Latest Odisha News

ଓଡ଼ିଆ ନବବର୍ଷର ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଜି ପବିତ୍ର ମହାବିଷୁବ ସଂକ୍ରାନ୍ତି ଏବଂ ଓଡ଼ିଆ ନବବର୍ଷ ଉପଲକ୍ଷେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଠାରୁ ଆରମ୍ଭ କରି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ରାଜ୍ୟପାଳ ଗଣେଶୀ ଲାଲ୍, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରମୁଖ ଶୁଭେଚ୍ଛା ବାର୍ତ୍ତା ଦେଇଛନ୍ତି।

ରାଷ୍ଟ୍ରପତି ଶୁଭେଚ୍ଛା ବାର୍ତ୍ତା ଦେଇ ଓଡ଼ିଶାବାସୀଙ୍କ ସୁଖ ସମୃଦ୍ଧି କାମନା କରିଛନ୍ତି। ସେ ଟ୍ୱିଟ୍ କରି ଲେଖିଛନ୍ତି  “ପବିତ୍ର ପଣା ସଂକ୍ରାନ୍ତି ଓଡ଼ିଶାର ପୁରପଲ୍ଲୀରେ ହର୍ଷୋଲ୍ଲାସରେ ପାଳିତ ହେଉଅଛି । ଏ ଅବସରରେ ପଣାପାଣିର ଆସର ସାଙ୍ଗକୁ ବିଭିନ୍ନ ସାରସ୍ୱତ ସଭାସମିତି ମଧ୍ୟ ଆୟୋଜିତ ହେଉଅଛି । ଏହି ଓଡ଼ିଆ ନବବର୍ଷ ଉପଲକ୍ଷେ ଓଡ଼ିଶାର ପ୍ରିୟ ଭାଇଭଉଣୀମାନଙ୍କୁ ମୋର ଆନ୍ତରିକ ଶୁଭେଚ୍ଛା ଜଣାଉଛି ଏବଂ ସୁଖସମୃଦ୍ଧି କାମନା କରୁଅଛି ।”

ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଉତ୍ତମ ସ୍ୱାସ୍ଥ୍ୟ କାମନା କରିବା ସହ ନୂଆ ବର୍ଷର ଶୁଭେଚ୍ଛା ଜଣାଇଛନ୍ତି। ସେ ତାଙ୍କ ଟ୍ୱିଟ୍‌ରେ ଲେଖିଛନ୍ତି “ମହାବିଷୁବ ସଂକ୍ରାନ୍ତି ଏବଂ ଓଡ଼ିଆ ନବବର୍ଷର ଶୁଭେଚ୍ଛା। ସୁସ୍ଥ କମାନା କରି ନୂଆ ବର୍ଷର ଶୁଭେଚ୍ଛା ଜଣାଉଛି।”

କେନ୍ଦ୍ରମନ୍ତ୍ରୀ ଅମିତ ଶାହ ଟ୍ୱିଟ୍ କରି ଲେଖିଛନ୍ତି “ଓଡ଼ିଆ ନବବର୍ଷ ଏବଂ ପବିତ୍ର ମହାବିଷୁବ ସଂକ୍ରାନ୍ତି ଅବସରରେ ଓଡ଼ିଶାବାସୀଙ୍କୁ ଶୁଭେଚ୍ଛା। ମହାପ୍ରଭୁ ଜଗନ୍ନାଥଙ୍କ କୃପା ସମସ୍ତଙ୍କ ଜୀବନ ପଥରେ ସର୍ବଦା ରହିଥାଉ। ପଣାର ମଧୁର ସ୍ୱାଦ, ଲୋକଙ୍କ ଜୀବନରେ ମଧ୍ୟ ଭରିଯାଉ।”

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ରାଜ୍ୟବାସୀଙ୍କୁ ମହାବିଷୁବ ସଂକ୍ରାନ୍ତି ଏବଂ ଓଡ଼ିଆ ନବବର୍ଷର ଶୁଭେଚ୍ଛା ଜଣାଇଛନ୍ତି। ସେ ଟ୍ୱିଟ୍ କରି ଲେଖିଛନ୍ତି “ପବିତ୍ର ମହାବିଷୁବ ସଂକ୍ରାନ୍ତି ଏବଂ ଓଡ଼ିଆ ନବ ବର୍ଷ ଉପଲକ୍ଷେ ସମସ୍ତଙ୍କୁ ମୋର ଆନ୍ତରିକ ଶୁଭେଚ୍ଛା ଓ ଅଭିନନ୍ଦନ। ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଅପାର କରୁଣାରୁ ଏହି ନୂଆ ବର୍ଷ ସମସ୍ତଙ୍କ ପାଇଁ ନୂଆ ସୁଯୋଗ ଓ ସମ୍ଭାବନା ନେଇ ଆସୁ।”

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଟ୍ୱିଟ୍ କରି ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସେ ଲେଖିଛନ୍ତି “ପବିତ୍ର ମହାବିଷୁବ ସଂକ୍ରାନ୍ତି ଏବଂ ଓଡ଼ିଆ ନବବର୍ଷର ହାର୍ଦ୍ଦିକ ଶୁଭେଚ୍ଛା। ନୂଆବର୍ଷ ସମସ୍ତଙ୍କ ଜୀବନରେ ଆନନ୍ଦ ଓ ଉଲ୍ଲାସ ଆଣିଦେଉ। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦରୁ ଓଡ଼ିଆ ଜାତି ଆହୁରି ଭବ୍ୟ ଏବଂ ସମୃଦ୍ଧଶାଳୀ ହେଉ ଏବଂ ଓଡ଼ିଶା ସମ୍ପନ୍ନତାର ଶୀର୍ଷରେ ପହଞ୍ଚୁ, ଏହା କାମନା କରୁଛି।”

ସେହିପରି ବିଶ୍ୱ ବିଖ୍ୟାତ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ମଧ୍ୟ ସୁନ୍ଦର ବାଲୁକାକଳା ମାଧ୍ୟମରେ ହନୁମାନ ଜୟନ୍ତୀ ସହ ପବିତ୍ର ମହାବିଷୁବ ସଂକ୍ରାନ୍ତି ଏବଂ ଓଡ଼ିଆ ନବବର୍ଷର ଶୁଭେଚ୍ଛା ଜଣାଇଛନ୍ତି। ଓଡିଆ ନବବର୍ଷକୁ ନେଇ ତାଙ୍କର ଝିଅଙ୍କର ଏକ ଗୀତ ସହ ଏହି ବାଲୁକା କଳାକୁ ଟ୍ୱିଟ୍ କରିଛନ୍ତି ସୁଦର୍ଶନ। ଦେଖନ୍ତୁ ସୁନ୍ଦର ଭିଡିଓଟି-

Comments are closed.