Latest Odisha News

ଧାରାବାହିକ ଉପନ୍ୟାସ : ବେଳାଭୂମିର ଚିହ୍ନ (୧୦୩ )

କନକ ମଞ୍ଜରୀ ପଟ୍ଟନାୟକଙ୍କ ଧାରାବାହିକ ଉପନ୍ୟାସ ‘ବେଳାଭୂମିର ଚିହ୍ନ’

ଦୁଇହାତରେ ମୁଣ୍ଡକୁ ଚାପିଧରି ପଲଙ୍କ ଉପରେ ଲୋଟିପଡ଼ିଲେ ସେ । କିନ୍ତୁ ଏ କ’ଣ ! କିଏ ଯେପରି ତାଙ୍କ ଗଳାରେ ହାତଦେଇ ଉଠାଇ ବସେଇ ଦେଲା ।

– ତୁମ ପରି କୃତଘ୍ନ ଶାନ୍ତିରେ ନିଦ୍ରାଯିବା ଅନୁଚିତ । ଜୀବନରେ ତମେ ଅନ୍ୟମାନଙ୍କ ଆଖିରୁ ଯେତେ ଲୁହ ଝରାଇଛ; ସେସବୁ ତମର ଦି’ ଆଖିରେ ସମୁଦ୍ର ସୃଷ୍ଟି କରିବ । ସୁକୋମଳ ଶଯ୍ୟା ତମହାତ ପାହାନ୍ତାରେ ଥିବ; କିନ୍ତୁ ତମେ ଶାନ୍ତିରେ ଶୋଇପାରିବନି । ତମକୁ ଆଜି ମୁଁ ଅଭିଶାପ ଦେଉଛି… ମୁଁ ଉଷା… ଶ୍ରୀମତୀ ଉଷା
ବାନାର୍ଜୀ । ମୁଁ ଆଜି କୁମାରୀ ନୁହେଁ ଯେ ଥରେ ତୁମ ସହ ମିଶିଥିବାର ଭୁଲକୁ ବି କରି ତୁମେ ମତେ ଏକ ଆଜ୍ଞାଧିନା ଖେଳନା ଭଳି ବ୍ୟବହାର କରିବ ଆଉ ସମାଜର ଭୟରେ ମୁଁ ତୁମ ଇଙ୍ଗିତର ତାଳେ ତାଳେ ନୃତ୍ୟ କରିବାକୁ ବାଧ୍ୟ ହେବି । ଆଜି ମୁଁ ବିବାହିତା । ତମ ସହ ଖେଳି ମଧ୍ୟ ମୁଁ ହାରିଯାଇନି- ଉମା ପରି ।

କୁମାରୀ ଅବସ୍ଥାରେ ଅବୈଧ ସନ୍ତାନକୁ ଗର୍ଭରେ ଧରିଲେ ପଲ୍ଲୀର ସରଳା କନ୍ୟା ସମାଜ ଭୟରେ ଜଳରେ ବୁଡ଼ି ଆତ୍ମହତ୍ୟା କରେ । କିନ୍ତୁ ମୁଁ ସହରର ଶିକ୍ଷିତା ଝିଅ । ଅବିବାହିତା ଅବସ୍ଥାରେ ସନ୍ତାନ ସମ୍ଭବା ହେଲେ ମଧ୍ୟ ହସ୍‌ପିଟାଲର ନିଭୃତ କ୍ୟାବିନରୁ ପବିତ୍ରତାର ବୈଜୟନ୍ତୀ ସହ ସମାଜ ବକ୍ଷକୁ ପୁଣି ଲେଉଟି ଆସିଛି । ତୁମ ସନ୍ତାନକୁ କ୍ଲିନିକ୍‌ରେ ଫୋପାଡ଼ି ଦେଇ ଆଜି ମୁଁ ସ୍ୱାମୀ, ସନ୍ତାନ ସହ ବେଶ୍ ଶାନ୍ତିରେ ଅଛି । କିନ୍ତୁ ତମର ପ୍ରବଞ୍ଚକ ପୌରୁଷ ଅସହାୟ ଅବସ୍ଥାରେ ଥିବା ଖବର ପାଇ ତୁମ ଦୂରବସ୍ଥାକୁ ଦେଖିଯିବା ଉଦ୍ଦେଶ୍ୟରେ ମୁଁ ବହୁ ଦୂରରୁ ଆସିଛି । ଫେରିଯିବା ସମୟରେ ତୁମ ପ୍ରତି ମୋର ସହାନୁଭୂତି ନାହିଁ… ଅଛି ତୀବ୍ର ଉପହାସ… ଅସୀମ ଆତ୍ମତୃପ୍ତି… ।

ତୁମେ କାନ୍ଦ… ଆହୁରି କାନ୍ଦ… ତୁମ ଜୀବନ ଏଇ କୋଠରୀ ଭିତରେ ଜଳହରା ମାଛ ପରି ଛଟପଟ ହେଉ । ମୁଁ ତେବେ ଯାଏ… । ବାଏ… ବାଏ…

ଚନ୍ଦ୍ରଭାନୁ ଦେଖିଲେ ନୀଳ ଅଞ୍ଚଳକୁ ଉଡ଼ାଇ ଉଡ଼ାଇ କ୍ଷୀପ୍ର ଗତିରେ ସେ ନାରୀ କୋଠରୀ ଅତିକ୍ରମ କରୁଛି ।

ଅଥଚ ଏ କ’ଣ ? ଆଉ ଜଣେ କାହାକୁ ସେ ବାହାରୁ ପଠାଇ ଦେଉଛି । ଧୀରେ ଧୀରେ ମୂର୍ତ୍ତିଟିଏ ଯେପରିକି ତାଙ୍କ ଆଡ଼କୁ ମାଡ଼ି ଆସୁଛି । ପାଦରେ ଶବ୍ଦାୟିତ ନୁପୂର… ମସୃଣ ନଗ୍ନକଟୀରେ ସଂକ୍ଷିପ୍ତ ବସନ… ଅର୍ଦ୍ଧାବୃତ ବକ୍ଷରେ ସୂକ୍ଷ୍ମ ଉରୀୟ… କଣ୍ଠରେ ମୁକ୍ତାହାର ଏବଂ ହସ୍ତରେ ସୁରାଭରା ଚଷକ । ମଦିରାସକ୍ତ ଆଖିରେ ଭଙ୍ଗାଭଙ୍ଗା ଲହରୀ ଭାଙ୍ଗି ସେ ଯେପରି କୋଠରୀର ପ୍ରତିକୋଣରେ ଛମ୍‌ଛମ୍‌ ହୋଇ ନାଚି ବୁଲୁଛି ।

କ୍ରମଶଃ

Comments are closed.