରିଛନ୍ତି ବିରୋଧୀ। କିନ୍ତୁ ନା ବିରୋଧୀ ସେସବୁ ପ୍ରସଙ୍ଗକୁ ନିର୍ଣ୍ଣାୟକ ରୂପ ଦେଇପାରିଛନ୍ତି ନା ଶାସକ ଦଳର ବିଶେଷ କିଛି କ୍ଷତି ହୋଇଛି।

ଗୋଟିଏ ପ୍ରସଙ୍ଗକୁ ନେଇ ହୋହାଲ୍ଲା ଆନ୍ଦୋଳନ, ପୋଡାଜଳା, ବିକ୍ଷୋଭ ହୋଇଛି ଓ ତାର କିଛି ନିର୍ଯ୍ୟାସ ନ ବାହାରୁଣୁ ବିରୋଧୀ ନିଜେ ସେ ସବୁକୁ ଭୁଲି ଯାଇଛନ୍ତି। ପୁଣି ଆଉ ଏକ ପ୍ରସଙ୍ଗ ଆସିଲେ ତାକୁ ଉଠାଉଛନ୍ତି।

ସେଥିପାଇଁ ବିରୋଧୀ କୌଣସି ପ୍ରସଙ୍ଗରେ ଯେତେ ଜୋରଦାର ଆନ୍ଦୋଳନ କଲେ ମଧ୍ୟ ସାଧାରଣ ଲୋକଙ୍କ ଉପରେ ଏହାର ପ୍ରଭାବ ପଡୁ ନ ଥିବା କୁହାଯାଉଛି। ତେଣୁ ସେଥିପାଇଁ ବିରୋଧୀ ଓ ବିରୋଧୀଙ୍କ ଆନ୍ଦୋଳନ ଗୁରୁତ୍ବହୀନ ହୋଇପଡୁଥିବା ବେଳେ ଶାସକ ଦଳ ଉପରେ ମଧ୍ୟ କିଛି ପ୍ରଭାବ ପଡୁନାହିଁ ବୋଲି କୁହାଯାଉଛି। କୋୖଣସି ପ୍ରସଙ୍ଗକୁ ବିରୋଧୀ ନିର୍ଣ୍ଣାୟକ ରୂପ ଦେବା ପର୍ଯ୍ୟନ୍ତ ଯଦି ଲଢନ୍ତେ ତାହେଲେ ଲୋକେ ବିରୋଧୀଙ୍କୁ ଗୁରୁତ୍ୱ ଦିଅନ୍ତେ ବୋଲି ଆଲୋଚନା ହେଉଛି।

Comments are closed.