Latest Odisha News

BREAKING NEWS

‘ରାହୁଲ’ ଯେତେ ଅଧିକ ବିବାଦ, ସେତେ ଅଧିକ ଚମକ !

ଭୁବନେଶ୍ୱର: ବଢୁଛି ରାହୁଲଙ୍କ ଅଡୁଆ। ଗୋଟିଏ ପରେ ଗୋଟିଏ ମାନହାନି ମାମଲାରେ ଛନ୍ଦି ହୋଇପଡୁଛନ୍ତି ରାହୁଲ ଗାନ୍ଧୀ। ସୁରଟ କୋର୍ଟଙ୍କ ଦଣ୍ଡାଦେଶ ପରେ ଲୋକସଭା ସଦସ୍ୟ ପଦ ହରାଇଥିବା ରାହୁଲଙ୍କ ବିରୋଧରେ ଏବେ ସଭରକରଙ୍କ ନାତି ମାନହାନି ମାମଲା ରୁଜୁ କରିଛନ୍ତି।

ସଭରକରଙ୍କ ବିରୋଧରେ ରାହୁଲ ବିଭିନ୍ନ ସମୟରେ ଅସମ୍ମାନଜନକ ମନ୍ତବ୍ୟ ଦେଉଥିବାରୁ ସାତ୍ୟକି ସଭରକର ରାହୁଲଙ୍କ ବିରୋଧରେ ମାନହାନି ମାମଲା ରୁଜୁ କରିଥିବା କୁହାଯାଉଛି। ସେପଟେ ମୋଦି ସାଙ୍ଗିଆ ପ୍ରସଙ୍ଗକୁ ନେଇ ବିହାରର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସୁଶୀଲ ମୋଦୀଙ୍କ ଦ୍ୱାରା କରାଯାଇଥିବା ମାମଲାରେ ମଧ୍ୟ ରାହୁଲ ଆସନ୍ତା ୨୫ ତାରିଖରେ ହାଜର ହେବାକୁ କୁହାଯାଇଥିବା ଜଣାପଡିଛି।

ହରିଦ୍ୱାର କୋର୍ଟରେ ମଧ୍ୟ ରାହୁଲଙ୍କ ବିରୋଧରେ ମାମଲା ହୋଇଛି। ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ଵଶର୍ମା ମଧ୍ୟ ରାହୁଲଙ୍କୁ କୋର୍ଟରେ ଦେଖା ହେବ ବୋଲି ଚେତାବନୀ ଦେଇଛନ୍ତି। ରାହୁଲଙ୍କ ପାଇଁ ଏ ସବୁ ଅଡୁଆ ସ୍ଥିତି ବୋଲି କୁହାଯାଉଛି।

କିନ୍ତୁ ରାହୁଲଙ୍କ ସଦସ୍ୟ ପଦ ରଦ୍ଦ ପରେ ଏସବୁ ବିବାଦ ରାହୁଲଙ୍କୁ ଆହୁରି ଲୋକପ୍ରିୟ କରାଉଥିବା କୁହାଯାଉଛି। ଏପରିକି ରାହୁଲଙ୍କ ବିରୋଧରେ ଯାହା ବି ହେଉଛି ସେସବୁ ବିଜେପି ଉଦେଶ୍ୟମୂଳକ ଭାବେ କରାଉଛି ବୋଲି ଲୋକେ ଗ୍ରହଣ କରୁଥିବା ଆଲୋଚନା ହେଉଛି।

ସାଧାରଣ ଲୋକେ ରାହୁଲଙ୍କ ବିରୋଧରେ ଏସବୁ ବିଜେପିର ପ୍ଲାନ ବୋଲି ଭାବୁଥିବା ଚର୍ଚ୍ଚା କରୁଛନ୍ତି। ଯାହାକି ରାହୁଲଙ୍କ ସପକ୍ଷରେ ସୃଷ୍ଟି ହୋଇଥିବା ସହାନୁଭୂତିକୁ ଆହୁରି ବଢ଼ାଇଦେଉଛି।

ଅନ୍ୟପକ୍ଷରେ ଆଗକୁ ନିର୍ବାଚନ ଥିବାରୁ ରାହୁଲ ଏସବୁ ଘଟଣାକୁ ନେଇ ଏବେ ଲଗାତର ଚର୍ଚ୍ଚାରେ ରହି ଆସୁଛନ୍ତି। ତେଣୁ ରାହୁଲଙ୍କ ଏସବୁ ବିବାଦ କେଉଁ ମୋଡ଼ ନେଉଛି ତା ଉପରେ ସମସ୍ତଙ୍କର ନଜର।

Comments are closed.