ସୁଜାତା ମିଶ୍ର
କିଛି ନୀରବତା
କିଛି କୋଳାହଳ..
କିଛି ରୋଷଣୀରେ
ଚକ୍ ଚକ୍…
କିଛି ସହର ତଳି ବସ୍ତିର ଅନ୍ଧକାର..!
ଅତି ଆଧୁନିକ ରାସ୍ତା
ପୁଣି ନବ ନିର୍ମିତ ଫ୍ଲାଇ ଓଭର..
ଆଉ
ନିଅନ୍ ଆଲୁଅ
ବତୀ ଖୁଣ୍ଟରେ ଝଲମଲ,
ସେଇଠି ବି
ଅନ୍ଧାରୁଆ ଗଳି ରାସ୍ତାରେ
ଛାଇ ଆଲୁଅରେ ଠିଆ …
ରଙ୍ଗ ବୋଳା ଓଠରେ
ଚିକି ମିକି ପୋଷାକରେ ଭୋକର ଭୂଗୋଳ!
ଶିଳାର କବିତା ଲେଖି
ନୀଳାଭ ଆକାଶ
ତଳେ ଠିଆ
ଇତିହାସର ସାକ୍ଷୀ ଏଠି
କେଦାର ଗୌରୀ,
ରାଜା ରାଣୀ ପୁଣି ମୁକ୍ତେଶ୍ଵର..,
ରୁକୁଣା ରଥ ଟଣା
ଲିଙ୍ଗରାଜ ମହାପ୍ରଭୁଙ୍କର,
କାର୍ତ୍ତିକରେ
ବୋଇତରେ ସଜା ପବିତ୍ର
ବିନ୍ଦୁ ସାଗର..,
ମନ୍ଦିର ମାଳିନୀ ଏହି
ସହର
ମୋର ଭୁବନେଶ୍ବର !
ରାଜ ପଥ ଧାରେ ଧାରେ
ଘଞ୍ଚ ସବୁଜିମାର ବ୍ୟାପ୍ତି ମେଲାଏ ଛାୟାପ୍ରଦ
ଛତିଆନା, ନିମ ଓ ବଉଳ,
ମହୀଶୂର କୁଇନ୍,
ପଳାଶ ଓ କୃଷ୍ଣଚୁଡ଼ା
ଚୈତ୍ରର ନିଆଁ ଜାଳେ
ନାରଙ୍ଗୀ ରଙ୍ଗର..!
କେବେ ଫନୀ,ଫାଇଲିନ
କେବେ ଅବା ଭୟଙ୍କର
କୃତ୍ରିମ ବନ୍ୟା
ଆଙ୍କିଯାଏ ସହର କାନ୍ଥରେ
ବିମର୍ଷିତ ଭାଗ୍ୟର ଅନ୍ଧାର,
କିଛି ବିବର୍ଣ୍ଣ ସ୍ୱପ୍ନରେ
ଲଟ ପଟ ମନ ଅବା
କିଛି ହଜିଲା ପାଦ ଚିହ୍ନର
ଛାପ,
ସାଉଁଟା କେତୋଟି ମୁହୂର୍ତ୍ତ
କଣା ମାଠିଆର ପାଣି ପରି
ଝରି ଯାଉଥିବା ଆୟୁଷର!
ଭିଡ଼ି ମୋଡ଼ି ହୋଇ ଉଠେ
ପୁଣି ମୋ ସହର
ବିଜୁ ପଟ୍ଟନାୟକଙ୍କ ମୂର୍ତ୍ତିର
ଲମ୍ବି ଯାଇଥିବା ହାତ ଆଙ୍ଗୁଳିରେ,
ଝାଡ଼ି ଝୁଡ଼ି ହୋଇ ଉଠେ
ସହରର ଆତ୍ମା
ଖଣ୍ଡ ବିଖଣ୍ଡିତ ଦ୍ରୁମ ତଳୁ…
ହତାଶାର ପାଉଁଶ ଭିତରୁ..
ହାତରେ ହାତ ମିଳାଇ
ଏକତାର ମନ୍ତ୍ର ଗାଇ
ଭଗ୍ନ ଭୂପତିତ ନିଜ କଳେବର
ସାଉଁଟେ, ସଜାଡେ!
ଏ ସହର ସ୍ବପ୍ନ ବୁଣେ
ଏକାମ୍ର କାନନର
ରଙ୍ଗବୋଳା ଫୁଲର ପିଠିରେ,
ଶିକ୍ଷାର ମନ୍ଦିରେ ପୁଣି
ରଚେ ଛବି ବାସ୍ତବିକତାର… ଶିଖାଏ
ଉଡାଣ ଭରିବାକୁ
ପ୍ରଗତି ପଥରେ..,
ଭିଡ଼ ଭିତରେ ପୁଣି
ଗୁମୁରୁ ଥାଏ ନିଃସଙ୍ଗ ହୃଦୟ
କାହାର..
ସବୁରି
ଅଜାଣତରେ
କିଏ ଲୁହ ପୋଛେ
ନୀରବରେ ..!
ମୋ ସହର..
କିଛି ଖୋଲା ମନ,
ଆବେଗର
ମୁକୁଳା ପ୍ରାଙ୍ଗଣ..
କିଛି ଆଲୁଅର ଚିତ୍ର
ପୁଣି କିଛି ଉଦାସୀ ପଣ
ଅନ୍ଧାରର..
କିଛି ନିରସକ୍ତି ପୁଣି କେବେ କେବେ
ଭାରି ଆପଣାର!
Comments are closed.