Latest Odisha News

ପବିତ୍ର ମହାବିଷୁବ ସଂକ୍ରାନ୍ତି ଅବସରରେ ଶ୍ରୀମନ୍ଦିରରେ ପାଳନ ହେବ ସ୍ୱତନ୍ତ୍ର ନୀତିକାନ୍ତି

ପୁରୀ : ଆଜି ହେଉଛି ପବିତ୍ର ମହାବିଷୁବ ସଂକ୍ରାନ୍ତି । ଏଥିସହ ଓଡ଼ିଆ ନବବର୍ଷ । ଏଥିପାଇଁ ଶ୍ରୀମନ୍ଦିରରେ ପାଳନ ହେବ ସ୍ୱତନ୍ତ୍ର ନୀତିକାନ୍ତି । ଓଡ଼ିଆ ନବବର୍ଷ ପାଇଁ ଚଳଚଞ୍ଚଳ ଉତ୍ସବ ମୁଖରିତ ଶ୍ରୀକ୍ଷେତ୍ର । ସକାଳ ଧୂପ ନୀତି ସରିବା ପରେ ଦକ୍ଷିଣ ଘରେ ଥିବା ଶ୍ରୀହନୁମାନଙ୍କୁ ରତ୍ନ ସିଂହାସନକୁ ଅଣାଯାଇ ଆଜ୍ଞାମାଳ ପ୍ରଦାନ କରାଯିବ । ଏହାପରେ ମୁକ୍ତିମଣ୍ଡପ ତଳେ ଥିବା ବିମାନରେ ବସାଇ ବିଜେ କରାଯାଏ । ଏହି ସମୟରେ ଶ୍ରୀମନ୍ଦିରର ଚାରିଦ୍ବାର ଏବଂ ଦକ୍ଷିଣ ଦ୍ବାରରେ ଥିବା ବାରଭାଇ ହନୁମାନଙ୍କୁ ଆଜ୍ଞାମାଳ ଦିଆଯାଏ । ଏହାପରେ ବିମାନରେ ଠାକୁରଙ୍କୁ ନେଇ ଜଗନ୍ନାଥ ବଲ୍ଳଭ ମଠକୁ ଯାଆନ୍ତି ।

ଜଗନ୍ନାଥ ବଲ୍ଲଭ ମଠରେ ଥିବା ମହାବୀରମାନଙ୍କୁ ଆଜ୍ଞା ମାଳ ଦିଆଯିବା ପରେ ପୂଜାପଣ୍ଡା ସାମନ୍ତ ଆଜ୍ଞାମାଳ ନେଇ ଦରିଆ ମହାବୀରଙ୍କ ପାଖକୁ ଯାନ୍ତି। ସେଠାରୁ ଫେରିବା ପରେ ଜଗନ୍ନାଥ ବଲ୍ଲଭ ମଠରେ କେତେକ ନୀତିକାନ୍ତି ସମ୍ପନ୍ନ ହେବା ପରେ ଶ୍ରୀହନୁମାନ ବାହୁଡ଼ା ବିଜେ କରି ବଡ଼ଦେଉଳକୁ ଆସିଥାନ୍ତି। ଶ୍ରୀମନ୍ଦିରରେ ମହାବୀରଙ୍କ ସ୍ୱତନ୍ତ୍ର ପୂଜାର୍ଚ୍ଚନା କରାଯାଇ ପଣା ଓ ଛତୁଆ ଭୋଗ ଲାଗି କରାଯାଏ । ଆଜିଠାରୁ ନୂତନ ପଞ୍ଜିକା ପ୍ରଚଳନ ହୋଇଥାଏ । ତେଣୁ ଓଡ଼ିଶାରେ ଏହି ଦିନରେ ଚାରିଆଡ଼େ ଆନନ୍ଦ ଉଲ୍ଲାସ ଦେଖିବାକୁ ମିଳିଥାଏ  ।

Comments are closed.